ଭୁବନେଶ୍ୱର :ମହାନଦୀ ବିବାଦକୁ ନେଇ ଆଜି ଛତିଶଗଡ଼ ସରକାରଙ୍କୁ ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ ନୋଟିସ୍ ଜାରି କରିଛନ୍ତି । ପୂର୍ବରୁ ଏନ୍ଜିଟି ଦେଇଥିବା ଆଦେଶକୁ ଛତିଶଗଡ଼ ସରକାର ଅବମାନନା କରିଥିବା ନେଇ ଜବାବ ଦାଖଲ କରିବାକୁ ନୋଟିସ୍ ଜାରି ହୋଇଛି । ଏହା ଆଗାମୀ ଦୁଇ ସପ୍ତାହ ମଧ୍ୟରେ କେନ୍ଦ୍ର ଜଳ ସଂପଦ ବିଭାଗ, ପରିବେଶ ମନ୍ତ୍ରାଳୟ ଏବଂ ରାଜ୍ୟ ସରକାରଙ୍କୁ ନିଜର ପକ୍ଷ ରଖିବାକୁ ନୋଟିସରେ କୁହାଯାଇଛି ।
ମହାନଦୀ ବଞ୍ଚାଓ ଅନ୍ଦୋଳନର ଆବାହକ ସୁଦର୍ଶନ ଦାସ ଆବେଦନ କରିଥିବା ମାମଲା ଉପରେ ଆଜି ନୂଆଦିଲ୍ଲୀ ସ୍ଥିତ ଏନ୍ଜିଟିର ମୁଖ୍ୟ ବେଂଚ୍ ହୋଇଛି । ପୂର୍ବରୁ କୋଲକାତା ଏନ୍ଜିଟି ଦେଇଥିବା ଆଦେଶକୁ ଛତିଶଗଡ଼ ଅବମାନନା କରିଛି ବୋଲି ଆଜିର ଶୁଣାଣୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି । ଏଥିପାଇଁ ଛତିଶଗଡ଼କୁ ଦଣ୍ଡିତ କରାଯାଉ ବୋଲି ଦାବି କରାଯାଇଛି । ଏହା ସହିତ ମହାନଦୀ ଉପରେ ଛତିଶଗଡ଼ ନିର୍ମାଣ କରୁଥିବା ଏକାଧିକ ପ୍ରକଳ୍ପ କାର୍ଯ୍ୟ ଉପରେ ରୋକ୍ ଲଗାଇବାକୁ ଓଡ଼ିଶା ଦାବି କରିଛି । ଏତଦ ବ୍ୟତୀତ ମହାମେଳି ସିରିପୁର ନାମରେ ଏକ ନୂତନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଉଥିବା ନେଇ ମଧ୍ୟ ଓଡ଼ିଶା ଅଭିଯୋଗ ଆଣିଛି । ଅପରପକ୍ଷରେ ଛତିଶଗଡ଼ ପକ୍ଷରୁ ଆଡଭୋକେଟ୍ ଜେନେରାଲ ଯୁଗଳ କିଶୋର ଗିଲ୍ଡେ କହିଛନ୍ତି କି ମୂଳ ମାମଲା ଉପରେ ୨ ସପ୍ତାହ ମଧ୍ୟରେ ଜବାବ ଦେବାକୁ ଏନ୍ଜିଟି କହିଛନ୍ତି । କିନ୍ତୁ ଓଡ଼ିଶାର ବ୍ୟାରେଜ ନିର୍ମାଣ ଉପରେ ରୋକ ଲଗାଇବା ପ୍ରସଙ୍ଗକୁ ଏନ୍ଜିଟି ଅଗ୍ରାହ୍ୟ କରିଛନ୍ତି ବୋଲି ଆଡଭୋକେଟ୍ ଜେନେରାଲ୍ ସୂଚନା ଦେଇଛନ୍ତି । ଆଜି ବିଚାରପତି ରଘୁବେନ୍ଦ୍ର ଏସ୍ ରାଠୋରଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆଗାମୀ ୧୮ରେ ହେବ ବୋଲି ସୂଚନା ମିଳିଛି ।
ମହାନଦୀ ଜଳ ବିବାଦ ନେଇ ପୂର୍ବରୁ ଉପର ମୁଣ୍ଡରେ ନିର୍ମାଣାଧୀନ କେତେକ ପ୍ରକଳ୍ପ କାମ ବନ୍ଦ କରିବାକୁ କୋଲାକାତା ନ୍ୟାସନାଲ ଗ୍ରୀନ ଟ୍ୱିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ । ମାତ୍ର କୋଲକାତା ଏନଜିଟି ଦେଇଥିବା ଏହି ନିର୍ଦ୍ଦେଶକୁ ଛତିଶଗଡ ଅବମାମନା କରିଥିବା ନେଇ ଓଡିଶା ନୂଆଦିଲ୍ଲୀ ଏନଜିଟିରେ ଅଭିଯୋଗ କରିଥିଲା ।