ଆଶାକର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ୧୦ ହଜାର ଟଙ୍କା ସହାୟତା

ଭୁବନେଶ୍ୱର : ଆଶାକର୍ମୀମାନଙ୍କ ବଡ ପ୍ରୋସାôହାନ । ରାଜ୍ୟରେ କାର୍ଯ୍ୟରତ ଆଶାକର୍ମୀଙ୍କୁ ଛତା, ଚପଲ, ଆଲମିରା, ସାଇକେଲ୍ ଓ ଟର୍ଚ୍ଚଲାଇଟ୍ ଆଦି କିଣିବା ପାଇଁ ରାଜ୍ୟ ସରକାର ୧୦ ହଜାର ଟଙ୍କା ସହାୟତା ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ସହିତ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟରୁ ଅବ୍ୟାହତ ନେଉଥିବା ଆଶାକର୍ମୀଙ୍କ ସହାୟତା ରାଶି ୧୦ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି । ଆଜି ସଚିବାଳୟଠାରେ ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଶାକର୍ମୀମାନଙ୍କର ଅବଦାନକୁ ପ୍ରଶଂସା କରିଥିଲେ । ସେ କହିଲେ ଯେ, ଆମ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସବୁଠାରୁ ଜଣାଶୁଣା ନା ହେଉଛି ଆଶାକର୍ମୀ । ସେମାନଙ୍କୁ ଆଶା ଦିଦି ଭାବରେ ଗାଁ ଗାଁରେ ସମସ୍ତେ ଜାଣନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଶାଦିଦିଙ୍କ ଅବଦାନ ବହୁତ ବେଶୀ । ମା’ ଓ ଶିଶୁମାନଙ୍କ ଯତ୍ନ ହେଉ ବା ମେଲେରିଆ, ଡାଇରିଆ, ଟିବି ଓ କୁଷ୍ଠ ପରି ସ୍ୱାସ୍ଥ୍ୟ ସମସ୍ୟା ହେଉ ସବୁ କ୍ଷେତ୍ରରେ ଅଶା ଦିଦିଙ୍କ ସହାୟତା ଲୋଡ଼ା ଯାଇଥାଏ । ଏ କ୍ଷେତ୍ରରେ ସେମାନେ ଲୋକଙ୍କୁ ସଚେତନ କରାଇଥାନ୍ତି । ଆଶାକର୍ମୀମାନେ ବହୁତ ଭଲକାମ କରୁଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗର୍ଭବତୀ ମା’ମାନଙ୍କର ଯତ୍ନ ଓ ସେମାନଙ୍କୁ ଡାକ୍ତରଖାନାକୁ ଆଣିବା, ନବଜାତ ଶିଶୁମାନଙ୍କର ଠିକ୍ ଭାବରେ ଯତ୍ନନେବା ଦିଗରେ ସେମାନଙ୍କ ଉଦ୍ୟମ ଯୋଗୁ ମା’ ଓ ଶିଶୁ ମୃତ୍ୟୁ ରୋକିବାରେ ଓଡ଼ିଶା ଭଲକାମ କରିଛି । ତେବେ ଆଶାକର୍ମୀମାନଙ୍କର ବିଭିନ୍ନ ସମସ୍ୟା ରହିଛି । ଗତବର୍ଷ ସେମାନଙ୍କର କେତକ ଦାବୀ ସରକାର ପୁରଣ କରିଛନ୍ତି । ଆଗକୁ ଆଶାକର୍ମୀମାନେ ଆହୁରି ନିଷ୍ଠାର ସହିତ କାମ କରିବେ ଏବଂ ଗାଁମାନଙ୍କରେ ରହୁଥିବା ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସହାୟକ ହେବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।

Comments (0)
Add Comment