ପିପିଲି: ବଳଙ୍ଗା ଥାନା ଅନ୍ତର୍ଗତ ବାଲିଆ ଶାସନ ଗ୍ରାମରେ ଗତ ୩ମାସ ତଳର ଏକ ଅପହରଣ ମାମଲା ନାଟକୀୟ ଢ଼ଙ୍ଗରେ ଭିନ୍ନ ମୋଡ଼ ନେଇଛି । ଫେରାର ପ୍ରେମୀଯୁଗଳ ମନ୍ଦିରରେ ବିବାହ କରି ନିଜ ଘରେ ପତିପତ୍ନୀ ଭାବେ ଚଳୁଥିବା ବେଳେ ଅପହରଣ ମାମଲା ଫାଇଲ୍କୁ ପୁନଃ ଖୋଲି ବଳଙ୍ଗା ପୁଲିସ ଆଜି ଉକ୍ତ ନାବାଳିକା ବଧୂକୁ ତାର ଶାଶୁଘରୁ ଉଠାଇ ଆଣି ଡାକ୍ତରୀମାଇନା କରି ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ ପାଇଁ ରଖିଛି ।
ପ୍ରକାଶ ଯେ, ଗତ ୩ମାସ ତଳେ ବାଲିଆ ଶାସନ ଗ୍ରାମର ଦିବାକର ପ୍ରଧାନ ନିଜ ଝିଅକୁ ନାବାଳିକା ଦର୍ଶାଇ ବଳଙ୍ଗା ଥାନାରେ ଅପହରଣ ଅଭିଯୋଗ କରିଥିଲେ । ତେବେ ପରମୁହୂର୍ତ୍ତରେ ଉଭୟ ପକ୍ଷଙ୍କ ମଧ୍ୟରେ ମିଳାମିଶା ହୋଇ ଫେରାର ପ୍ରେମୀଯୁଗଳଙ୍କ ଏକ ମନ୍ଦିରରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ବିବାହ ସମୟରେ ଦିବାକର ପ୍ରଧାନଙ୍କୁ ସେହି ଗ୍ରାମର ପ୍ରମୋଦ ଦାଶ ସହଯୋଗ କରୁଥିବା ବେଳେ ପରେ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଫଳରେ ଦିବାକରଙ୍କ ସମୁଦି ବାବୁଲି ବାରିକଙ୍କ ପରିବାର ପ୍ରମୋଦଙ୍କ ଉପରେ ଆକ୍ରୋଶ ରଖି ଗତକାଲି ପ୍ରମୋଦ ପିପିଲିରୁ ଫେରିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ଓ ହାତାହାତି ହେବା ନେଇ ପ୍ରମୋଦ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଅପହରଣ ମାମଲା ଫାଇଲକୁ ଖୋଲିଥିଲା । ଯେ ହେତୁ ଦିବାକର ପ୍ରଧାନ ସେତେବେଳେ ନିଜ ଝିଅକୁ ନାବାଳିକା ଦର୍ଶାଇ ଅପହରଣ ଅଭିଯୋଗ କରିଥିଲା ସେହି ଅଭିଯୋଗକୁ ଆଧାର କରି ପୁଲିସ ଆଜି ଉକ୍ତ ନବବଧୁକୁ ଆଣି ଅପହରଣ ଅଭିଯୋଗର ତଦନ୍ତ ଆରମ୍ଭ କରିଛି ।
ଡାକ୍ତରୀମାଇନା ପରେ ମାଜିଷ୍ଟ୍ରେଟଙ୍କ ନିକଟରେ ୧୬୪ ଧାରାରେ ବୟାନ ରେକର୍ଡ ପାଇଁ ନବବଧୂକୁ ପୁରୀସ୍ଥିତ ବିଜୟା ସ୍ୱଧାରା ଗୃହରେ ରଖିଛି । ଶନିବାର ତାର ବୟାନ ରେକର୍ଡ କରାଯିବାର ଅଛି । ଯାହା ଫଳରେ ଏହି ଘଟଣା ଏବେ ଏକ ଗୋଲକ ଧନ୍ଦାରେ ପରିଣତ ହେବାକୁ ଯାଉଛି ।