ଭୁବନେଶ୍ବର : ଓଡିଶା IAS ସଂଘ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହାଁମୁହିଁ । ଗତକାଲି ଏକ କାର୍ଯ୍ୟକ୍ରମରେ ବରିଷ୍ଠ ଆଇଏଏସ୍ ଅଫିସର ଏ.କେ.ମୀନାଙ୍କୁ ଧର୍ମେନ୍ଦ୍ର ଆକ୍ଷେପ କରିବା ଅଭିଯୋଗରେ, ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ୍ ହୋଇଛି। ଯାହାକୁ ନେଇ ଜୋର ଧରିଛି ରାଜନୀତି । ଲେଜିସଲେଟିଭ୍ ଓ ବ୍ୟୁରୋକ୍ରାସି ପାଇଁ ଲକ୍ଷ୍ଣଣ ରେଖା କଣ, ତାକୁ ନେଇ ଆରମ୍ଭ ହୋଇଛି ବିତର୍କ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଓଡିଶା IAS ସଂଘର ମେଳି । ରାଜ୍ୟର ଓଏଏସ୍, ଓଏଫଏସ୍, ଓଇଏସ୍ ସଂଘ ବି ବିରୋଧରେ ଏକାଠି ହୋଇଛନ୍ତି । ଏହା ଆଜିର ସଚିବାଳୟ କରିଡରର ଦୃଶ୍ୟ । କେନ୍ଦ୍ରମନ୍ତ୍ରୀ ଓଡିଶା ଆସି ବିଭିନ୍ନ ସମୟରେ IAS ଅଫିସରଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଛି ଅଫିସର ସଂଘ । ଗତକାଲି ନାସନାଲ ଡାଟା ସେଣ୍ଟର ଉଦଘାଟନ ବେଳେ ଆଇଟି ସଚିବ ଏ.କେ. ମୀନାଙ୍କୁ ଧର୍ମେନ୍ଦ୍ର ବ୍ୟକ୍ତିଗତ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରୀୟ ଯୋଜନାକୁ ଆମ ପ୍ରକଳ୍ପ କହି ରାଜ୍ୟ ସରକାର ବାହାବା ନେଉଥିବା ବେଳେ ଆପଣଙ୍କ ଭଳି ଅଫିସର କଣ କରୁଛନ୍ତି ବୋଲି କୁଆଡେ ଆକ୍ଷେପ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହାକୁ ନେଇ ବିଭିନ୍ନ ଅଫିସର ସଂଘ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।
ଅଫିସର ସଂଘର ଅଭିଯୋଗ ପରେ ନେତା ଓ ଅଫିସରଙ୍କ ପାଇଁ ଲକ୍ଷ୍ମଣ ରେଖା କଣ, ତାକୁ ନେଇ ଆରମ୍ଭ ହୋଇଛି ବିତର୍କ । ରାଜ୍ୟର ଅଫିସର ସଂଘ ଧର୍ମେନ୍ଦ୍ରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହେବାପରେ ରାଜନୈତିକ ବୟାୟବାଜି ବି ଆରମ୍ଭ ହୋଇଛି । ଅଫିସରମାନେ ପାର୍ଟି କର୍ମୀ ଭଳି ନହୁଅନ୍ତୁ ବୋଲି ବିଜେପି ଆକ୍ଷେପ କରିଥିବା ବେଳେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛି ବିଜେଡି ।କଂଗ୍ରେସ କହିଛି ଉଭୟ ସୀମା ଭିତରେ ରହିଲେ ବିକାଶ ଆଗକୁ ବଢିବ ।
ଓଡିଶାରେ ଅଫିସରଙ୍କ ରାଜ୍ ଚାଲିଥିବା ମଝିରେ ମଝିରେ ରାଜନେତା ଅଭିଯୋଗ କରୁଥିଲେ । ବିଧାନସଭାରେ ବି ଶାସକ ଓ ବିରୋଧୀ ଦଳ ନେତା ମୁହଁ ଖୋଲିଛନ୍ତି । ଏବେ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ପରେ ନୂଆ ବିବାଦ ଉପୁଜିଛି । ତେବେ ଏହା ବି ସତ ଯେ, ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା ଭିତରେ ସଂପର୍କ ସୁସ୍ଥ ଗଣତନ୍ତ୍ର ପାଇଁ ଜରୁରୀ ।