ଭୁବନେଶ୍ୱର : ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାର ୧୭ଜିଲ୍ଲାରେ ଆସନ୍ତା ୩୬ ଘଣଅଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାକୁ ବର୍ଷା ପାଇଁ ସତର୍କ କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍. ବିଶ୍ୱାସ ଏହି ସୂଚନା ଦେଇଛନ୍ତି । ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ବି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଛି । ରାଜ୍ୟର ଅନେକ ଅଞ୍ଚଳରେ ଆଜି ବର୍ଷା ହୋଇଛି । ଆଜି ସକାଳୁ ବାଲେଶ୍ୱର, ଜଗତସିଂହପୁର, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ଝାରସୁଗୁଡ଼ା, ପୁରୀ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । କେନ୍ଦୁଝର ସହିତ ଗୋଟିଏ ଦୁଇଟି ସ୍ଥାନରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି । ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଲାଗି ରହିଛି । ଏଥିସହିତ କେତେକ ଅଞ୍ଚଳରେ ଝଡ଼ତୋଫାନ, ବର୍ଷା, ବଜ୍ରପାତ ନେଇ ପାଣିପାଗ କାର୍ଯ୍ୟାଳୟ ତରଫରୁ ସତର୍କ ସୂଚନା ଜାରି କରାଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯାଇଛି । ଜିଲ୍ଲାପାଳମାନଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ସତର୍କ କରାଇଛି । ଅପରାହ୍ନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ ଘଣ୍ଟା ପ୍ରତି ୩୫ରୁ ୪୫ କିମି ବେଗରେ ପବନ ବହିବ । ବେଳେବେଳେ ପବନର ବେଗ ୫୫ କିମି ଛୁଇଁପାରେ । ମତ୍ସ୍ୟଜୀବୀଙ୍କୁ ଏହି ସମୟ ମଧ୍ୟରେ ସମୁଦ୍ରକୁ ନଯିବା ପାଇଁ ବାରଣ କରାଯାଇଛି ।