ପ୍ରେମ ପାଇଁ କଙ୍ଗାରୁ କୋର୍ଟରେ ଲଙ୍ଗଳା ହେଲେ ପ୍ରେମିକ,ଭିଡିଓ ଭାଇରାଲ

ପଟ୍ଟାମୁଣ୍ଡାଇ : ପ୍ରେମ କରିବାରୁ ପ୍ରେମିକୁକୁ ଉଲଗ୍ନ କରି ମାଡ । ଆଉ ଏହି ଘଟଣାର ଭିଡିଓ ବି କରାଯାଇଛି ଭାଇରାଲ୍ । ଘଟଣାରେ ସ୍ଥାନୀୟ ସରପଞ୍ଚଙ୍କ ହାତ ଥିବା ଅଭିଯୋଗ କରି ତାଙ୍କୁ ଗିରଫ କରିବା ଦାବିରେ ଲୋକେ ଟାୟାରଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଭଲ ପାଇବାର ଏ ହେଉଛି ପରିଣତି । ପ୍ରେମିକକୁ ଉଲଗ୍ନ କରି ମରାଯାଉଛି ମାଡ । ତାଙ୍କୁ ଭୁଲ ମାଗିବା ପାଇଁ ବାଧ୍ୟ କରାଯିବା ସହ ଝିଅ କିଡ୍‌ନାପ କରିଥିବା କହିବାକୁ ବାଧ୍ୟ କରାଯାଉଛି ଶେଷରେ ଏହି ଭିଡିଓ କରାଯାଇଛି ଭାଇରାଲ୍‌ ।କେବଳ ସେତିକି ନୁହେଁ ଗାଁରେ କଙ୍ଗାରୁ କୋର୍ଟ ବସାଯାଇ ପ୍ରେମିକର ବାପାଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ଆଉ ଏଥିରେ ସ୍ଥାନୀୟ ଅଞ୍ଚଳର ସରପଞ୍ଚ ସଂପୃକ୍ତ ଥିବା ଆସିଛି ସାଂଘାତିକ ଅଭିଯୋଗ । ଏହି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ରାଜନଗର ତାଳଚୁଆ ଗାଁରେ । ଯୁବକ ଜଣଙ୍କ ସେହି ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ହେଲେ ଏଥିରେ ବାଧକ ସାଜିଥିଲେ ଯୁବତୀଙ୍କ ପରିବାର ।ଦୁଇ ପ୍ରେମୀ ୪ ଦିନ ତଳେ ଘରୁ ଲୁଚି ଭୁବନେଶ୍ବର ପଳାଇଥିଲେ । ପ୍ରେମିକାର ଘର ଲୋକେ ଉଭୟଙ୍କୁ ଖୋଜି ସେଠାରୁ ଧରି ଗାଁକୁ ଆଣିଥିଲେ ।ଗତକାଲି ସେହି ଯୁବକଙ୍କୁ ପଞ୍ଚାୟତ ଘରେ ପୁରାଇ ଗାଁର କିଛି ମୁଷ୍ଟିମେୟ ବ୍ୟକ୍ତି ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ କଙ୍ଗାରୁ କୋର୍ଟ ବସାଇଥିଲେ । ପ୍ରେମିକକୁ ଦୋଷୀ କରାଇବା ସହ ତାଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଜରିମାନା କରିଥିଲେ । ଯୁବକଙ୍କ ବାପା ୫୦ ହଜାର ଟଙ୍କା ଦେଇଥିଲେ । ଆଉ ଟଙ୍କା ଦେବାରେ ଅସମର୍ଥ ପ୍ରକାଶ କରିବାରୁ ଯୁବକଙ୍କୁ ପଞ୍ଚାୟତ ଘରେ ପୁରାଇ ଉଲଗ୍ନ କରିବା ସହିତ କାଠ ଫାଳିଆରେ ନିର୍ଧୁମ ମାଡ ମାରିଥିବା ଅଭିଯୋଗ ହୋଇଛି ।

ଏ ସବୁ ଘଟଣାର ଭିଜୁଆଲ୍‌କୁ କିଛି ଯୁବକ ଆଜି ସକାଳୁ ଭାଇରାଲ୍ କରିଛନ୍ତି । ସେପଟେ ଯୁବକ ଜଣଙ୍କ ମାଡ ଖାଇବା ଯୋଗୁଁ ଗୁରୁତର ହୋଇପଡିଛନ୍ତି । ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯୁବକଙ୍କ ଭାଇ ସ୍ଥାନୀୟ ତାଳଚୁଆ ସରପଞ୍ଚଙ୍କ ନାଁରେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଜନଗର ପୋଲିସ ଘଟଣାର ତଦନ୍ତ କରୁଛି । ଜଣେ ଲୋକ ପ୍ରତିନିଧିଙ୍କ ପ୍ରରୋଚନାରେ ଏଭଳି କାଣ୍ଡ ଘଟିଥିବା ଅଭିଯୋଗ ପରେ ଲୋକେ ତାତିଛନ୍ତି । ଟାୟାର ଜାଳି ସରପଞ୍ଚଙ୍କ ଗିରଫ ଦାବି କରିଛନ୍ତି ।

ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ଘଟଣାରେ ଜଡିତ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

Comments (0)
Add Comment