ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ପ୍ରଫେସର ଗଣେଶୀ ଲାଲ୍

ଭୁବନେଶ୍ବର : ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରଫେସର ଗଣେଶୀ ଲାଲ୍ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନୀତ ଶରଣ ରାଜଭବନରେ ଆୟୋଜିତ ଶପଥ ସମାରୋହରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଓଡ଼ିଶା ଦାୟିତ୍ବରେ ଥିବା ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ପ୍ରଫେସର ଗଣେଶୀ ଲାଲ୍ । ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ଗତ ଶୁକ୍ରବାର ରାଷ୍ଟ୍ରପତି ଭବନରୁ ଓଡ଼ିଶା ରାଜ୍ୟପାଳ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହରିୟାଣାର ବିଜେପି ନେତା ପ୍ରଫେସର ଗଣେଶୀ ଲାଲଙ୍କୁ  ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହରିୟାଣା ବିଜେପିର ପୂର୍ବତନ ସଭାପତି ଥିଲେ ପ୍ରଫେସର ଗଣେଶୀ ଲାଲ୍ । ସିର୍ସାରୁ ବିଜେପି ବିଧାୟକ ମଧ୍ୟ ଥିଲେ । ଆଉ ୧୯୯୬ରୁ ୧୯୯୯ ମଧ୍ୟରେ ବଂଶୀଲାଲଙ୍କ ମେଣ୍ଟ ସରକାରରେ ହରିୟାଣାର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଥିଲେ  । ଆଜି ସଂଧ୍ୟାରେ ଶପଥ ଗ୍ରହଣ ପୂର୍ବରୁ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ଗଣେଶୀ ଲାଲ୍ । ସପରିବାର ଶ୍ରୀଜିଉଙ୍କ ଆଶୀର୍ବାଦ ନେଇଛନ୍ତି  । ବଡ଼ଦାଣ୍ଡରେ ପହଞ୍ଚିବା ପରେ , ରାଜ୍ୟପାଳଙ୍କୁ ଫୁଲ ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ନୂଆ ରାଜ୍ୟପାଳଙ୍କ ସହ ଆଇନମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

Comments (0)
Add Comment