ଭୁବନେଶ୍ୱର : ଚିକିତ୍ସା ଲାଗି ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ରୋଗୀ ଏମ୍ସ୍କୁ ଆସୁଛନ୍ତି । ହେଲେ ରୋଗୀ ସେଠାରେ କିପରି ଚିକିତ୍ସା ପାଉଛନ୍ତି ଓ ରାଜ୍ୟ ସରକାରଙ୍କ ପକ୍ଷରୁ କି ପ୍ରକାର ସାହାଯ୍ୟ ସହଯୋଗର ଆବଶ୍ୟକତା ରହିଛି । ଏହା ପଚାରି ବୁଝିବା ଲାଗି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏମ୍ସ ପରିଦର୍ଶନ କରିଥିଲେ । ସେଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା ଓ ଏମ୍ସର ନିର୍ଦ୍ଦେଶିକାଙ୍କ ସମେତ ବରିଷ୍ଠ ଡାକ୍ତରଙ୍କ ସହିତ ଏମ୍ସର ସମସ୍ୟା ଓ ଆବଶ୍ୟକତା ଉପରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା ଅନୁଷ୍ଠାନର ନିର୍ଦ୍ଦେଶିକା ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ଏମ୍ସରେ ରୋଗୀ ସେବା ଲାଗି ଆବଶ୍ୟକ ହେଉଥିବା ଫାକ୍ଲଟି ବା ଶିକ୍ଷକ , ପାରାମେଡିକ୍ ପଦବୀ ଓ ଆଗାମୀ ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ । ଏମସ୍ ଆଗାମୀ ସଂପ୍ରସାରଣ ଯୋଜନା ଏବଂ ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସୂଚନା ଦେଇଥିଲେ । ରାଜ୍ୟ ସରକାରଙ୍କ ପାଖରେ କିଛି କାର୍ଯ୍ୟ ଥିଲେ ତାକୁ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି । ତେବେ ଏମସ୍ ପକ୍ଷରୁ ସେମାନଙ୍କ ତରଫରୁ ଜଣେ ନୋଡାଲ ଅଫିସର ସରକାରଙ୍କ ସହ ଯୋଗାଯୋଗ ରକ୍ଷାକରିବାକୁ ପରାମର୍ଶ ଦେଇଥିଲେ । ସରକାରୀ ହସ୍ପିଟାଲ କ୍ଷେତ୍ରରେ ଏମ୍ସ ର ସୁନାମ ରହିଛି । ହେଲେ କେତେକ ବିଭିନ୍ନ ପଦବୀ ଖାଲି ପଡ଼ିବା ଯୋଗୁଁ ରୋଗୀ ଚିକିତ୍ସା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଉଛି । ଏପରିକି ବିଧାନସଭାରେ ମଧ୍ୟ ଏନେଇ ପ୍ରଶ୍ନ ଉଠୁଛି । ରାଜ୍ୟ ସରକାର ଏମ୍ସକୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବାକୁ ସ୍ଥିର କରାଯାଇଛି । ହେଲେ ଏମ୍ସ ପକ୍ଷରୁ ଏକ ଯୋଗସୂତ୍ର ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ । ଫଳରେ ବହୁ କାର୍ଯ୍ୟ ଅଧାବାଟରେ ପଡ଼ି ରହିଛି । ତେଣୁ ଏମ୍ସ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଯୋଗସୂତ୍ର ରକ୍ଷା କରିବା ଲାଗି
