ନିଆଳି : ନିଆଳିରେ ଅନର୍ କିଲିଂ । ପ୍ରେମ ପାଇଁ ବାପ ଛେଉଣ୍ଡ ଝିଅକୁ ମାରିଦେଲେ ବଡ଼ବାପା ଘର ଲୋକେ । ଘରେ ଶୋଇଥିବା ବେଳେ ତଣ୍ଟିରେ ଶାବଳ ପକାଇ ଚଢ଼ିଗଲେ । ପରେ ସାହିପଡ଼ିଶା ଲୋକଙ୍କୁ ଡାକ୍ତରଖାନା ବାହାନା କରି ମୋଟର ସାଇକେଲରେ ବସାଇ ନେଇଯାଇ ଗାଁ ମୁଣ୍ଡ ମଶାଣିରେ ପୋଡ଼ି ଦେଇଛନ୍ତି । ଖବର ପାଇ ପୋଲିସ୍, ମଶାଣିରୁ ହାଡ଼, ପାଉଁଶ ଏବଂ ପେଟ୍ରୋଲ୍ ବୋତଲ ଜବତ କରିଛି । ମୃତ ନାବାଳିକାଙ୍କ ବଡ଼ବାପା ଘରର ୫ ଜଣଙ୍କୁ ଥାନାକୁ ନେଇ ପଚରା ଉଚରା ଚଳାଇଛି ।
ଅଭିଯୋଗ ଅନୁଯାୟୀ, ଗତ ଶନିବାର ମେଡିକାଲ୍ ନେବା ବାହାନାରେ ନାବାଳିକାଙ୍କ ମୃତଦେହକୁ ବାଇକରେ ନେଇ ମଶାଣିରେ ପୋଡ଼ି ଦେଇଥିଲେ। ଏଭଳି ଜଘନ୍ୟ କାମ କରିଥିଲେ ନାବାଳିକାଙ୍କ ବଡ଼ ବାପାଙ୍କ ଦୁଇ ପୁଅ। ମାତ୍ର ଏ ସମ୍ପର୍କରେ ପୋଲିସ କି ସାହି ପଡ଼ିଶା କେହି ଜଣିପାରିନଥିଲେ। ତେଣୁ ଲୁଚା ଛପାରେ ଶବ ସଂସ୍କାର ଘଟଣାରୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।
ଗାଁ ଲୋକଙ୍କ କହିବାନୁସାରେ ବାପ ଛେଉଣ୍ଡ ଏହି ନାବାଳିକାର ମାଆ ଜଣେ ମାନସିକ ରୋଗୀ। ଅଭିଭାବକ କହିଲେ ବଡ଼ବାପା ଓ ତାଙ୍କ ଦୁଇ ପୁଅ। ଏବେ ପ୍ରଶ୍ନ ନିଜ ପରିବାର ଲୋକଙ୍କ ହାତରେ କାହିଁକି ବଳି ପଡ଼ିଲା ଝିଅ? ଏହା ଅନର୍ କିଲିଂ ନୁହେଁ ତ? ତା’ସହ ସାହିପଡ଼ିଶାଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି, ଜଣେ ସ୍ଥାନୀୟ ଯୁବକଙ୍କ ସହ ଝିଅର ପ୍ରେମ ସମ୍ପର୍କ ଜଣାପଡ଼ିବା ପରେ ଗାଁରେ ବୈଠକ ବସିବାର ଥିଲା। କିନ୍ତୁ ତା’ ପୂର୍ବରୁ ଲୋକଲଜ୍ଜା ଭୟରେ ପରିବାର ଲୋକେ ନେଇଛନ୍ତି ଏଭଳି ଚରମ ପଦକ୍ଷେପ।
ଗତବର୍ଷ ଦଶମ ପରୀକ୍ଷା ଦେଇଥିବା ଏହି ନାବାଳିକାଙ୍କ ବାପା ନକୂଳ ଓଝା, ୧୦ ବର୍ଷ ତଳୁ ପ୍ରାଣ ହରାଇଛନ୍ତି । ମାଆ ସାମାନ୍ୟ ମାନସିକ ବିକାରଗ୍ରସ୍ତ । ବଡ଼ବାପା ଅର୍ଜୁନ ଓଝାଙ୍କ ଘରେ ଉଭୟ ମାଓ ଓ ଝିଅ ରହୁଥିଲେ । ତେବେ ଗାଁର ଜଣେ ଯୁବକଙ୍କୁ ନାବାଳିକାଙ୍କ ଭଲ ପାଇବା ହେଲା ଭୁଲ୍ । ବଡ଼ବାପା, ବଡ଼ବାପା ପୁଅ ଭାଇ ଓ ଭାଉଜମାନେ ନାବାଳିକାଙ୍କ ପ୍ରେମକୁ ବିରୋଧ କରୁଥିଲେ । ୧୯ ତାରିଖ ରାତିରେ ନାବାଳିକା ଜଣକ ଯାତ୍ରା ଦେଖି ଯାଇଥିଲେ । ଭୋରୁ ଭୋରୁ ଆସି ଶୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଝିଅ ମରିଯିବା ପରେ ସାହିପଡ଼ିଶାଙ୍କୁ ମେଡିକାଲ୍ ବାହାନା କରି ମୋଟର ସାଇକେଲରେ ମଶାଣିକୁ ନେଇ ଯାଇଥିଲେ ଦୁଇ ବଡ଼ବାପା ପୁଅ ଭାଇ । ଆଉ ସେଠାରେ ପେଟ୍ରୋଲ୍ ଏବଂ କାଠିକୁଟା ପକାଇ ତରବରିଆ ଭାବେ ପୋଡ଼ି ଦେଇଛନ୍ତି । ଗାଁ ସାହିର ଟୁପୁରୁ ଟାପୁରୁ ଖବର ଥାନାରେ ପହଞ୍ଚିବା ପରେ ପୋଲିସ୍, ଘଟଣାସ୍ଥଳକୁ ଆସିଥିଲା ।
ପୋଲିସ୍ ମଶାଣିରୁ ହାଡ଼, ପାଉଁଶ ସହ ସେଠାରେ ପଡ଼ିଥିବା ପେଟ୍ରୋଲ୍ ବୋତଲ ଜବତ କରିଛି । ମୃତ ନାବାଳିକାଙ୍କ ବଡ଼ବାପା ଅର୍ଜୁନ ଓଝା, ବଡ଼ମାଆ କୁନି ଓଝା, ଭାଇ ଅରୁଣ ଓଝା, ଅଭିମନ୍ୟୁ ଓଝା ଏବଂ ସାନ ଭାଉଜ ବିନିତା ଓଝାଙ୍କୁ ଥାନାକୁ ନେଇ ପଚରା ଉଚରା କରୁଛି ।