ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ କୁମାରକୁ ସୁପ୍ରିମକୋର୍ଟରୁ ଝଟକା ମିଳିଛି । ଗୁରୁବାର ଅକ୍ଷୟର କ୍ୟୁରେଟିଭ ପିଟିସନ୍ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ଆବେଦନ ଖାରଜ କରିଛନ୍ତି। ତେବେ ତା’ ପାଖରେ ଏବେ ଫାଶୀରୁ ବଂଚିବା ପାଇଁ ରାଜକ୍ଷମା ଆବେଦନ କରିବାର ବିକଳ୍ପ ବାକି ରହିଛି ।
ତେବେ ପୂର୍ବରୁ ମୁକେଶ ଓ ବିନୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରି ନିରାଶ ହୋଇଥିଲେ। ଏହା ବ୍ୟତୀତ ବୁଧବାର ସୁପ୍ରିମକୋର୍ଟ ମୁକେଶର ଅନ୍ୟ ଏକ ଆବେଦନ ଖାରଜ କରିଥିଲେ । ତା’ର ରାଜକ୍ଷମା ଆବେଦନ ଖାରଜ ହେବା ବିରୋଧରେ ସେ ଏହି ଆବେଦନ କରିଥିଲା। ଜଷ୍ଟିସ୍ ଆର ଭାନୁମତୀଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ବୁଧବାର ଶୁଣାଣି କରି ଏହି ଆବେଦନ ଖାରଜ କରିଥିଲେ।
ସୂଚନାଯୋଗ୍ୟ ଯେ, ଆସନ୍ତା ଫେବୃଆରୀ ୧ ତାରିଖରେ ନିର୍ଭୟାର ୪ଦୋଷୀଙ୍କୁ ଫାଶୀ ହେବା ନେଇ ଡେଥ୍ ୱାରେଂଟ ଜାରି କରାଯାଇସାରିଛି। କିନ୍ତୁ ଫାଶୀରୁ ବର୍ତିବା ପାଇଁ ଦୋଷୀମାନେ ପ୍ରତିଦିନ ନୂଆ ନୂଆ ରାସ୍ତା ଆପଣାଉଛନ୍ତି ।