୧୭ ଜିଲ୍ଲାରେ ପ୍ରବଳ ବର୍ଷା! ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।  ରାତି ସୁଦ୍ଧା ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଝାରସୁଗୁଡ଼ା ଏହି ୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ, ବରଗଡ଼, କଟକ, ନୟାଗଡ଼, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା । ସମସ୍ତ ୧୭ ଟି ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ତେବେ କେତେକ ଜିଲ୍ଲାରେ ବଜ୍ରପାତର ଆଶଙ୍କା ରହିଥିବା ନେଇ ଲୋକଙ୍କୁ ଆଗୁଆ ସତର୍କ ସୂଚନା ଜାରି କରାଯାଇଛି । ବିଶେଷ କରି ୧୩ଟି ଜିଲ୍ଲାରେ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୁର୍ବାନୁମାନ କରିଛି । ଆଜି ସୁନ୍ଧା ୧୬ଟି ଜିଲ୍ଲାରେ ବଜ୍ରପାତ ହୋଇଥିବା ସୂଚନା ମିଳିଛି । ତେବେ ଗତ କିଛି ମାସ ଧରି ରାଜ୍ୟରେ ବଜ୍ରପାତରେ ଲୋକଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ପରେ ଏ ନେଇ ପାଣିପାଗ ବିଭାଗ ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଗତ ୮ବର୍ଷ ମଧ୍ୟରେ ୨୬୫୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି । ବିଶେଷ କରି ରାଜ୍ୟର ଗ୍ରାମାଞ୍ଚଳରେ ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ ହୋଇଥିବାରୁ ଏଥିପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

Comments (0)
Add Comment