କମିଲା ମାଟ୍ରିକ ପାସ ହାର :  ଦୋଷ ଲୁଚେଇଲେ ମନ୍ତ୍ରୀ, କହିଲେ କପି କରିବାର ସୁଯୋଗ ପାଇଲେନି ପରୀକ୍ଷାର୍ଥୀ

ଭୁବନେଶ୍ବର :  ଏବର୍ଷର ମାଟ୍ରିକ ଫଳ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇଛି । ଗୋଟିଏ ବର୍ଷ ଭିତରେ ପାସ ହାର ୧୦ପ୍ରତିଶତ କମିଯିବା ନେଇ ପ୍ରଶ୍ନ ଉଠିଛି, ଏଥିପାଇଁ ଦାୟୀ କିଏ । ମନ୍ତ୍ରୀ ସଫେଇ ଦେଇ କହିଛନ୍ତି, ଏବର୍ଷ ପରୀକ୍ଷା କେନ୍ଦ୍ର ବଦଳିଗଲା ପରୀକ୍ଷାର୍ଥୀ କପି କରିବାର ସୁଯୋଗ ପାଇଲେନି । ତେବେ ଏହି ମନ୍ତବ୍ୟ ପଛରେ ଆଉ କିଛି ତ୍ରୁଟି ଲୁଚି ଯାଉନି ତ । ଗତବର୍ଷ ମାଟ୍ରିକ ପାସ ହାର ଥିଲା ୮୬.୩୭ ପ୍ରତିଶତ, ହେଲେ ଏଥର ପାସ ହାର ୧୦ ପ୍ରତିଶତ ଖସି ୬୭.୨୩ପ୍ରତିଶତ ହୋଇଛି । ଏମିତି ରେଜଲ୍ଟ ନେଇ ସନ୍ଦେହ ଉପୁଜିବା ସ୍ବାଭାବିକ । କୋଉଠି ରହିଲା ଅସୁବିଧା । ତେବେ ଏସବୁ ପ୍ରଶ୍ନ ଆସିବା ଆଗରୁ ଗଣଶିକ୍ଷା ମନ୍ତ୍ରୀ ସଫେଇ ଦେଇଛନ୍ତି । କହିଛନ୍ତି, କୁଆଡେ ଗତ ବର୍ଷମାନଙ୍କରେ ନିଜ ସ୍କୁଲରେ ପରୀକ୍ଷା କେନ୍ଦ୍ର ହେଉଥିଲା । ତେଣୁ ଛାତ୍ରଛାତ୍ରୀ କପି କରିବାର ସୁଯୋଗ ପାଉଥିଲେ । ଏଥର ପରୀକ୍ଷା କେନ୍ଦ୍ର ବଦଳିଗଲା ଆଉ ସେ ସୁଯୋଗ ମିଳିଲାନି । ରେଜଲ୍ଟ କମିବାର କାରଣ ବତାଇବା ବଦଳରେ ରେଜଲ୍ଟ ବଢିବାର ରହସ୍ୟ ଖୋଲିଥିଲେ ବିଭାଗୀୟ ମନ୍ତ୍ରୀ ।

ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ଠିକ ହୋଇ ଥାଇପାରେ । ତେବେ ଶିକ୍ଷା ବିଭାଗର ତ୍ରୁଟି ଘୋଡାଇ ଦେବାକୁ ମନ୍ତ୍ରୀ ଏହି ଉତ୍ତର ରଖି ନାହାନ୍ତି ତ । ଏବର୍ଷ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ବର୍ଜନ କରି ଆନ୍ଦୋଳନକୁ ଓହ୍ଲାଇଥିଲା ଶିକ୍ଷକ ସଂଘ । ଶିକ୍ଷା ବିଭାଗର ତାଗିଦ ସତ୍ବେ ସହଯୋଗ କରିନଥିଲେ ଅନେକ ଶିକ୍ଷକ । ତେବେ ମୂଲ୍ୟାୟନ ଠିକ ହୋଇଥିବା ଶିକ୍ଷା ବିଭାଗ ଆଶ୍ବାସନା ଦେଇଥିଲା । ପ୍ରଶ୍ନ ଉଠୁଛି ବାଧା ବିଘ୍ନ ଭିତରେ ମୂଲ୍ୟାୟନ ଅଡୁଆ ହୋଇନି ତ । ଯାହାର ଶିକାର ହୋଇ ନାହାନ୍ତି ତ ହଜାର ହଜାର ଛାତ୍ରଛାତ୍ରୀ ।

କେବଳ ପାସ ହାର କମିନି । ଗତବର୍ଷ ୨୨ ଟି ସ୍କୁଲରେ ରେଜଲ୍ଟ ନିଲ୍ ହୋଇଥିବା ବେଳେ ଏବର୍ଷ ୩୬ ସ୍କୁଲରେ କେହି ପାସ କରିନାହାନ୍ତି । ସେହିପରି ଶତ ପ୍ରତିଶତ ରେଜଲ୍ଟ କରିଥିବା ସ୍କୁଲ ସଂଖ୍ୟା ମଧ୍ୟ କମିଛି । ଗତବର୍ଷ ଏହି ସଂଖ୍ୟା ୭୪୮ ଥିଲା । ଏବର୍ଷ ଏ ସଂଖ୍ୟା ୪୨୯କୁ ଖସିଆସିଛି । ଏମିତି ସ୍ଥିତିରେ କାହାକୁ ଦାୟୀ କରିବା- ଶିକ୍ଷା ବ୍ୟବସ୍ଥାକୁ, ଶିକ୍ଷାର ମାନକୁ, ସ୍କୁଲର ଭିତ୍ତିଭୂମିକୁ, ପାଠ୍ୟକ୍ରମକୁ ନା ଶିକ୍ଷକଙ୍କୁ । ତେବେ ସ୍କୁଲରେ ରେଜଲ୍ଟ ନିଲ୍‌ ହେବା ପାଇଁ ଶିକ୍ଷକଙ୍କୁ ଦାୟୀ କରିଛନ୍ତି ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର  । ପୁଣି ଆଗକୁ ଆକସନ୍‌ ହେବ ବୋଲି ବି ଶୁଣାଇ ଦେଇଛନ୍ତି ।

ମାଟ୍ରିକ ଫଳ ରାଜ୍ୟର ଶିକ୍ଷା ବ୍ୟବସ୍ଥା ପ୍ରତି ଅନେକପ୍ରଶ୍ନ ଛିଡା କରିଛି । ଏଥର ପାସ କରିଥିବା ୪ଲକ୍ଷ ୩୮ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଭିତରୁ ୯୦ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ମାତ୍ର ୧୭୧୫ ଜଣ । ଯାହା ୦.୪%ରୁ ମଧ୍ୟ କମ । ଏଥିପାଇଁ କାହାକୁ ଦାୟୀ କରିବା । ପୁଣି ଯେଉଁ ୩୦ପ୍ରତିଶରୁ ଅଧିକ ବା ଲକ୍ଷେ ୭୦ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ବିଫଳ ହୋଇଛନ୍ତି , ଏଥିପାଇଁ କିଏ ଦାୟୀ ରହିବେ । କେବଳ ନିଜେ ପରିକ୍ଷାର୍ଥୀ ନା ଆମ ଶିକ୍ଷା ବ୍ୟବସ୍ଥା ।

 

 

Comments (0)
Add Comment