ବାରିପଦା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (କାଲି) ଜାନୁଆରି ୫ରେ ବାରିପଦା ଗସ୍ତରେ ଆସୁଛନ୍ତି। ମୋଦିଙ୍କ ଗସ୍ତ ସମୟରେ ସରକାରୀ କାଯ୍ୟକ୍ରମ ସାଙ୍ଗକୁ ଦଳୀୟ କାର୍ଯ୍ୟକ୍ରମ ରହିଛି । ହାଇସ୍କୁଲ ପଡିଆରେ ସରକାରୀ କାର୍ଯ୍ୟକ୍ରମ ହେବ । ଏହା ସହ ଛଉପଡ଼ିଆ ଠାରେ ଦଳୀୟ ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ସରକାରୀ କାର୍ଯ୍ୟକ୍ରମରେ ମୋଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ବାରିପଦା ଠାରେ ମୋଦି ୪୫୦୦ କୋଟି ଟଙ୍କାର କେନ୍ଦ୍ରୀୟ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିରେ ୪ ଲେନ୍ ବିଶିଷ୍ଟ ରାଜମାର୍ଗ, ଓଡ଼ିଶା ଦେଇ ଏଲପିଜି ପାଇପ୍ଲାଇନ୍ର ଲୋକାର୍ପଣ ସାମିଲ ରହିଛି। ସେହିପରି ରେଲଲାଇନ ଦୋହରୀକରଣ, ବାଲେଶ୍ୱରରେ ଲଜିଷ୍ଟିକ ହବ, ହରିପୁରରେ ଐତିହାସିକ ସ୍ଥଳର ସଂରକ୍ଷଣ ଆଦିର ଲୋକାର୍ପଣ କରିବେ।
୍ଣସେପଟେ ସାଧାରଣ ସଭାରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ଆୟୋଜିତ ମୋଦିଙ୍କ ସାଧାରଣ ସଭାରେ ଯୋଗ ଦେବା ପାଇଁ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ମୟୂରଭଂଜ ସମେତ ପଡ଼ୋଶୀ ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରୁ ମଧ୍ୟ ବିଜେପି କର୍ମକର୍ତ୍ତାମାନେ ମୋଦିଙ୍କ ସଭାରେ ଯୋଗଦେବେ। ମୋଦିଙ୍କ ଗସ୍ତକୁ ଆଖିଆଗରେ ରଖି ବିଜେପି ସଂପୂର୍ଣ୍ଣ ବାରିପଦାକୁ ଗେରୁଆ ରଂଗରେ ସଜେଇ ଦେଇଛି।