ଭୁବନେଶ୍ବର : ରାଜ୍ୟର ଉନ୍ନୟନମୂଳକ କାମ ପାଇଁ ଖୋଲା ବଜାରରୁ ଋଣ କରିବେ ରାଜ୍ୟ ସରକାର । ଷ୍ଟକ ଓ ସିକ୍ୟୁରିଟକୁ ରିଜର୍ଭ ବ୍ୟାଙ୍କ ସହାୟତାରେ ବିକ୍ରି କରି ଋଣ ଅର୍ଥ ଉଠାଇବେ ସରକାର । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି ଅର୍ଥ ବିଭାଗ । ଆସନ୍ତାକାଲି ବମ୍ବେରେ ଇ-କୁବେର ଜରିଆରେ ଷ୍ଟକ ସେଲ କରି ଏହି ଅର୍ଥ ଖୋଲା ବଜାରରୁ ଉଠାଯିବ । ଖୋଲା ବଜାରରୁ ରାଜ୍ୟ ସରକାର ଋଣ ଉଠାଇବା ଅର୍ଥନୀତି ପାଇଁ ଶୁଭଙ୍କର ନୁହେଁ ବୋଲି କହୁଛନ୍ତି ବିଶେଷଜ୍ଞ କହୁଥିବା ବେଳେ ବିରୋଧୀ କହୁଛନ୍ତି ଏହା ଦୁର୍ବଳ ଅର୍ଥନୀତି । ଅର୍ଥମନ୍ତ୍ରୀଙ୍କ ଯୁକ୍ତି କିନ୍ତୁ ଭିନ୍ନ ।
ରାଜ୍ୟରେ ଅର୍ଥ ଅଭାବ । ଉନ୍ନୟନ ମୂଳକ କାମ ଓ ଯୋଜନା କାର୍ଯ୍ୟକାରୀ କରିବାକୁ ସରକାରଙ୍କ ପାଖରେ ଟଙ୍କା ନାହିଁ । ଯେଉଁଥି ପାଇଁ ଷ୍ଟକ୍ ବିକି ଖୋଲା ବଜାରରୁ ଋଣ ଉଠାଇବାକୁ ବିଜ୍ଞପ୍ତି ପ୍ରକାଶ କରିଛି ଅର୍ଥ ବିଭାଗ । ରିଜର୍ଭ ବ୍ୟାଙ୍କ ସହାୟତାରେ ଇ-କୁବେର ମାଧ୍ୟମରେ ଷ୍ଟକ ବିକି ୫ ଶହ କୋଟି ଟଙ୍କା ଋଣ ଉଠାଇବେ ସରକାର । ଏହାକୁ ମିଶାଇ ଚଳିତ ଆର୍ଥିକବର୍ଷରେ ରାଜ୍ୟ ସରକାର ୩ ହଜାର ୫ଶହ କୋଟି ଟଙ୍କା ଖୋଲା ବଜାରରୁ ଋଣ ଉଠାଇଲେଣି । ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟସରକାର ୧୯ ହଜାର କୋଟି ଟଙ୍କା ଋଣ କରିବେ ବୋଲି ବଜେଟରେ କହିଛନ୍ତି । ଆଉ ଏହାକୁ ମିଶାଇଲେ ରାଜ୍ୟର ଋଣଭାର ୯୩ ହଜାର କୋଟି ହେବ । ଖୋଲା ବଜାରରୁ ଋଣ, ରାଜ୍ୟ ଅର୍ଥନୀତିର ବୋଝ ବଢାଇବ ବୋଲି କହିଛନ୍ତି ଅର୍ଥନୀତି ବିଶେଷଜ୍ଞ । ସେପଟେ ବିରୋଧୀଙ୍କ ଯୁକ୍ତି ବଜେଟ ନକରି ସରକାର କେବଳ ନିର୍ବାଚନକୁ ଆଖିରେ ରଖି ଯୋଜନା କରୁଛନ୍ତି । ଯାହା ଋଣ କରି ଘିଅ ପିଇବା ସଙ୍ଗେ ସମାନ ।
ଅର୍ଥନୀତି କହୁଛି, ରାଜ୍ୟ ଜିଡିପିର ସର୍ବାଧିକ ୨୫ ପ୍ରତିଶତ ଋଣ କରାଯାଇ ପାରିବ । ଏବେ ଏହା ୧୭ରୁ ୧୮ ପ୍ରତିଶତ ରହିଛି । ହେଲେ ଅଣ ଟିକସ ଓ ଟିକସ ଆଦାୟ କମିଲେ ଅର୍ଥନିତୀରେ ପ୍ରଭାବିତ ହେବ । ସେପଟେ ଅର୍ଥମନ୍ତ୍ରୀଙ୍କ ଯୁକ୍ତି କିନ୍ତୁ ଭିନ୍ନ । ତାଙ୍କ କହିବା କଥା, ରାଜ୍ୟର ଉନ୍ନୟନ ଲାଗି ଋଣ ହଠାଯିବ । ଯାହା ସୀମା ଭିତରେ ହେଉଛି । ୨୫ ପ୍ରତିଶତ ଲିମିଟ ଥିବାବେଳେ ଏହା ୮ରୁ ୯ ପ୍ରତିଶତ କମ ଅଛି । ତେଣୁ ଅର୍ଥନୀତି ପ୍ରଭାବିତ ହେବନି ।
ରାଜ୍ୟ ସରକାର ଖୋଲାବଜାରରୁ କରୁଥିବା ଋଣ ୫ ବର୍ଷରେ ପରିଶୋଧ କରିବେ ବୋଲି କହିଛନ୍ତି । ହେଲେ ନିର୍ବାଚନ ପାଖେଇ ଆସୁଥିବା ବେଳେ ସରକାର ଯଦି ଆହୁରି ନୂଆ ଯୋଜନା କରନ୍ତି, ତେବେ ଋଣଭାର ବଢିବା ଆଶଙ୍କା ରହୁଛି ।