ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା : ସାରଙ୍କ ଯୌନ ନିର୍ଯାତନାରେ ହାତକାଟି ଆତ୍ମହତ୍ୟା କରିଥିଲେ ଛାତ୍ରୀ

ମାଲକାନାଗିରି :  ମାଲକାନଗିରି ଶିଖାପାଲ୍ଲୀ ସେବାଶ୍ରମ ସ୍କୁଲର ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଆସିଛି ସାଂଘାତିକ ଟ୍ବିଷ୍ଟ।  ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଥିଲା।  ଛାତ୍ରୀଙ୍କ ଆତ୍ମହତ୍ୟା ପଛରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ସଂପର୍କିତ ଏକ ନୋଟ ପୋଲିସ ଜବତ କରିଛି। ଛାତ୍ରୀ ଜଣକ ତାଙ୍କ ଖାତାରେ ସ୍ବିସାଇଡ ନୋଟ ଲେଖିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ଯେ ସ୍କୁଲର ହେଡମାଷ୍ଟର ବିଶ୍ବଜିତ ସରକାର ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ।  ଏହାକୁ ଆଧାର କରି ପୋଲିସ ପ୍ରଧାନ ଶିକ୍ଷକ ବିଶ୍ବଜିତ ସରକାରଙ୍କୁ ଗିରଫ କରିଛି। ପୋଲିସ ଏ ବାବଦରେ ଅଧିକ ଛାନଭିନ କରିବା ପରେ ଆଉ ଜଣେ ଛାତ୍ରୀ ମଧ୍ୟ ସମାନ କଥା କହିଛନ୍ତି । ହେଡମାଷ୍ଟର ବିଶ୍ବଜିତ ସରକାର ତାଙ୍କୁ ମଧ୍ୟ ଯୌନ ନିର୍ଯାତନା ଦେଇଥିବା ସେ ବଖାଣିଛନ୍ତି । ପୋଲିସ ବିଶ୍ବଜିତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚୁରା କରିବ । ଗତ ଗୁରୁବାର ଦିନ ସେବାଶ୍ରମର ଜଣେ ୧୪ ବର୍ଷର ଛାତ୍ରୀ ଆତ୍ମହତ୍ୟା କରିଥିଲେ । ହାତର ଭେନ କାଟି ସେ ଆତ୍ମହତ୍ୟା କରିଥିବା ବେଳେ ଗତକାଲି ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

Comments (0)
Add Comment