କଟକ : ରାଜ୍ୟରେ ଲୁକ୍କାୟିତ ଥିବା ପ୍ରତିଭାଙ୍କୁ ବିକଶିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୁଁ ହିରୋ- ମୁଁ ଓଡ଼ିଶା’ ଅଭିଯାନର ଆଜି ଶୁଭାରମ୍ଭ କରିଛନ୍ତି । ସ୍ଥାନୀୟ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପଟ୍ଟନାୟକ ଯୋଗଦେଇ ଓଡ଼ିଶା ଓ ଓଡ଼ିଆମାନେ ଯେପରି କେବଳ ଦେଶରେ ନୁହେଁ ଅନ୍ତର୍ଜାତୀୟସ୍ତରରେ ନିଜର ପରିଚୟ ସୃଷ୍ଟି କରିବେ ସେଥିପାଇଁ ସେ ରାଜ୍ୟର ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ । ସେ କହିଲେ ଯେ ଓଡ଼ିଶା ବୀର ମାଟି । ଏ ମାଟିର ସନ୍ତାନମାନେ ଓଡ଼ିଶାର ସ୍ୱାଭିମାନ ଓ ଗୌରବ ପାଇଁ ସର୍ବଦା ସଂଗ୍ରାମ କରିଆସିଛନ୍ତି । ଆମର ପ୍ରତି ଗାଁ, ପ୍ରତି ସହର ଓ ପ୍ରତି ଘରେ ଗୋପବନ୍ଧୁ ଅଛନ୍ତି, ମଧୁବାବୁ, ବିଜୁବାବୁ ଓ ଧର୍ମପଦ ମଧ୍ୟ ଅଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଲା ପ୍ରତିଲୋକଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନଟ କରି ସ୍ୱୀକୃତି ଦେବା । ସେ ଡାକ୍ତର ହୁଅନ୍ତୁ ବା ଇଞ୍ଜିନିୟର, ଜଣେ ଶିକ୍ଷକ ହୁଅନ୍ତୁ ବା ଚାଷୀ କିମ୍ବା ଜଣେ ସାଧାରଣ ମହିଳା ହୁଅନ୍ତୁ, ସମାଜ ପ୍ରତି ସେମାନଙ୍କର ଥିବା ଅବଦାନକୁ ସ୍ୱୀକୃତି ଦେବା ହେଉଛି ଆମର ଲକ୍ଷ୍ୟ । ସାଧାରଣ ଲୋକଟିଏ ମଧ୍ୟ ବହୁତ ବଡ଼କାମ କରିଥାଏ । ଯେଉଁମାନେ ନିଜର କର୍ମ ମଧ୍ୟରେ ସମାଜ ପାଇଁ କିଛି କରିପାରିଥାନ୍ତି ସେମାନେ ହିଁ ହେଉଛନ୍ତି ପ୍ରକୃତ ହିରୋ । ସେହିଭଳି ଅନେକ ହିରୋ ଆମ ଓଡ଼ିଶାରେ ଅଛନ୍ତି । ସେମାନଙ୍କୁ ଚିହ୍ନଟ କରିବା ସହିତ ସମାଜ ପାଇଁ ଯୁବଶକ୍ତିଙ୍କୁ ଅଧିକ ପ୍ରେରଣା ଦେବା ନିମନ୍ତେ ଏହି କାର୍ଯ୍ୟକ୍ରମ ଅଭିପ୍ରେତ । ସମସ୍ତଙ୍କ ସହଯୋଗ ଓ ମିଳିତ ଉଦ୍ୟମ ହିଁ ଓଡ଼ିଶା ପ୍ରଗତିର ନନ୍ଦିଘୋଷକୁ ଆଗେଇ ନେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିଭିନ୍ନ ସାହାସିକତା ତଥା କାର୍ଯ୍ୟଧାରା ମାଧ୍ୟମରେ ଉଲ୍ଲେଖନୀୟ କାମ କରି ଓଡ଼ିଶା ପାଇଁ ଉଦାହରଣ ସୃଷ୍ଟି କରିଥିବା ପ୍ରତିଭାମାନଙ୍କୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ‘ମୁଁ ହିରୋ-ମୁଁ ଓଡ଼ିଶା’ ମାନପତ୍ର ଦେଇଥିଲେ ।
ଏହି ପ୍ରତିଭାଧରଙ୍କ ମଧ୍ୟରେ ଅଛନ୍ତି ଭାରଉତ୍ତୋଳନ କ୍ଷେତ୍ରରେ ଝିଲି ଦଳବେହେରା, ଦୃଷ୍ଟିହୀନ କ୍ରିକେଟ ଖେଳରେ ପାରଦର୍ଶିତା ପ୍ରତିପାଦିତ କରିଥିବା ଜାଫର ଇକ୍ୟୁବାଲ, ମହିଳା ଟ୍ରେନ ପାଇଲଟ ମୁନି ଟିଗା, ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରି ସ୍ୱତନ୍ତ୍ର ରୋବଟ ତିଆରି କରିଥିବା ୧୮ ବର୍ଷର ଯୁବକ ନିଳମାଧବ ବେହେରା, ପର୍ବତାରୋହଣ କରି ସ୍ୱତନ୍ତ୍ର ଦକ୍ଷତା ପ୍ରତିପାଦିତ କରିଥିବା ସ୍ୱର୍ଣ୍ଣଲତା ଦଳେଇ ଓ କୁନି ପିଲାଟି ହେଲେ ମଧ୍ୟ ନିଜର ସାହାସିକତା ଯୋଗୁଁ କୁମ୍ଭୀର ମୁହଁରୁ ନିଜ ସାନଭଉଣୀକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ମମତା ଦଳେଇ । ସେମାନଙ୍କୁ ‘ମୁଁ ହିରୋ-ମୁଁ ଓଡ଼ିଶା’ ସମ୍ମାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟ ଯୁବକଲ୍ୟାଣ ପରିଷଦ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଯୋଗଦେଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ପ୍ରତିଭା ଖୋଜିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ହିରୋ ବ୍ୟାଚ୍ ପ୍ରଦାନ କରିଥିଲେ । ଏଥି ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମୁଁ ହିରୋ ସ୍ୱାକ୍ଷର ସଙ୍ଗୀତର ଶୁଭ ଉନ୍ମୋଚନ କରାଯାଇଥିବାବେଳେ ବିଜୁଯୁବ ବାହିନୀର ୱେବସାଇଟ ଓ ମୁଁ ହିରୋ ଭ୍ରାମ୍ୟମାଣ ଗାଡ଼ିର ଶୁଭାରମ୍ଭ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ, ଆଇନ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା, କ୍ରୀଡା ଓ ଯୁବ ସେବାମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା, ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଭାତ କୁମାର ତ୍ରିପାଠୀ, ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ଦେବୀପ୍ରସାଦ ମିଶ୍ର, ସାଂସଦ ଅନୁଭବ ମହାନ୍ତି ଓ ନରେନ୍ଦ୍ର କୁମାର ସ୍ୱାଇଁ, ମେୟର ଶ୍ରୀମତୀ ମିନାକ୍ଷୀ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ, ଚଳଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ପୂର୍ବତନ ରାଜ୍ୟସଭା ସାଂସଦ ଦିଲିପ ତିର୍କୀ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓାଲ ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୫ ହଜାରରୁ ଅଧିକ ‘ବିଜୁ ଯୁବ ବାହିନୀ’ର ସଦସ୍ୟମାନେ ଏଥିରେ ଉପସ୍ଥିତ ଥିଲେ । ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ସଚିବ ବିଶାଳ କୁମାର ଦେବ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ରାଜ୍ୟ ଯୁବ କଲ୍ୟାଣ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚଞ୍ଚଲ ରାଣା ଧନ୍ୟବାଦ ଅର୍ପଣ କରିଥିଲେ