ଆହୁରି ୪୮ ଘଣ୍ଟା ସାରା ଓଡିଶାରେ ବର୍ଷିବ

ଭୁବନେଶ୍ବର  : ବର୍ଷାରୁ ନିସ୍ତାର ନାହିଁ । ଆହୁରି ୪୮ ଘଣ୍ଟା ବର୍ଷିବ । ପରିସ୍ଥିତି ଆହୁରି ସଙ୍ଗୀନ ହେବା ଆଶଙ୍କା । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୪୮ ଘଣ୍ଟା ଧରି ସାରା ରାଜ୍ୟରେ ବର୍ଷା ଲାଗି ରହିବ । ମଧ୍ୟ ଓଡିଶା ଓ ଦକ୍ଷିଣ ଓଡିଶାରେ ସବୁଠୁ ଅଧିକ ବର୍ଷା ହେବ । ଜୁଲାଇ ୨୩ ତାରିଖ ମଧ୍ୟରେ ଦକ୍ଷିଣ, ଉପକୂଳ, ପଶ୍ଚିମ, ଉତ୍ତର ସବୁଆଡେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏହାର ପ୍ରଭାବରେ ପ୍ରାୟ ସବୁ ବଡ଼ ନଦୀରେ ବନ୍ୟା ଆସିପାରେ ବୋଲି ଆଶଙ୍କା କରାଯାଉଛି। ପରିସ୍ଥିତିର ମୁକାବିଲା ପାଇଁ ସରକାର ତତ୍ପରତା ପ୍ରକାଶ କରିଛନ୍ତି।

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଆଜି ଓ ୨୨ରେ ସାରା ରାଜ୍ୟରେ ବଡ଼ ବର୍ଷା ହେବ। ଆଜି ୧୯ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିମଧ୍ୟରୁ, ପୁରୀ ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ଅତିରୁ ଅତିପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଗତକାଲି ରାତି ସୁଦ୍ଧା ରାଜ୍ୟର ପ୍ରମୁଖ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିଲା। କିନ୍ତୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ବଳଙ୍ଗ, ଇବ୍ , ତେଲ ନଦୀର ଉପରମୁଣ୍ଡ ଓ ଅବବାହିକାରେ ବ଼ଡ଼ ବର୍ଷା ସମ୍ଭାବନା ରହିଛି। ଏଣୁ ନଦୀର ଜଳସ୍ତର ବୃଦ୍ଧି ପାଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। କେବଳ ସେତିକି ନୁହେଁ, ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କନ୍ଧମାଳ, କୋରାପୁଟରେ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି।

Comments (0)
Add Comment