ଚିକିତ୍ସାଳୟରେ ପଶି ୧୦ଜଣଙ୍କୁ ଇଞ୍ଜେକସନ୍‌ ଦେବା ଘଟଣା : ଧରାପଡିଲେ ମହିଳା

ସମ୍ବଲପୁର : ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟର ପୁରୁଷ ମେଡିସିନ୍‌ରେ ପଶି,ସନ୍ଦିଗ୍ଧ ମହିଳା ୧୦ଜଣଙ୍କୁ ଇଞ୍ଜେକସନ୍‌ ଓ ସାଲାଇନ୍‌ ଦେବା ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍‌ । ଏହି ମାମଲାରେ ସିସିଟିଭି ଫୁଟେଜ୍‌ ଆଧାରରେ, ସଂପୃକ୍ତ ମହିଳାଙ୍କୁ ତାଙ୍କ ଘରୁ ଉଠାଇ ଆଣିଛି ପୋଲିସ୍‌ । ମହିଳାଙ୍କୁ ଟାଉନ୍‌ଥାନାରେ ଅଟକ ରଖାଯାଇଥିବା ବେଳେ, ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ବହିଷ୍କାର ଓ ଦାୟୀତ୍ବରେ ଥିବା ନର୍ସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ଧରାପଡିଲେ ରହସ୍ୟମୟୀ ମହିଳା । ସମ୍ବଲପୁର ଏନ୍‌.ଗୁହା ଲେନ୍‌ ଘରୁ ଲିଲି ଜାଲ୍ଙ୍କୁ ଉଠାଇଆଣିଲା ପୋଲିସ । ନା ଥିଲେ ସେ ନର୍ସ ନା ଥିଲେ ଡାକ୍ତର । ହେଲେ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ ପୁରୁଷ ମେଡିସିନ୍‌ ୱାର୍ଡରେ ପଶି ଏହି ମହିଳା ୧୦ ଜଣଙ୍କୁ ଇଞ୍ଜେକସନ୍‌ ଓ ସାଲାଇନ୍‌ ଲଗାଇଥିଲେ । ଗତକାଲି ଏହି ଘଟଣା ପ୍ରଚାର ହେବା ପରେ ଆରମ୍ଭ ହୋଇଥିଲା ଖୋଳତାଡ । ସିଡିଏମ୍‌ଓ ଓ ସଦର ଏସ୍‌ଡିପିଓ ମାମଲାର ତଦନ୍ତ ଆରମ୍ଭ କରିଥିଲେ । ସଂପୃକ୍ତ ମହିଳାଙ୍କୁ ଅଟକ ରଖାଯାଇଛି । ତେବେ ସେ ରାତି  ଅଧରେ କାହିଁକି, ଡାକ୍ତରଖାନାର ପଶି ରୋଗୀଙ୍କୁ ଇଞ୍ଜେକସନ୍‌ ଦେଲେ ତାହା ସ୍ପଷ୍ଟ କରିପାରିନି ପୋଲିସ । ସେପଟେ ଉପର ଠାଉରିଆ ଭାବେ ତଦନ୍ତ କରି ମାମଲାକୁ ଚପାଇ ଦେବାକୁ ପୋଲିସ ଉଦ୍ୟମ କରୁଥିବା ଜିଲ୍ଲା ବିଜେପି ମହିଳା  ମୋର୍ଚ୍ଚା  ଅଭିଯୋଗ କରିଛି । ଘଟଣାର ନିରପେକ୍ଷ ତଦନ୍ତ ସହ ସିଡିଏମ୍‌ଓ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି 

ସିଡିଏମ୍‌ଓ କେବଳ ଦାୟିତ୍ବରେ ଥିବା ନର୍ସ ଓ ସୁରକ୍ଷାକର୍ମୀଙ୍କୁ ନିଲମ୍ବନ ଓ ବହିଷ୍କାର କରି ନିଜ ଦାୟୀତ୍ବ ସାରିଦେଇଛନ୍ତି। ଜିଲ୍ଲାପାଳ ମଧ୍ୟ ଏହି ଘଟଣାରେ ନିଜର ଅସହାୟତା ପ୍ରକାଶ କରିବା ସହ, ଆସନ୍ତା ଦିନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି ପ୍ରତିଶୃତି ଦେଇ ଚୁପ୍ ବସିଛନ୍ତି ।

 ଏହି ଚିକିତ୍ସାଳୟରେ ପୁର୍ବରୁ ସ୍ତ୍ରୀ ଓ ପ୍ରସୂତୀ ୱାର୍ଡ ଭିତରୁ ଛୁଆଚୋରୀ, ରୋଗୀଙ୍କ ସଂପର୍କୀୟ ନାବାଳିକାକୁ ସୁରକ୍ଷାକର୍ମୀଙ୍କ ବଳାତ୍କାର ଉଦ୍ୟମ, ନକଲି ଡାକ୍ତର ରୋଗୀଙ୍କୁ ଲୁଟ୍‌ କରିବା ଭଳି ଘଟଣା ଘଟିଛି । ଯାହାର ଏଯାଏଁ ତଦନ୍ତ ସରିନି । ଆଉ ଏବେ ଏହି ଘଟଣା ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଯାହାକୁ ନେଇ ସହରର ଘୋର ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି ।.

Comments (0)
Add Comment