ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଜି ରାଜ୍ୟସରକାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ଯାହା ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅଦଳବଦଳରେ ୫ଜଣ ବରିଷ୍ଠ ଓ କନିଷ୍ଠ ଆଇଏଏସ୍ ଅଧିକାରୀ ଏବଂ ଜଣେ ଆଇପିଏସ୍ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି ।

୧୯୮୮ ବ୍ୟାଚର ଅଧିକାରୀ ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ୧୯୯୩ ବ୍ୟାଚର ଅଧିକାରୀ  ନିକୁଞ୍ଜ ବିହାରୀ ଧଳଙ୍କୁ  ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ୧୯୯୭ ବ୍ୟାଚର ଆଇଏସ୍ ପ୍ରମୋଦ ମେହେର୍ଦ୍ଦାଙ୍କୁ  ବାଣିଜ୍ୟ ଓ ପରିବହନ ବିଭାଗର ସଚିବ ଦାୟିତ୍ୱ ମିଳିଛି । ଏଥିସହ ମେହେର୍ଦ୍ଦାଙ୍କୁ  କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।  ୧୯୯୬ ବ୍ୟାଚର ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଭାବେ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମର ସିଏମଡି ଦାୟିତ୍ୱ ମିଳିଛି। ୨୦୧୪ ବ୍ୟାଚର ଆଇଏସ୍ ୟେଦୁଲା ବିଜୟଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ଉପ-ସଚିବ ଭାବେ ଅବସ୍ଥାପିତ କରାଯାଇଥିବା‌ ବେଳେ ୨୦୧୬ ବ୍ୟାଚର ଆଇଏସ୍ ବିଦ୍ୟ ଜ୍ୟୋତି ପରିଡ଼ାଙ୍କୁ ରାଉରକେଲା ମୁନିସିପାଲ୍ କର୍ପୋରେସନର କମିସନର ଭାବେ ନିଯୁକ୍ତି ଦିଆଯାଇଛି। ପରିଡ଼ାଙ୍କୁ ଅତିରିକ୍ତ ଭାବେ ରାଉରକେଲା ସ୍ମାର୍ଟ ସିଟି କର୍ପୋରେସନର ସିଇଓ ଦାୟିତ୍ୱ ମିଳିଛି ।

ପୂର୍ବରୁ ୨୦୧୯ ଡିସେମ୍ବର ୨୮ ତାରିଖରେ ମଧ୍ୟ ସରକାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଥିଲେ। ୨୦୦୪ ବ୍ୟାଚ୍‌ ଆଇଏଏସ ଅଧିକାରୀ ତଥା ଶ୍ରମ କମିସନର ନିରଞ୍ଜନ ସାହୁ ଉତରାଂଚଳ ରାଜସ୍ୱ ଆୟୁକ୍ତ ହୋଇଥିଲେ । ତାଙ୍କ ସ୍ଥାନରେ ୨୦୦୯ ବ୍ୟାଚ୍ ଆଇଏଏସ ଅଧିକାରୀ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକ ଥିବା ଏନ୍. ଥିରୁମାଲା ନାଏକଙ୍କୁ ଶ୍ରମ କମିସନର ଭାବେ ନିଯୁକ୍ତି ମିଳିଥିଲା । ସେହିପରି ଦକ୍ଷିଣାଂଚଳ ରାଜସ୍ୱ  ଆୟୁକ୍ତ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବ ଟି.ଅପାଙ୍କ ଆଓଙ୍କୁ ଉତରାଂଚଳ ରାଜସ୍ୱ ଆୟୁକ୍ତ ପଦରୁ ଦାୟିତ୍ୱ ମୁକ୍ତ କରାଯାଇଥିଲା। ଶ୍ରୀ ସାହୁ ଉତରାଂଚଳ ଆରଡିସି ଭାବେ କାର୍ଯ୍ୟରେ ଯୋଗଦେବା ପରେ ଶ୍ରୀ ଆଓ ଦାୟିତ୍ୱ ମୁକ୍ତ ହେବେ। ଏହାସହିତ ପ୍ରଥମ କରି ଆୟୁଷ ନିର୍ଦ୍ଦେଶକ ପଦରେ ଜଣେ ଆଇଏସ ଅଧିକାରୀଙ୍କୁ ନିଯୁକ୍ତି ମିଳିଥିଲା।

Comments (0)
Add Comment