୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତର ଆଶଙ୍କା

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇଛି । ଏହାର ପ୍ରଭାବରେ  ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା ବେଳେ ଆଜି ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତର ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ କେନ୍ଦ୍ରୀୟ ଓଡ଼ିଶାର ୩ଟି ଜିଲ୍ଲା ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୧୦୦ ମିମି ବର୍ଷା ହୋଇଥିଲା ବେଳେ ମାଲକାନଗିରିରେ ୯୮ ମିମି, କୋରାପୁଟରେ ୯୧ ମିମି, ହୀରାକୁଦରେ ୯୫ ମିମି, ବାରିପଦାରେ ୯୨ ମିମି, କଟକରେ ୯୭ ମିମି, ବାଲେଶ୍ୱରରେ ୯୧ ମିମି ବର୍ଷା ହୋଇଛି । ସେହିପରି ଆସନ୍ତ ଘଣ୍ଟା ମଧ୍ୟରେ ୧୮ଟି ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । କଟକ, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ଗଞ୍ଜାମ, ଗଜପତି, ପୁରୀ, ସୋନପୁର, ବଲାଙ୍ଗିର, ସମ୍ବଲପୁର, ବାଲେଶ୍ୱର, ସୁନ୍ଦରଗଡ଼, ଦେବଗଡ଼ ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏ ନେଇ ସମସ୍ତ ଜିଲ୍ଲାର ବାସିନ୍ଦା ଓ ପ୍ରଶାସନକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟ ମଧ୍ୟରେ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି ।

Comments (0)
Add Comment