ନୂଆଦିଲ୍ଲୀ : କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ବହିଃଶୁଳ୍କ ବୋର୍ଡ (ସିବିଆଇସି)ର ଅଧ୍ୟକ୍ଷ ଭାବେ ଓଡ଼ିଆ ଅଧିକାରୀ ପ୍ରଣବ କୁମାର ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅର୍ଥନୀତିରେ ସ୍ନାତକୋତ୍ତର, ଏମ୍ଫିଲ୍ ଏବଂ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଶ୍ରୀ ଦାସ ମଙ୍ଗଳବାର ଦିନ ଏହି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ପୂର୍ବରୁ ସେ ୨୦୧୭ ସେପ୍ଟେମ୍ବର ୧ରୁ ୨୦୧୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ସିବିଆଇସି ସଦସ୍ୟ (ସୀମାଶୁଳ୍କ) ଭାବେ କାର୍ଯ୍ୟ କରିସାରିଛନ୍ତି । ନୂଆ ଦାୟିତ୍ୱରେ ତାଙ୍କର କାର୍ଯ୍ୟକାଳ ୨୦୨୦ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ରହିବ ଏବଂ ଜିଏସ୍ଟି, ସୀମାଶୁଳ୍କ ସଂସ୍କାର ତଥା ବାଣିଜ୍ୟ ସୁବିଧା ପ୍ରଦାନ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ରହିବ । ପୂର୍ବରୁ ସେ ସୀମାପାର ବାଣିଜ୍ୟ (ଟିଏବି) ମାନକ ଉନ୍ନତି ପାଇଁ ସରକାରୀ ଜାତୀୟ ବାଣିଜ୍ୟ ସୁବିଧାପ୍ରଦାନ କାର୍ଯ୍ୟ ଯୋଜନା ଏବଂ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ । ଦକ୍ଷତାପୂର୍ବକ ଏହି କାର୍ଯ୍ୟ ସମ୍ପାଦନ କାରଣରୁ ବିଶ୍ୱବ୍ୟାଙ୍କ ଟିଏବି ମାନ୍ୟତାରେ ଭାରତର ସ୍ଥାନ ୨୦୧୭ରେ ୧୪୬ରୁ ୨୦୧୮ରେ ୮୦ରେ ପହଁଚିଥିଲା ଏବଂ ବ୍ୟବସାୟିକ ସୁଗମତା ମାନ୍ୟତାରେ ଭାରତ ୨୦୧୭ରେ ୧୦୦ତମ ସ୍ଥାନରୁ ୨୦୧୮ରେ ୭୭ତମ ସ୍ଥାନକୁ ଉନ୍ନୀତ ହୋଇଥିଲା । ଶ୍ରୀ ଦାସ ଜିଏସ୍ଟିର ସୁଗମ ଏବଂ ସଫଳ କାର୍ଯ୍ୟାନ୍ୱୟନରେ ସହାୟତା କରିଥିଲେ ।