ମହିଳାମାନଙ୍କ ପାଇଁ ଭାରତ ବିଶ୍ବର ସବୁଠାରୁ ବିପଦପୂର୍ଣ୍ଣ

ଭୁବନେଶ୍ୱର:  ମହିଳାମାନଙ୍କ ପାଇଁ ଭାରତ ବିଶ୍ବର ସବୁଠାରୁ ବିପଦପୂର୍ଣ୍ଣ ସ୍ଥାନ। ଥମସନ ରଏଟର୍ସ କରିଥିବା ଏକ ସର୍ଭେରେ ଏମିତି କିଛି ତଥ୍ୟ ଉପସ୍ଥାପନ କରାଯାଇଛି। ଭାରତରେ ଯେଉଁଭଳି ଭାବେ ମହିଳାମାନଙ୍କୁ ନିର୍ଯାତନା ଦିଆଯାଉ ତାହା ଉଦ୍‌ବେଗର ବିଷୟ ବୋଲି ଏଥିରେ ଦର୍ଶାଯାଇଛି। ଏହି ତାଲିକାରେ ଭାରତ ତଳେ ଯୁଦ୍ଧ କ୍ଷତିଗ୍ରସ୍ତ ସିରିଆ ଏବଂ ଆଫଗାନିସ୍ତାନ ଥିବା ବେଳେ ଆମେରିକାର ସ୍ଥାନ ତୃତୀୟ ।

ମହିଳାଙ୍କୁ ନିର୍ଯାତନା ଦିଆଯିବାରେ ଭାରତ ନମ୍ବର ୱାନ। ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯିବା, କ୍ରିତଦାସ ଭାବେ ବ୍ୟବହାର କରାଯିବା, ସ୍ବାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ସୁବିଧାଠାରୁ ଦୂରେଇ ରଖିବା ଭଳି ନିର୍ଯାତନା ବଢ଼ିବଢ଼ି ଚାଲିଛି।  ଏପରିକି ଶାରୀରିକ ନିର୍ଯାତନାର ଶିକାର ହେଉଥିବା ବିବାହିତ ମହିଳାଙ୍କ ସଂଖ୍ୟା ମଧ୍ୟ କିଛି କମ୍‌ ନୁହେଁ। ଲଣ୍ଡନର ପ୍ରଖ୍ୟାତ ଥମସନ ରଏଟର୍ସ ଫାଉଣ୍ଡେସ ସଂସ୍ଥା ଏମିତି ଏକ ସର୍ଭେ  ରିପୋର୍ଟ ଉପସ୍ଥାପନ କରିଛି । ମହିଳାମାନେ ଅସୁରକ୍ଷିତ ଦେଶ ଭାବେ ଯୁଦ୍ଧ କ୍ଷତିଗ୍ରସ୍ତ ଦେଶଗୁଡ଼ିକ ପ୍ରଥମେ ଆସିବା ନେଇ ଅନୁମାନ କରାଯାଉଥିବା ବେଳେ ଭାରତ ସେମାନଙ୍କୁ ଟପିଯାଇଛି। ୭ ବର୍ଷ ତଳେ ସମାନ ସର୍ଭେରେ ଭାରତର ସ୍ଥାନ ସପ୍ତମ ଥିଲା ଆଉ ଏବେ ପ୍ରଥମ ସ୍ଥାନରେ ରହିଛି।  ସିରିଆର ସ୍ଥାନ ଦ୍ବିତୀୟ ଥିବା ବେଳେ ଆଫଗାନିସ୍ତାନର ସ୍ଥାନ ତୃତୀୟ ଅଛି।  ଏମିତିକି ମହିଳାମାନଙ୍କ ପାଇଁ ଆମେରିକା ବି ସୁରକ୍ଷିତ ସ୍ଥାନ ନୁହେଁ। ତାଲିକାରେ ସ୍ଥାନ ପାଇଥିବା ଆମେରିକାରେ ମହିଳାମାନଙ୍କ ପ୍ରତି ମାତ୍ରାଧିକ ଯୌନ ନିର୍ଯାତନା ହେଉଥିବା ଦର୍ଶାଯାଇଛି। ଏହି ତାଲିକାକୁ ନେଇ ଭାରତରେ ମହିଳାମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

୭୫୯ ଜଣ ବିଶେଷଜ୍ଞ ଏହି ସର୍ଭେ କରିଥିଲେ ଏବଂ ଜାତିସଂଘର ସଦସ୍ୟଭୁକ୍ତ ୧୯୨ଟି ଦେଶରେ ଏହି ସର୍ଭେ କରାଯାଇଥିଲା। ଏହି ସର୍ଭେ ଅନୁଯାୟୀ ମହିଳାମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ଭାରତରେ ସ୍ଥିତି ବିପର୍ଯ୍ୟସ୍ତ। ଆଫଗାନିସ୍ତାନ, ସିରିଆ, ସୋମାଲିଆ ପରେ ଭାରତର ସ୍ଥାନ ରହିଛି। ଲିଙ୍ଗଗତ ବିଭେଦରେ ଆଫଗାନିସ୍ତାନ, ସାଉଦି ଆରବ ପରେ ତୃତୀୟ ସ୍ଥାନରେ ରହିଛି। ମାନବ ଚାଲାଣ କ୍ଷେତ୍ରରେ ମଧ୍ୟ ଭାରତ ଲିବିୟା, ମିୟାମାର, ନାଇଜେରିଆ, ରୁଷିଆ ପରେ ସ୍ଥାନିତ ହୋଇଛି। ନିର୍ଭୟା କାଣ୍ଡ ପରେ ମଧ୍ୟ ଭାରତରେ ସେମିତି କିଛି ଆଖିଦୃଶିଆ ପରିବର୍ତ୍ତନ ଆସିନାହିଁ। ଭାରତରେ ସାମ୍ନାକୁ ଆସୁଥିବା ମହିଳାମାନଙ୍କର ବିରୋଧରେ ଅତ୍ୟାଚାର ମାମଲାଗୁଡ଼ିକୁ ବିଚାରକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି।

Comments (0)
Add Comment