କଟକ : ଟେଲି ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ଜେଲ୍ ଗଲେ ଅଭିଯୁକ୍ତ ସ୍ବାମୀ ଲିପନ୍ ସାହୁ । ପୋଲିସର ଜେରା ବେଳେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଠେଲାପେଲାରୁ ନିକିତା ଛାତରୁ ପଡ଼ିଯାଇଥିବା ସ୍ବୀକାର କରିଥିଲେ ଲିପନ୍ । ଏହାପରେ ତାଙ୍କୁ ପୋଲିସ ଗିରଫ କରି କୋର୍ଟରେ ହାଜର କରିଥିଲା । ତେବେ SDJM କୋର୍ଟ ଜାମିନ୍ ନାମଞ୍ଜୁର ହେବାରୁ ଲିପନଙ୍କୁ ଜେଲ ପଠାଇ ଦିଆଯାଇଛି ।
ଅଭିନେତ୍ରୀ ନିକାତାଙ୍କ ମୃତ୍ୟୁ ଘଟଣାରେ ପୋଲିସ ଜେରା ବେଳେ ସତ ମାନିଛନ୍ତି ଲିପନ୍ । ଉଭୟ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ପ୍ରଥମେ ପାଟିତୁଣ୍ଡ ଓ ପରେ ଠେଲାପେଲାରୁ ଛାତରୁ ନିକିତା ପଡ଼ିଯାଇଥିବା ସ୍ପଷ୍ଟ ହୋଇଛି । ତେବେ ନିକିତାଙ୍କ ମୃତ୍ୟୁ ପଛରେ ଘରୋଇ କଳି ଓ ହିଂସା ପ୍ରମୁଖ କାରଣ । ତେଣୁ ଶ୍ବଶୁର ଘର ଲୋକଙ୍କୁ ମଧ୍ୟ ଅଧିକ ପଚରା ଉଚରା କରାଯିବ ବୋଲି ଡିସିପି ଅଖିଳେଶ୍ବର ସିଂ କହିଛନ୍ତି
ସ୍ବାମୀ ହିଁ ଭିଲେନ୍ । ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ପାଇଁ ସ୍ବାମୀ ଲିପନ୍ ଦାୟୀ । ପାରିପାର୍ଶ୍ବିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାରରେ ସ୍ବାମୀ ଲିପନ୍ ଦାୟୀ ବୋଲି କଟକ ଡିସିପି ଅଖିଳେଶ୍ବର ସିଂ କହିଛନ୍ତି । ଘଟଣା ଦିନ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ବଚସା ପରେ ଛାତ ଉପରେ ଠେଲାପେଲା ବି ହୋଇଥିଲା । ଏହି ସମୟରେ ନିକିତା ଛାତରୁ ଖସି ପଡିଥିଲେ । ଜେରା ସମୟରେ ପୋଲିସ ଆଗରେ ଅଭିଯୁକ୍ତ ଲିପନ୍ ସ୍ବୀକାର କରିଥିବା ଡିସିପି ସୂଚନା ଦେଇଛନ୍ତି ।
ପୋଲିସ ଆହୁରି ଅନେକ ଦିଗକୁ ନେଇ ତଦନ୍ତ କରୁଛି । ଲିପନ ଓ ନିକିତା ଇଣ୍ଟରକାଷ୍ଟ ଲଭ ମ୍ୟାରେଜ କରିଥିଲେ। ଯାହାକୁ ଲିପନଙ୍କ ପରିବାର ଲୋକେ ବିରୋଧ କରୁଥିଲେ । ଏହାଛଡା ନିକିତାଙ୍କୁ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ଯାହାର ପ୍ରମାଣ ପୋଲିସ ହାତରେ ଲାଗିଛି । କେବଳ ଏତିକି ନୁହେଁ ସ୍ବାମୀ ଲିପନଙ୍କ ଉପରେ ପରିବାରର ଚାପ ଥିବାରୁ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଅନେକ ସମୟରେ ଝଗଡା ଲାଗି ରହୁଥିଲା । ତେଣୁ ନିକିତା ଘରୋଇ ହିଂସାର ଶୀକାର ହୋଇଥିବା ଡିସିପି ସ୍ପଷ୍ଟ କରିଛନ୍ତି । କିନ୍ତୁ ଅଦାଲତରେ ନିଜର ପକ୍ଷକୁ ଆହୁରି ଦୃଢିଭୂତ କରିବାଲାଗି ପୁଲିସକୁ ଅଧିକ ପ୍ରମାଣ ଆବଶ୍ୟକ । ସେଥିଲାଗି ନିକିତାଙ୍କ ଶ୍ବଶୁର ଘର ଲୋକଙ୍କୁ ଅଧିକ ପଚରା ଉଚରା କରାଯାଇପାରେ ବୋଲି ପୁଲିସ କହିଛି ।
ନିକିତା ମୃତ୍ୟୁ ମିଷ୍ଟ୍ରି ଉପରୁ ପର୍ଦ୍ଦା ଉଠାଇବାକୁ ସୋମବାର ଚାଉଳିଆଗଞ୍ଜ ଥାନା ପୋଲିସ, ଫରେନସିକ ଟିମ ଓ ସାଇଣ୍ଟିଫିକ ଟିମ ନିକିତାଙ୍କ ମହାନଦୀ ବିହାର ସ୍ଥିତ ବାସଭଭନରେ ତଦନ୍ତ କରିଥିଲା । ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ପ୍ରମାଣ ଯୋଗାଡ କରିବାକୁ ତଦନ୍ତକାରି ଟିମ୍ କୁ ପ୍ରାୟ ୪ ଘଣ୍ଟା କସରତ କରିବାକୁ ପଡିଥିଲା । ତା ପରେ ଯାଇ ସତ ସାମ୍ନାକୁ ଆସିଛି ।