କୋଡିନେସନ୍ କମିଟି ଗଠନ କରିବା ଲାଗି ପରାମର୍ଶ ଦେଇଛନ୍ତି ଶ୍ରୀ ଜେନା । ଏହି ଅବସରରେ ଏମସ୍ର ନିର୍ଦ୍ଦେଶିକା ପ୍ରଫେସର ଡାଃ ବି.ବାଟନମାନେ କହିଲେ ଯେ, ବର୍ତ୍ତମାନ ଏମ୍ସର ଜମି ସମସ୍ୟା ରହିଛି । ଆଗକୁ ସୁପରସ୍ପେସିଆଲିଟି ହସ୍ପିଟାଲ ଓ ରେସିଡେନ୍ସିଆଲ କମ୍ପେ୍ଲକ୍ସ ନିର୍ମାଣ କରିବାର ରହିଛି । ତେଣୁ ହସ୍ପିଟାଲ ସମ୍ପ୍ରସାରଣ ଲାଗି ପାଖାପାଖି ୫୦ଏକର ଜାଗା ଆବଶ୍ୟକ । ଏମ୍ସ ପାଖରେ ଥିବା କାଜୁବଣ ଜାଗାକୁ ଦେବା ଲାଗି ପ୍ରସ୍ତାବ ଦେଇଥିଲେ । ବର୍ତ୍ତମାନ ୩୦୫ଜଣ ଫାକ୍ଲଟି ଅନୁମତି ପଦବୀ ରହିଛି । ସେଥିମଧ୍ୟରୁ ବର୍ତ୍ତମାନ ୧୮୧ଜଣ ଅଛନ୍ତି । ସେହିପରି ବର୍ତ୍ତମାନ ୪୦୦ ନର୍ସ ଅଛନ୍ତି ଆଉ ୮୦୦ଜଣ ନର୍ସଙ୍କ ଯୋଗଦେବା ଲାଗି ସମସ୍ତ ପ୍ରକାର କାର୍ଯ୍ୟ ସରିଛି । ୬୪ଟି ପାରାମେଡିକ୍ ପଦବୀ ମଧ୍ୟରୁ ୩୦ଟି ପୂରଣ ହୋଇଯାଇଛି ବୋଲି ନିର୍ଦ୍ଦେଶିକା ପ୍ରଫେସର ବାଟନମାନେ ସୂଚନା ଦେଇଥିଲେ । ଶେଷରେ ମନ୍ତ୍ରୀ ଶ୍ରୀ ଜେନା ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ମନ୍ତ୍ରୀ ଶ୍ରୀ ଜେନାଙ୍କ ପରିଦର୍ଶନ ଓ ଆଲୋଚନା ସମୟରେ ପ୍ରଫେସର ଦିଲ୍ଳୀପ ପରିଡ଼ା, ପ୍ରଫେସର ଚିତ୍ତରଞ୍ଜନ ସିଂ, ପ୍ରଭାସ ଚନ୍ଦ୍ର ତ୍ରିପାଠୀ, ପ୍ରଦୀପ୍ତ କୁମାର ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତର ଓ ପଦାଧିକାରୀ ଉପସ୍ଥିତ ଥିଲେ ।
ଅତ୍ୟାଧୁନିକ ବର୍ଣ୍ଣ ୟୁନିଟ୍ ଖୋଲିବ
ଏମ୍ସରେ ଖୋଲିବ ଅତ୍ୟାଧୁନିକ ବର୍ଣ୍ଣ ୟୁନିଟ୍ ରାଜ୍ୟବାସୀଙ୍କ ପାଇଁ ଖୁସିର ଖବର । ଏମ୍ସରେ ଏକ ଅତ୍ୟାଧୁନିକ ବର୍ଣ୍ଣ ୟୁନିଟ୍ ଖୋଲିବାକୁ ଯାଉଛି । ଏହି ୟୁନିଟ୍ ଖୋଲିବା ଲାଗି ଏନ୍ଟିପିସି ୨୦କୋଟି ଟଙ୍କା ସହାୟତାର ହାତ ବଢ଼ାଇଛି । ଆସନ୍ତାକାଲି ଏମ୍ସ ଓ ଏନ୍ଟିପିସି ମଧ୍ୟରେ ଏମ୍ଓୟୁ ହେବାକୁ ଯାଉଛି ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୧୬ ରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଏହି ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଏକ ଧର୍ମଶାଳାକୁ ଲୋକାର୍ପିତ କରିବେ ।