ମହାପ୍ରଭୁଙ୍କୁ ଦର୍ଶନ କଲେ କଂଗ୍ରେସ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଓ ନିରଞ୍ଜନ

ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଓଡ଼ିଶା ଦାୟିତ୍ୱରେ ଥିବା ପୂର୍ବତନ କେନ୍ଦ୍ର କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଶନିବାର ଦିନ ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଦେଖିଛନ୍ତି । ତାଙ୍କ ସହିତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମା, ଏଆଇସିସି ସମ୍ପାଦକ ଜି ରାଜୁ ଏବଂ ଭୁବନେଶ୍ୱର ଜିଲା କଂଗ୍ରେସ କମିଟି ସଭାପତି ମାନସ ଚୋ÷ଧୁରୀ ମଧ୍ୟ ଉପସ୍ଥିତ ଥିଲେ । ପୁରୀ ଯାଇ ରଥାରୁଢ ତିନିଦିଅଁଙ୍କୁ ଦର୍ଶନ କରିବା ପରେ ଶ୍ରୀ ସିଂ ଏବଂ ଅନ୍ୟମାନେ ବ୍ରହ୍ମଗିରି ଯାଇ ଅଲାରନାଥଙ୍କୁ ଦର୍ଶନ କରି ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ । କଂଗ୍ରେସ ନେତୃବୃ୍ନ୍ଦ ବଡଦାଣ୍ଡରେ ରଥାରୁଢ ତିନିଦିଅଁଙ୍କୁ ଦର୍ଶନ କରି ସମଗ୍ର ଓଡ଼ିଶା ଓ ଦେଶବାସୀଙ୍କର ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ମହାପ୍ରଭୁ ସ୍ନାନ ପୂର୍ଣ୍ଣମୀ ପରେ ୧୫ ଦିନ ଅଣସର ଘରେ ରହିବା ସମୟରେ ଅଲାରନାଥ ପୂଜା ପାଆନ୍ତି । ପୁରୀ ଶ୍ରୀମନ୍ଦିର ଠାରୁ ଅଲାରନାଥ ମନ୍ଦିର ପ୍ରାୟ ଦୁଇଶହ ବର୍ଷ ପୁରାତନ ଏବଂ ଏହା ପ୍ରାୟ ୧୧୦୦ ବର୍ଷ ପୂର୍ବେ ନିର୍ମିତ ହୋଇଥିବା କୁହାଯାଏ । ଉକ୍ତ ମନ୍ଦିର ନିର୍ମାଣ ସମୟରେ ଦକ୍ଷିଣ ଭାରତର ଶ୍ରୀ-ସମ୍ପ୍ରଦାୟର କିଛି ବିଦ୍ୱାନ କର୍ମ ବ୍ରାହ୍ମଣମାନଙ୍କୁ ପୂଜାପାଠ କରିବା ନିମନ୍ତେ ଅଣାଯାଇଥିଲା । ରାମାନୁଜଚାର୍ଯ୍ୟଙ୍କ ପୂର୍ବରୁ ଏହି ବ୍ରାହ୍ମଣମାନେ ମହାନ ଆଚାର୍ଯ୍ୟଙ୍କଠାରୁ ଉତମ ଶିକ୍ଷାପ୍ରାପ୍ତ ହୋଇଥିଲେ । ସେମାନେ ଅଲୱାର ଭାବେ ପରିଚିତ ଥିଲେ । ସମ୍ଭବତଃ ସେମାନଙ୍କ ନାମାନୁସାରେ ସେଠାରେ ପୂଜିତ ଦେବତାଙ୍କ ନାମ ଅଲାରନାଥ ହୋଇଥିବା ବିଶ୍ୱାସ କରାଯାଉଛି । ବ୍ରହ୍ମଗିରି ଅଧିବାସୀଙ୍କର ବିଶ୍ୱାସ ଯେ ସନ୍ଥ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଅନବସର ସମୟରେ ତାଙ୍କର ଦର୍ଶନ ନପାଇ ଅଲାରନାଥ ଆସି ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରିବାପରେ ଏହି ସ୍ଥାନ ଏକ ପ୍ରମୁଖ ଉପାସନା ସ୍ଥଳ ଭାବେ ପରିଗଣିତ ହୋଇଥିଲା । କିମ୍ବଦନ୍ତୀ କହେ, ରାଜସ୍ଥାନ ଅଲୱାର ରାଜପରିବାରର ଜଣେ ଶାସକ ଉକ୍ତ ମନ୍ଦିର ନିର୍ମାଣ କରାଇଥିବାରୁ ଏହି ସ୍ଥାନର ନାମ ଅଲୱାରନାଥ ଏବଂ କାଳକ୍ରମେ ଅଲାରନାଥ ହୋଇଥିଲା ।

Comments (0)
Add Comment