ମିଶନ୍ ଶକ୍ତିକୁ ନବୀନ ବଳ : ବିନାସୁଧରେ ଏସଏସଜି ଗ୍ରୁପକୁ ୩ ଲକ୍ଷ ଟଙ୍କାକାର ଋଣ

ପୁରୀ : ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବା ଏସ୍ଏଚ୍ଜି ଗ୍ରୁପ୍କୁ ଏଣିକି ବିନାସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ । ଏହାଦ୍ୱାରା ରାଜ୍ୟର ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ଉପକୃତ ହେବେ । ପୁରୀରେ ମିଶନ ଶକ୍ତି ମହାସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ନୂତନ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ୧୫ ହଜାର ଟଙ୍କା ସିଡ୍ ମନି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରତି ବ୍ଲକସ୍ତରୀୟ ମହାସଂଘ ନିମନ୍ତେ ୨୫ଲକ୍ଷ ଟଙ୍କାର ସହାୟତା ପାଣ୍ଠି ଓ ଡିଜିଟାଲ ସଶକ୍ତୀକରଣ ପାଇଁ ମୋବାଇଲ୍ ଫୋନ୍ କିଣିବାକୁ ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି । ଅଙ୍ଗନବାଡ଼ି କର୍ମୀମାନଙ୍କୁ ୫୦୦ ଟଙ୍କା ଓ ସହାୟିକାମାନଙ୍କୁ ୨୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସ୍ଥାନୀୟ ତାଳବଣିଆର ଇଣ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ବିଶାଳ ମହିଳା ସମାବେଶରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ସରକାରଙ୍କ ଦ୍ୱାରା ମହିଳାଙ୍କ ଉନ୍ନତି ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଲେ ଯେ ମହିଳାମାନଙ୍କର ବିକାଶ ଓ ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ଅଙ୍ଗୀକାରବଦ୍ଧ । ମହିଳାଙ୍କ ବିକାଶ ଉଦ୍ଦେଶ୍ୟରେ ବିଜେଡି ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି । ୨୦୦୧ ମସିହାରେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି । ପ୍ରତ୍ୟେକ ପଞ୍ଚାୟତରେ ମିଶନ ଶକ୍ତି କାର୍ଯ୍ୟ କରୁଛି । ବିଜୁବାବୁ ମହିଳାଙ୍କ ପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ୩୩ ପ୍ରତିଶତ ଆରକ୍ଷଣ କରିଥିଲେ । ବର୍ତ୍ତମାନର ସରକାର ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆରକ୍ଷଣ କରିଛନ୍ତି । ମହିଳାଙ୍କ ସର୍ବାଙ୍ଗୀନ ଉନ୍ନତି ବିନା ସମାଜର ସାମଗ୍ରୀକ ବିକାଶ ସମ୍ଭବ ନୁହେଁ ବୋଲି ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ୩୦ ଲକ୍ଷ ମହିଳା ନୂତନ ଭାବେ ସ୍ୱୟଂସହାୟକ ଗୋଷ୍ଠୀରେ ସାମିଲ ହୋଇଛନ୍ତି । ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଲେଖାଏଁ ମୂଳଧନ ପୁଞ୍ଜି ପ୍ରଦାନ କରାଯାଇଛି । ଏହାଛଡ଼ା ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ମାର୍ଟ ଫୋନ୍ ପାଇଁ ୩ ହଜାର ଟଙ୍କା ଲେଖାଏଁ ଦିଆଯାଇଛି । ମିଶନ ଶକ୍ତି ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏଥିସହିତ ପ୍ରତ୍ୟେକ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସଙ୍ଗେ ସଙ୍ଗେ ଅତ୍ୟନ୍ତ ଆନନ୍ଦିତ ବୋଲି ପ୍ରକାଶ କରିଥିଲେ । ଆପଣମାନେ ଏଥିରେ ଖୁସି ତ ବୋଲି ଶ୍ରୀ ପଟ୍ଟନାୟକ ଉପସ୍ଥିତ ହଜାର ହଜାର ମହିଳାଙ୍କୁ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁଦାନ ରାଶି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ବ୍ୟାଙ୍କ ଖାତାକୁ ଅନ୍ଲାଇନ୍ ମାଧ୍ୟମରେ ପଠାଇ ଦିଆଯାଇଥିଲା । ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶକ ସୁଜାତା କାର୍ତ୍ତିକେୟ ସ୍ୱାଗତ ଭାଷଣ ଦେଇ ରାଜ୍ୟରେ ମିଶନ ଶକ୍ତି କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ଏହା ହେଉଛି ମିଶନ ଶକ୍ତିର ପ୍ରଥମ ମହାସମ୍ମିଳନୀ । ରାଜ୍ୟରେ ୩୦ ଲକ୍ଷ ମହିଳା ମିଶନ ଶକ୍ତି ଉପରେ ଆସ୍ଥା ଓ ବିଶ୍ୱାସ ସ୍ଥାପନ କରିଛନ୍ତି । ଶ୍ରୀମତୀ କାର୍ତ୍ତିକେୟ ପ୍ରକାଶ କରିଥିଲେ ଯେ ମିଶନ ଶକ୍ତି କାର୍ଯ୍ୟକ୍ରମ ଯୋଗୁ ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର କମିଛି । ୬୦ ହଜାର ମହିଳା ବ୍ଲକ, ପଞ୍ଚାୟତ ଓ ପୌରପାଳିକାରେ ଲୋକପ୍ରତିନିଧି ରୂପେ ନିର୍ବାଚିତ ହୋଇପାରିଛନ୍ତି । ମିଶନ ଶକ୍ତି କାର୍ଯ୍ୟକ୍ରମର ଏହାହିଁ ସଫଳତା ବୋଲି ସେ ଦାବି କରିଥିଲେ । ପ୍ରାରମ୍ଭରୁ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ବିଭାଗ ପକ୍ଷରୁ ମାଛ ଚାଷ ପାଇଁ ମା’ ପାଦୁକେଇ ସ୍ୱୟଂ ସହାୟକ ଗୋଷ୍ଠୀ, ମା’ ବୁଦେ୍ଧଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀ, ମା’ ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀ, ମା’ ପଶ୍ଚିମେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀ, ମା’ ତାରକେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ୯୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ଏହି ଅବସରରେ ଅରୁଣିମା ନନ୍ଦ ଓ ମିନାକ୍ଷୀ ପୃଷ୍ଟି ଗୋଷ୍ଠୀଦ୍ୱାରା କିଭଳି ସଫଳତା ହାସଲ କରିଛନ୍ତି ସେ ସମ୍ପର୍କରେ ସୂଚନା ଦେଇଥିଲେ । ମଞ୍ଚ ଉପରେ ମିଶନ ଶକ୍ତିର ମା’ମାନେ ସେମାନଙ୍କର ସଫଳତା ଓ ସଶକ୍ତିକରଣର କାହାଣୀ ବର୍ଣ୍ଣନା କରିଥିଲେ । ମନ୍ତ୍ରୀ, ବିଧାୟକ, ବିଧାୟିକା ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରୋତାମାନଙ୍କ ମଧ୍ୟରେ ବସି ସେମାନଙ୍କ ସଫଳତାର କାହାଣୀ ଶୁଣିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ମିଶନ ଶକ୍ତିର ମା’ମାନଙ୍କର କାର୍ଯ୍ୟକ୍ରମ ଓ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ବିଷୟରେ ଶୁଣିଥିଲେ । ସୂଚାଯୋଗ୍ୟ ଯେ ୨୦୦୧ରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ୧୮ ବର୍ଷ ପରେ ଆଜି ମିଶନ ଶକ୍ତି କାର୍ଯ୍ୟକ୍ରମ ଏକ ନିରବ ବିପ୍ଲବରେ ପରିଣତ ହୋଇଛି । ଓଡ଼ିଶାର ମା’ମାନଙ୍କ ଭିତରେ ନୂଆ ଜାଗରଣ ଆଣିଛି । ଆଜି ୭୦ ଲକ୍ଷ ମହିଳା ଓ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ଏହି ବିରାଟ ପରିବାର ରାଜ୍ୟର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନରେ ଯୋଗଦାନ ରଖିପାରିଛି । ସେହିପରି ମହିଳାମାନଙ୍କ ଡିଜିଟାଏ ଏମ୍ପାୱାରମେଣ୍ଟ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସହାୟତା ପ୍ରଦାନ ସହିତ ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ନିଷ୍ପତ୍ତି କରାଯାଇଛି । ମହିଳା ସମବାୟ ବିକାଶ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଧନ୍ୟବାନ ଅର୍ପଣ କରିଥିଲେ । ଏହି ସମାବେଶରେ ମିଶନ ଶକ୍ତି ଆନ୍ଥମ ପ୍ରଦର୍ଶିତ ହୋଇଥିଲା । ଅନ୍ୟମାନଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ, କୃଷି ମନ୍ତ୍ରୀ ପ୍ରଦୀପ ମହାରଥି, ପୁରୀ ସାଂସଦ ବିନାକୀ ମିଶ୍ର, ଜଗତସିଂହପୁର ସାଂସଦ କୁଳମଣି ସାମଲ, ବ୍ରହ୍ମଗିରି ବିଧାୟକ ସଂଜୟ କୁମାର ଦାସବର୍ମା, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାଏ, ନିମାପଡ଼ା ବିଧାୟକ ସମୀର ରଂଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ମଧ୍ୟ କେହି ମଞ୍ଚକୁ ଯାଇନଥିଲେ ।

Comments (0)
Add Comment