ରାଜ୍ୟରେ ଗଡିଲା ପରୀ ଏକ୍ସପ୍ରେସ : ଶିଶୁ ଯୌନ ନିର୍ଯାତନା ସମ୍ପର୍କରେ କରିବ ସଚେତନ

ଭୁବନେଶ୍ବର : ଶିଶୁ ସୁରକ୍ଷା ଏକ ସାମୁହିକ ଦାୟିତ୍ବ । ଆସ ଆମେ ଏକାଠି ହେବା, ଶିଶୁ ନିର୍ଯାତନା ବନ୍ଦ କରିବା । ଏହି ଲକ୍ଷ୍ୟ ନେଇ ରାଜ୍ୟରେ ଗଡିଲା ପରୀ ଏକ୍ସପ୍ରେସ । ଭୁବନେଶ୍ବରରେ ପରୀ ଏକ୍ସପ୍ରେସର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରୀ ଏକ୍ସପ୍ରେସ୍ ମାଧ୍ୟମରେ ଶିଶୁ ଯୌନ ନିର୍ଯାତନା ସମ୍ପର୍କରେ ସଚେତନ କରାଯିବ ।

ସେ ପରୀ । ହେଲେ ତାର କଅଁଳ ମନରେ ଅକୁହା ବେଦନା । ଚିହ୍ନା ମୁହଁ ସବୁକୁ ଯେତେବେଳେ ସେ ଡରିବା ଆରମ୍ଭ କରେ ସେତେବେଳେ ବଦଳି ଯାଏ ତାର ଦୁନିଆ । ଯୌନ ନିର୍ଯାତନାର ଶିକାର ହେଉଥିବା ନାବାଳିକାଙ୍କ ସଂଖ୍ୟା ବଢି ଚାଲିଛି । ନାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ ୨୦୧୬ରେ ଦେଶରେ ୧ଲକ୍ଷ, ୬ହଜାର ୯୫୮ଟି ଶିଶୁ ନିର୍ଯାତନା ମାମଲା ରେକର୍ଡ ହୋଇଛି । ଏଭିତରୁ ୩୬ହଜାର ୨୨ଟି ମାମଲା Protection of Children from Sexual Offences, ପକ୍ସୋ ଅଧୀନରେ ରେକର୍ଡ ହୋଇଛି । ଓଡିଶାର ତଥ୍ୟ ଆହୁରି ସମ୍ବେଦନଶୀଳ । ଗତ ୩ମାସରେ ୧୨ଟି ଦୁଷ୍କର୍ମ ମାମଲା ଆସିଛି । ସେହିପରି-୨୦୧୭-୧୮ରେ ୧୨୦ ମାମଲା ଆସିଛି । ନାବାଳିକା ନିର୍ଯାତନା ରୋକିବା ପାଇଁ ମିଳିତ ଚେଷ୍ଟା ଆରମ୍ଭ କରିଛନ୍ତି ୟୁନିସେଫ ଏବଂ ଓଡିଶା ପୋଲିସ । ସଚେତନତା ସୃଷ୍ଟି ପାଇଁ ରାଜ୍ୟର ୧୫ଟି ଜିଲ୍ଲାରେ ଗଡିଛି ପରୀ ରଥ । ଭୁବନେଶ୍ବରରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୫ରୁ ୧୨ବର୍ଷ ନାବାଳିକା, ନିର୍ଯାତନାର ବେଶୀ ଶିକାର ହୁଅନ୍ତି । ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟର ଏକ ତଥ୍ୟ ଅନୁଯାୟୀ ୫୩ପ୍ରତିଶତ ଶିଶୁ ନିର୍ଯାତନା ଶିକାର ହୁଅନ୍ତି । ତେବେ ଆହୁରି ଅନେକ ମାମଲା ସାମ୍ନାକୁ ଆସେନି କାରଣ ଏସବୁ ପଛରେ ଥାଆନ୍ତି ପରିଚିତ ଲୋକ । କେମିତି ପାଟି ଖୋଲି କହିବ ଆଉ କାହାକୁ ଭରସି କରି କହିବ, ସାକଥା ଭାବି ପାରେନି ପୀଡିତା । ଏପରି ସ୍ଥିତିରେ ପରିବାରର ଦାୟିତ୍ୱ ଶିଶୁଙ୍କୁ ସଚେତନ କରିବା ଏବଂ ସେମାନଙ୍କ କଥାକୁ ଧ୍ୟାନ ଦେଇ ଶୁଣିବା । ଏହି ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଛି ମହା ଅଭିଯାନ ।

କେବଳ ପରିବାର ଲୋକ ନୁହେଁ, ମାମଲା ଥାନାକୁ ଆସିଲେ, ଥାନା ଅଧିକାରୀ କିଭଳି ସମ୍ବେଦନଶୀଳ ହେବେ ସେନେଇ ମଧ୍ୟ ସଚେତନ କରାଯିବ । ଆସନ୍ତା ଜୁନ୧୨ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ୩୦ଜିଲ୍ଲାରେ ପରୀ ରଥ ସଚେତନ କରିବ । ଘରର ପରୀ କିଭଳି ନିର୍ଭୟରେ ବଡ ହେବ ସେହି ସଚ୍ତନତା ବାର୍ତ୍ତା ବାଣ୍ଟିବ ।

Comments (0)
Add Comment