ଜଷ୍ଟିସ୍ ରଞ୍ଜନ ଗୋଗୋଇ ପରବର୍ତ୍ତୀ ସିଜେଆଇ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ) ହେବେ । ସେ ଅକ୍ଟୋବର ୩ରେ ଏହି ଦାୟିତ୍ୱ ଗ୍ରହଣ କରିବେ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରକୁ ଉଦ୍ଧାର କରି ଏନ୍ଡି ଟିଭି ଦର୍ଶାଇଛି । ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ସର୍ବୋଚ୍ଚ ଅଦାଲତର ପରମ୍ପରା ଅନୁଯାୟୀ ଖୁବ୍ଶୀଘ୍ର ଜଷ୍ଟିସ୍ ଗୋଗୋଇଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ବାଛିବେ । ଜଷ୍ଟିସ୍ ଗୋଗୋଇ ପ୍ରଧାନ ବିଚାରପତି ପଦରେ ଆସନ୍ତା ବର୍ଷ ନଭେମ୍ବର ୧୭ ପର୍ଯ୍ୟନ୍ତ ରହିବେ । କିଛି ଦିନ ତଳେ ଆଇନ ମନ୍ତ୍ରଣାଳୟ ପ୍ରଧାନ ବିଚାରପତି ଜଷ୍ଟିସ୍ ମିଶ୍ରଙ୍କୁ ତାଙ୍କର ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିବାକୁ କହିଥିଲେ । ଏହି ସୁପାରିସ୍କୁ ଯଦି କେନ୍ଦ୍ର ସରକାର ଗ୍ରହଣ କରନ୍ତି, ଜଷ୍ଟିସ୍ ଗୋଗୋଇଙ୍କୁ ଆସନ୍ତା ଅକ୍ଟୋବର ୩ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନ ବିଚାରପତି ଭାବେ ଶପଥ ପାଠ କରାଇବେ ।

ଜଷ୍ଟିସ୍ ମିଶ୍ର ଆସନ୍ତା ଅକ୍ଟୋବର ୨ରେ ଅବସର ନେବାକୁ ଯାଉଛନ୍ତି । ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଯୋଗୁଁ ଛୁଟି ଥିବାରୁ ଅକ୍ଟୋବର ୧ ତାଙ୍କର ଶେଷ କାର୍ଯ୍ୟଦିବସ ହେବ । ତେଣୁ ଏହାର ଏକ ମାସ ପୂର୍ବରୁ ପ୍ରଧାନ ବିଚାରପତିଙ୍କୁ ତାଙ୍କର ଉତ୍ତରାଧିକାରୀ ବାଛିବାକୁ ଥିବାରୁ ସେ ଜଷ୍ଟିସ୍ ଗୋଗୋଇଙ୍କ ନାମ ସୁପାରିସ କରିଛନ୍ତି । ଜଷ୍ଟିସ୍ ଗୋଗୋଇ ୨୦୧୨ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ । ୧୯୫୪ରେ ଜନ୍ମିତ ଜଷ୍ଟିସ୍ ଗୋଗୋଇ ୧୯୭୮ରେ ବାର୍ରେ ଯୋଗ ଦେଇଥିଲେ । ଏହାପରେ ୨୦୦୧ ଫେବୃଆରୀ ୨୮ରେ ତାଙ୍କୁ ଗୌହାଟୀ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ସେ ୨୦୧୦ ସେପ୍ଟେମ୍ବରରେ ପଞ୍ଜାବ ଓ ହରିଆଣା ହାଇକୋର୍ଟକୁ ବଦଳି ହୋଇଥିଲେ । ୨୦୧୧ ଫେବୃଆରୀରେ ସେ ଏହି ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ ।

Comments (0)
Add Comment