ଭୁବନେଶ୍ୱର : ଉତ୍ତର ପଶ୍ଚିମରେ ଗ୍ରୀଷ୍ମଲହରୀ ଆଉ ଏପଟେ ଦକ୍ଷିଣପୂର୍ବ ଆକାଶରେ ମୌସୁମୀ ମେଘ । ଆରବସାଗରରେ ଘୂର୍ଣ୍ଣିଝଡ, ଉତ୍ତରପୂର୍ବ ଭାରତରେ ପ୍ରାକ ମୌସୁମୀ ବର୍ଷା ଛିଟା । ଇଏ ହେଉଛି ଆଜିର ଭାରତର ପାଣିପାଗ ଚିତ୍ର । ଶେଷରେ ବହୁ ପ୍ରତିକ୍ଷୀତ ମୌସୁମୀ, ଆଣ୍ଡାମାନ ନିକୋବର ଛୁଇଁଛି । ମେ୨୦ ସୁଦ୍ଧା ଛୁଇଁବା ଆଶା କରାଯାଉଥିଲେ ବି ୫ଦିନ ଡେରି ହୋଇ ଯାଇଛି । ଆରବ ସାଗରରେ ପାଖାପାଖି ଦୁଇଟି ଘୂର୍ଣ୍ଣିଝଡ ସାଗର ଏବଂ ମେକୁନୁ, ମୌସୁମୀର ଗତି ଉପରେ ପ୍ରଭାବ ପକାଇଛି । ଯଦିଓ ମେକୁନୁ ଘୂର୍ଣ୍ଣିଝଡ ପଶ୍ଚିମମୁହାଁ ହୋଇ ଆଫ୍ରିକା ଆଡକୁ ଯାଉଛି, ତେବେ ସମୁଦ୍ର ଉପରୁ ଅଧିକାଂଶ ଆର୍ଦ୍ରତାକୁ ସାଙ୍ଗରେ ନେଇଯିବା ଫଳରେ ପ୍ରାକ ମୌସୁମୀ ବର୍ଷା ଉପରେ ପ୍ରଭାବ ପଡିଛି । ତେବେ ଆସନ୍ତା ୩ରୁ ୪ଦିନ ଭିତରେ ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି । ସାଧାରଣତଃ ଜୁନ ୧ରେ କେରଳ ପହଞ୍ଚୁଥିବା ବେଳେ ଏଥର ସାମାନ୍ୟ ଆଗରୁ ଭିଜେଇବାର ପୂର୍ବାନୁମାନ କରାଯାଉଛି । କେରଳ ପରେ ତାମିଲନାଡୁ ଏବଂ କର୍ଣ୍ଣାଟକ ଛୁଇଁବ । ମୌସୁମୀର ଗତି ଠିକ ରହିଲେ, ଜୁନ ଦ୍ବିତୀୟ ସପ୍ତାହ ବେଳକୁ ଓଡିଶା ଛୁଇଁବା ଆଶା ରହିଛି ।
ମୋସୁମୀ ଆଣ୍ଡାମାନ ଛୁଇଁବା ସହ ଦକ୍ଷିଣ ଭାରତ , ଉତ୍ତରପୂର୍ବ ଏବଂ ପୂର୍ବ ଭାରତର କିଛି ସ୍ଥାନରେ ପ୍ରାକ ମୌସୁମୀ ଛିଟା ପଡିଛି । ଫଳରେ ଉପକୂଳ ଓଡିଶା ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ତାତି କମିଛି । କିନ୍ତୁ ସେପଟେ ରାଜସ୍ଥାନ, ମଧ୍ୟପ୍ରଦେଶ, ହରିୟାଣା, ଦିଲ୍ଲୀ ଏବଂ ପଞ୍ଜାବରେ ଗ୍ରୀଷ୍ମ ଲହରୀ ଅସ୍ତବ୍ୟସ୍ତ କରୁଛି । ଆଜି ମଧ୍ୟପ୍ରଦେଶର ଖଜୁରାହୋରେ ପାରଦ ସର୍ବାଧିକ ୪୭.୫ଡିଗ୍ରୀ ଛୁଇଁଥିବା ବେଳେ ରାଜସ୍ଥାନର ବୁନ୍ଦି ୪୬.୬ ଡିଗ୍ରୀରେ ସିଝୁଛି । ସେହିପରି ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ପାରଦ ୪୦ଡିଗ୍ରୀ ଉପରେ ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କାଳ ବୈଶାଶୀ ସତର୍କ ସୂଚନା ରହିଛି । ମେ’ ୨୮ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍-ମୌସୁମୀ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ସାରା ଦେଶର ଚାଷୀଙ୍କଠାରୁ ଆରମ୍ଭ କରି ଅର୍ଥନୀତି ବିଶେଷଜ୍ଞ, ସେୟାର ମାର୍କେଟ ସମସ୍ତେ ଅପେକ୍ଷା କରିଛନ୍ତି ମୌସୁମୀ ବର୍ଷାକୁ ।