କଟକ : ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଆଜିଠାରୁ ଦାୟିତ୍ବ ଗ୍ରହଣ କଲେ ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜଷ୍ଟିସ୍ ଜାଭେରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୁଖ୍ୟ ବିଚାରପତିଙ୍କ ଶପଥ ସମାରୋହ ପାଇଁ ହାଇକୋର୍ଟ ପରିସରରେ ବିଶେଷ ଆୟୋଜନ କରାଯାଇଥିଲା । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ହାଇକୋର୍ଟର ସମସ୍ତ ବିଚାରପତି ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।
ଓଡ଼ିଶା ହାଇକୋର୍ଟର ୩୦ ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ଶପଥ ପାଠ କରାଇଛନ୍ତି । ଅପରାହ୍ନ ୪ ଟାରେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ଉତ୍ସବ । ହାଇକୋର୍ଟ ପରିସରରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଆଇନମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ ଏବଂ ହାଇକୋର୍ଟର ସମସ୍ତ ବିଚାରପତି ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।
ନିକଟରେ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ବୀନିତ ଶରଣ ପଦୋନ୍ନତି ପାଇ ସୁପ୍ରିମକୋର୍ଟର ବିଚାରପତି ନିଯୁକ୍ତ ହୋଇଛନ୍ତି । ତାଙ୍କ ସ୍ଥାନରେ ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି । ୧୯୫୮ ଜାନୁୟାରୀ ୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଜାଭେରୀ ବିଜ୍ଞାନରେ ସ୍ନାତକ ପରେ ଏଲଏଲବି ଶେଷ କରିଛନ୍ତି । ୧୯୮୩ରୁ ସେ ଗୁଜୁରାଟ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ ସେ । ୧୯୮୪ରେ ସେ ଗୁଜୁରାଟ ହାଇକୋର୍ଟ ଓକିଲ ସଂଘର ଯୁଗ୍ମ ସମ୍ପାଦକ ନିର୍ବାଚିତ ହୋଇଥିଲେ । ୨୦୦୪ ମାର୍ଚ୍ଚ ୭ ତାରିଖରେ ତାଙ୍କୁ ଗୁଜୁରାଟ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ଆଉ ୨୦୦୫ ଜୁନ୍ ୨୨ରେ ସ୍ଥାୟୀ ବିଚାରପତି ହୋଇଥିଲେ । ୨୦୧୬ ରେ ତାଙ୍କର ରାଜସ୍ଥାନ ହାଇକୋର୍ଟକୁ ବଦଳି ହୋଇଥିଲା । ସେବେଠାରୁ ଜଣେ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ ତୁଲାଉଥିବା ଜଷ୍ଟିସ ଜାଭେରୀ ଆଜିଠାରୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଛନ୍ତି ।
ଜଷ୍ଟିସ ଜାଭେରୀ, ଭାରତ ସ୍କଉଟ ଆଣ୍ତ ଗାଇଡ୍ ସଂସ୍ଥାର ସଦସ୍ୟ ଭାବେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି ।