ଭୁବନେଶ୍ୱର : ମୁମ୍ବାଇରେ ସରିଲା ମେକଇନ ଓଡିଶାର ରୋଡ ଶୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରୋଡ ଶୋରେ ଯୋଗ ଦେଇ ଶିଳ୍ପପତିଙ୍କୁ ଓଡିଶାରେ ପୁଞ୍ଜି ନିବେଶ ଲାଗି ଆହ୍ୱାନ ଦେଇଛନ୍ତି । ରାଜ୍ୟରେ ଶିଳ୍ପପତିଙ୍କୁ ସବୁ ପ୍ରକାର ସୁବିଧା ଦେବାକୁ ନିର୍ଭର ପ୍ରତିଶୃତି ଦେଇଛନ୍ତି ନୁଖ୍ୟମନ୍ତ୍ରୀ । ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର ଅପ୍ କମର୍ସ ଓ ଇଣ୍ଡଷ୍ଟ୍ରି(ଫିକି)ର ମିଳିତ ସହଯୋଗରେ ଏହା ଅନୁଷ୍ଠିତ ହୋଇଛି । ଏହି ରୋଡ୍ ଶୋ ବେଶ୍ ସଫଳ ହୋଇଥିବାବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଶିଲ୍ପପତିଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି । ବିଭିନ୍ନ ଶିଳ୍ପ ସଂସ୍ଥା ପ୍ରତିନିଧିଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ସିଏମ୍ଡି ମୁକେଶ ଅମ୍ବାନୀ, ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା, ଗୋଦରେଜ୍ ଗ୍ରୁପ୍ ଅଧ୍ୟକ୍ଷ ଆଦି ଗୋଦରେଜ୍, ରେମଣ୍ଡ ଗ୍ରୁପ୍ ସିଏମ୍ଡି ଗୌତମ ସିଂଘାଣିଆ, ଫ୍ୟୁଚର ଗ୍ରୁପ୍ ସିଇଓ ତଥା ପ୍ରତିଷ୍ଠାତା କିଶୋର ବିୟାନୀ ପ୍ରମୁଖ ଏଥିରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ କମ୍ପାନୀ ଯୋଗଦେଇ ଓଡ଼ିଶାର ଫୋକସ୍ ସେକ୍ଟରରେ ନିବେଶ ପାଇଁ ସକାରାତ୍ମକ ମତପୋଷଣ କରିଛନ୍ତି । ବିଭିନ୍ନ ଫୋକସ୍ ସେକ୍ଟର ମଧ୍ୟରେ ଖାଦ୍ୟ ପ୍ରକିୟାକରଣ ଏବଂ ସମୁଦ୍ରଜାତ ଖାଦ୍ୟ, ଧାତୁ ସେକ୍ଟରର ଆନସିଲିଆରି ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ, ବୟନ ଶିଳ୍ପ, ଇଏସଡିଏମ୍ ମ୍ୟାନୁଫାକଚରିଂ, କେମିକାଲ୍ସ୍, ପ୍ଲାଷ୍ଟିକ୍ ଏବଂ ପେଟ୍ରୋକେମିକାଲ୍ସ୍ ତଥା ପର୍ଯ୍ୟଟନ ଆଦି ସେକ୍ଟରରେ ନିବେଶ ପାଇଁ ବିସ୍ତୃତ ଆଲୋଚନା ହୋଇଛି । ଏହି ରୋଡ୍ ଶୋ ଅବସରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୨୦୧୮ ଅନ୍ତର୍ଗତ ‘ଆଇ ଆମ୍ ଓଡ଼ିଶା’ ନାମକ ଏକ ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ‘ଆଇ ଆମ୍ ଓଡ଼ିଶା’ ରାଜ୍ୟରେ ସଫଳତା ହାସଲ କରିଥିବା ଶିଳ୍ପ ସଂସ୍ଥାଙ୍କ ପାଇଁ ଉପଯୋଗୀ ପ୍ଳାଟଫର୍ମ ଭାବେ କାର୍ଯ୍ୟ କରିଥିଲା । ସେମାନଙ୍କର ସଫଳତା କାହାଣୀ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ‘ପୂର୍ବ ଭାରତରେ ଏକ ମ୍ୟାନୁଫାକଚରିଂ ହବ୍ ଭାବେ ଓଡ଼ିଶା ବିକାଶ ଧାରା ଜାରି ରଖିଥିବାରୁ ମୁଁ ବେଶ୍ ଆନନ୍ଦିତ । ରାଜ୍ୟର ବିକାଶ ପାଇଁ ମୋ ସରକାର ନିରନ୍ତର ପ୍ରୟାସ ଜାରି ରଖିଛି । ଏହା ସହିତ ରାଜ୍ୟକୁ ଦକ୍ଷିଣ ଏସିଆର ଏକ ମ୍ୟାନୁଫାକଚରିଂ ହବ୍ ଭାବେ ପ୍ରତିଷ୍ଠିତ କରିବା ଲାଗି ଉଦ୍ୟମ କରାଯାଉଛି । ଏହା ଦ୍ୱାରା ରାଜ୍ୟରେ ଶିଳ୍ପର ବିକାଶ ଋଦ୍ଧିମନ୍ତ ହୋଇ ପାରିଛି । ଗତ ୪ ବର୍ଷ ମଧ୍ୟରେ ରାଜ୍ୟରେ ୧୧୮ରୁ ଅଧିକ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ଏହା ଦ୍ୱାରା ୧,୨୮,୫୭୨ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବାର ଆଶା ରହିଛି । ଆବେଦନ ଦାଖଲର ହାରାହାରି ୨୦ ଦିନ ମଧ୍ୟରେ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯାଇପାରିଛି । ଓଡ଼ିଶାରେ ନିବେଶ ପାଇଁ ଆମେ ନିବେଶକମାନଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ହାସଲ କରିପାରିଛୁ । ୨୦୧୮ ନଭେମ୍ବରରେ ଭୁବନେଶ୍ୱରରେ ହେବାକୁଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ରେ ନିବେଶକଙ୍କୁ ଅତୁଳନୀୟ ସହାୟତା ପାଇଁ ବ୍ୟକ୍ତିଗତ ଭାବେ ନିର୍ଭର ପ୍ରତିଶ୍ରୁତି ଦେବା ସହିତ ସେମାନଙ୍କୁ ନିମନ୍ତ୍ରଣ ଜଣାଉଛି ।’ ନିବେଶକଙ୍କ ସହିତ ଆଲୋଚନା ସମୟରେ ରାଜ୍ୟରେ ଯୋଜନାବଦ୍ଧ ନିବେଶର ସକାରାତ୍ମକ ପ୍ରଭାବ, ବ୍ୟବସାୟ ଆରମ୍ଭ ପାଇଁ କମ୍ ପରିମାଣ ନିବେଶ, ନିର୍ଦ୍ଦିଷ୍ଟ ସେକ୍ଟର ଉପଯୋଗୀ କ୍ଷେତ୍ର ତଥା ଶିଳ୍ପ ବିକାଶ ପାଇଁ ୧,୨୫,୦୦୦ ଏକର ଲ୍ୟାଣ୍ଡ୍ ବ୍ୟାଙ୍କ ଥିବା ସମ୍ପର୍କରେ ଅବଗତ କରାଯାଇଥିଲା । ଏହି ଅବସରରେ କଳିଙ୍ଗନଗର ଇଣ୍ଡଷ୍ଟ୍ରିଆଲ ଇନଫ୍ରାଷ୍ଟକଚର ନ୍ୟାସନାଲ ମାନ୍ୟୁଫାକଚରିଂ ଜୋନ୍(ଏନଆଇଏମଜେଡ୍) ଖୋର୍ଦ୍ଧା ଓ ଛତାବର ଖାଦ୍ୟ ପ୍ରକ୍ରିୟାକରଣ ପାର୍କ, ରାମଦାସପୁର ଏବଂ ଧାମନଗରଠାରେ ଥିବା ଟେକ୍ସଟାଇଲ୍ସ୍ ତଥା ଆପାରେଲ ପାର୍କ, ଅନୁଗୁଳର ଅଲୁମିନିୟମ୍ ପାର୍କ ଏବଂ ପାରାଦ୍ୱୀପର ପ୍ଲାଷ୍ଟିକ୍ ପାର୍କର ପ୍ରତିନିଧି ଉପସ୍ଥିତ ଥିଲେ । ରାଜ୍ୟରେ ଅଧିକ ନିବେଶ ପାଇଁ ଏହି ଅବସରରେ ପ୍ରୟାସ କରାଯାଇଥିଲା । ୨୦୧୬ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ପରେ ୨୦୧୭ ନଭେମ୍ବରରେ ହୋଇଥିବା ସମ୍ମିଳନୀରେ ୧୫ ମାନ୍ୟୁଫାକଚରିଂ ୟୁନିଟ୍ ୧୧,୬୯୦ କୋଟି ଟଙ୍କାର ନିବେଶ କରିଥିବା ବେଳେ ୮,୧୮୭ ନିୟୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଥିଲା । ସେହିପରି ୨୦୧୮ ଜୁନ୍ରେ ୭ଟି ମାନ୍ୟୁଫାକଚରିଂ ୟୁନିଟ୍ ଏବଂ ୧୨ଟି ସହଯୋଗୀ ୟୁନିଟ୍ ସକାରାତ୍ମକ ମନୋଭାବ ପ୍ରକାଶ କରିଥିବାବେଳେ ୨,୬୭୫ କୋଟି ଟଙ୍କାର ନିବେଶ କରିବାକୁ ସହମତି ଦେଇଛନ୍ତି । ଏହାଦ୍ୱାରା ୮,୯୫୩ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଭୁବନେଶ୍ୱରରେ ନଭେମ୍ବର ୧୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆୟୋଜିତ ନିବେଶକଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ବିସ୍ତୀର୍ଣ୍ଣ ବେଳାଭୂମି, ପ୍ରଚୁର ଖଣିଜ ସଂପଦ, ଅବିଚ୍ଛନ୍ନ ବିଦ୍ୟୁତ ଓ ଜଳ ଯୋଗାଣ ସୁବିଧା ରହିଛି । ତତ ସହିତ ଓଡ଼ିଶାରେ ତାଲିମପ୍ରାପ୍ତ ଯୁବ ଗୋଷ୍ଠୀ ଏବଂ ଏକ ସହଯୋଗୀ ଓ ଫଳକାମୀ ସରକାର ରହିଛି । ସେ କହିଛନ୍ତି ଯେ ପାରାଦୀପ ହେଉଛି ଦେଶର ଅନ୍ୟତମ ବୃହତ୍ତମ ବନ୍ଦର । ଏହା ଦ୍ରୁତ ଗତିରେ ବିକାଶ କରୁଛି । ସେହିପରି ଧାମରା ବନ୍ଦର ମଧ୍ୟ ଦ୍ରୁତଗତିରେ ବିକାଶ କରୁଛି । ସେଠାରେ ଅନେକ ମାନୁଫାକଚରିଂ କାରଖାନା ଗଢ଼ି ଉଠିବାର ସମ୍ଭାବନା ସୃଷ୍ଟି ହୋଇଛି । ଏଇ ନିକଟରେ ରାଜ୍ୟ ସରକାର କେନ୍ଦ୍ରାପଡ଼ାର ମହାନଦୀ ମୁହାଁଣରେ ଏକ ନଦୀଭିତ୍ତିକ ବନ୍ଦର ବିକାଶ କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ଏହା ବ୍ୟତିତ ଉପକୂଳରେ ରାଜ୍ୟ ସରକାର ୧୨ଟି କ୍ଷୁଦ୍ର ବନ୍ଦରର ବିକାଶ କରାଇବାକୁ ମଧ୍ୟ ଉଦ୍ୟମ ଚଳାଇଛନ୍ତି । ଏହି ପ୍ରସ୍ତାବିତ ବନ୍ଦରରେ ବାର୍ଷିକ ୪୫ ନିୟୁତ ଟନ୍ର ମାଲ କାରବାର ହୋଇପାରିବ । ପୂର୍ବତଟ ଆର୍ଥନୀତିକ କରିଡରରେ ବହୁ ଶିଳ୍ପ ଓ ବ୍ୟବସାୟ ପାଇଁ ସୁଯୋଗ ରହିଛି ବୋଲି ସେ କହିଥିଲେ । ରାଜ୍ୟରେ ଦକ୍ଷ କର୍ମବଳ ସୃଷ୍ଟି କରିବା ନିମନ୍ତେ ରାଜ୍ୟ ସରକାର ସ୍କିଲ୍ଡ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ରାଜଧାନୀରେ ଏକ ୧୬ ମହଲା ବିଶିଷ୍ଟ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି । ଯୁବପିଢ଼ିର ଦକ୍ଷତା ବୃଦ୍ଧି ପାଇଁ ଶାରୀରିକ, ଡିଜିଟାଲ ଓ ବୌଦ୍ଧିକ ଭିତ୍ତିଭୂମିର ବିକାଶ କରିବାକୁ ସରକାର ସବୁ ପ୍ରକାଣ ଉଦ୍ୟମ ଚଳାଇଛନ୍ତି । ସେହିପରି ରାଜ୍ୟରେ ଷ୍ଟାର୍ଟ ଅପ୍ କାର୍ଯ୍ୟକ୍ରମର ସଫଳତା ନେଇ ସେ କହିଛନ୍ତି ଯେ ଷ୍ଟାର୍ଟ ଅପ୍ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହେବାର ମାତ୍ର କେଇ ମାସ ଭିତରେ ୨୫୦ ଷ୍ଟାର୍ଟ ଅପ୍ ସଂସ୍ଥା ପଂଜୀକୃତ ହୋଇଛନ୍ତି । ୨୦୨୦ ସୁଦ୍ଧା ଓଡ଼ିଶା ଦେଶର ପ୍ରମୁଖ ତିନିଟି ଷ୍ଟାର୍ଟ ଅପ୍ ହବ୍ ମଧ୍ୟରେ ଗଣାଯିବ । ସେ କହିଥିଲେ ଯେ ନିକଟରେ ଏକ ଅନ୍ତର୍ଜାତୀୟ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟରେ ଭୁବନେଶ୍ୱରକୁ ବିଶ୍ୱର ପ୍ରଥମ ୫୦ ସ୍ମାର୍ଟ ସିଟି ତାଲିକାରେ ସ୍ଥାନ ମିଳିଥିଲା । ସେହିପରି ୨୦୧୬ ମସିହାରେ ଭାରତ ସରକାର ଭୁବନେଶ୍ୱରକୁ ଦେଶର ଏକ ନମ୍ବର ସ୍ମାର୍ଟ ସିଟି ପ୍ରକଳ୍ପ ଭାବେ ଗ୍ରହଣ କରିଥିଲେ । ଏହି ପୃଷ୍ଠଭୂମିରେ ପୁଂଜିନିବେଶ ପାଇଁ ଓଡ଼ିଶାରେ ପ୍ରଚୁର ସୁଯୋଗ ଓ ବାତାବରଣ ରହିଛି । ଆସନ୍ତା ନଭେମ୍ବର ୧୧-୧୫ ମଧ୍ୟରେ ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହେବ । ଏହାର ବିଷୟ ରହିଛି ଆଇ ଆମ୍ ଓଡ଼ିଶା । ଏହି କନକ୍ଲେଭ ଜରିଆରେ ରାଜ୍ୟରେ ବ୍ୟବସାୟ ନିମନ୍ତେ ଉପଯୁକ୍ତ ବାତାବରଣ ସୃଷ୍ଟି ହେବ । ଏହାର ସୁଯୋଗ ନେବାକୁ ସେ ନିବେଶକମାନଙ୍କୁ ଆହ୍ୱାନ ଦେଇଥିଲେ ।