କନ୍ଧମାଳ : ଯେଉଁମାନେ ପ୍ରାର୍ଥୀପାଇଁ ବାରମ୍ବାର ଭୁବନେଶ୍ୱର ଦୌଡ଼ିବେ ସେମାନେ ଦଳୀୟ ଟିକେଟ ପାଇବାର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି କହିଥିଲେ । ଲୋକଙ୍କ ନିଷ୍ପତ୍ତି ଅନୁଯାୟୀ ଟିକେଟ ଦିଆଯିବ । ପ୍ରାର୍ଥୀ ପାଇଁ ଭୁବନେଶ୍ୱର ଯାଇ ଅଯଥା ଖର୍ଚ୍ଚାନ୍ତ ହୁଅନ୍ତୁ ନାହିଁ ବୋଲି କହିବା ସହିତ ଏହି ସମୟ ମଧ୍ୟରେ ଲୋକଙ୍କ ସମସ୍ୟାରେ ସାମିଲ୍ ହୋଇ ସେମାନଙ୍କର ସୁଖଦୁଃଖରେ ସାମିଲ୍ ହେବାକୁ ସେ ପରାମର୍ଶ ଦେଇଥିଲେ । ଯିଏ ଲୋକଙ୍କ ସହିତ ରହିବ ସେ ଟିକେଟ ପାଇବେ । ଲବି କରନାହିଁ । ଲବି କରିଲେ କୌଣସି ପ୍ରକାର ଫଳ ମିଳିବ ନାହିଁ ବୋଲି ସେ ପ୍ରକାଶ କରିଥିଲେ । ଟିକେଟ ପାଇଁ କୌଣସି ଆଶାୟୀ କନ୍ଧମାଳ ହଳଦୀ କିମ୍ବା ଟଙ୍କା ଧରି ମୋ ପାଖରେ ନପହଞ୍ଚିବାକୁ ସେ ସିଧାସିଧା କର୍ମୀ ଓ ନେତାମାନଙ୍କୁ କହିଥିଲେ । ତେବେ ଦଳକୁ ମଜଭୁଦ କରିବା ପାଇଁ ସଭାପତି ଓ କାର୍ଯ୍ୟକାରୀ ସଭାପତି ଚୟନ କରାଯାଇଥିଲେ ମଧ୍ୟ କେତେକ ଠିକ୍ଭାବେ କାର୍ଯ୍ୟ କରୁନାହାନ୍ତି । ଯେଉଁମାନେ କାର୍ଯ୍ୟକରିପାରୁ ନାହାନ୍ତି ସେମାନେ ଦୟାକରି ପଦବୀ ଛାଡ଼ି ଦିଅନ୍ତୁ ବୋଲି ମଧ୍ୟ ରୋକଠୋକ୍ ଭାବେ କହିଛନ୍ତି ପିସିସି ସଭାପତି । ଫୁଲବାଣୀ ଗସ୍ତରେ ଆସିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଏପରି ମତକୁ ନେଇ ଏବେ ଆରମଅବ ହୋଇଛି ଚର୍ଚ୍ଚା ।
ଫୁଲବାଣୀ ଗସ୍ତରେ ଆସିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କୁ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯାଇଛି । ସ୍ୱାଗତ ଉତ୍ସବରେ ଉଦ୍ବୋଧନ ଦେଇ ଜିଲ୍ଲାର ପ୍ରତ୍ୟେକ ବ୍ଲକକୁ ଗସ୍ତ କରିବେ ବୋଲି ପ୍ରକାଶ କରିବା ସହିତ ବିଗତ ଦିନରେ କନ୍ଧମାଳ କଂଗ୍ରେସର ଗଡ଼ ଭାବେ ପରିଚିତ ଥିବାବେଳେ ତାହା କାହିଁକି ଭୁଶୁଡ଼ି ଯାଇଛି ଓ ଏଥିପାଇଁ ଦାୟୀ କିଏ ବୋଲି କର୍ମୀ ଓ ନେତାଙ୍କୁ ପ୍ରଶ୍ନ କରିଥିଲେ । ଏହି ଅବସରରେ କଂଗ୍ରେସ ଦଳ ଆଉ ପୂର୍ବଭଳି ଚାଲିବ ନାହିଁ ବୋଲି ଚେତେଇ ଦେବା ସହିତ ଲୋକଙ୍କ ସହିତ ସମ୍ପୃକ୍ତ ରଖି ବିକାଶ ନାମରେ ଚିତ୍କାର କରୁଥିବା ରାଜ୍ୟ ସରକାରଙ୍କ ଅସଲ ରୂପ ପଦାରେ ପକାଇବାରେ ସମସ୍ତେ ସାମିଲ୍ ହୁଅ । ଏକଜୁଟ୍ ହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । କନ୍ଧମାଳ ଯେଭଳି ଭାବେ ଏକ ଆଦର୍ଶ ଜିଲ୍ଲା ଭାବେ ପରିଗଣିତ ହୋଇପାରିବ ସେଥିପାଇଁ ସବୁ କଂଗ୍ରେସ ନେତା ଓ କର୍ମୀ ଏକଜୁଟ୍ ହେବାକୁ ସେ ପରାମର୍ଶ ଦେଇଥିଲେ । ଶସ୍ତା ପ୍ରଚାରରେ କଂଗ୍ରେସ ବିଶ୍ୱାସ କରେନାହିଁ । ଆଜି ମଧ୍ୟ ରାଜ୍ୟରେ ୩୬ ଲକ୍ଷ ଯୁବକ ବେକାର । ଏପଟେ ରାଜ୍ୟ ସରାକାର ମୁଁ ହିରୋ କାର୍ଯ୍ୟକ୍ରମ କରୁଛନ୍ତି । ବାସ୍ତବିକ ଏହା ଏକ ମୁଁ ଜିରୋ କାର୍ଯ୍ୟକ୍ରମ ବୋଲି ସେ ମତ ପ୍ରକାଶ କରିଥିଲେ ।
ବିକାଶ କଥା କହୁଥିବା ରାଜ୍ୟ ସରକାରଙ୍କ ବାସ୍ତବିକ ତାଙ୍କର ଦଳୀୟ ଠିକାଦାରମାନଙ୍କର ହିଁ ବିକାଶ ହୋଇଛି ବୋଲି ସେ ଅଭିଯୋଗ କହିଥିଲେ । ଏବେ ସମୟ ଆସିଛି କନ୍ଧମାଳ ଜିଲ୍ଲାରେ କଂଗ୍ରେସର ସ୍ଥିତିକୁ ମଜଭୁତ କରିବା ଓ ଆଗାମୀ ନିର୍ବାଚନରେ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ହେଲେ ମାନସିକ ସ୍ତରରେ ପରିବର୍ତ୍ତନ ଆଣି ଏକଜୁଟ୍ ହୋଇ କାମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ତେବେ କୌଣସି ପ୍ରକାର ବାହାର ଜିଲ୍ଲାର ଲୋକଙ୍କୁ ପ୍ରାର୍ଥୀ କଂଗ୍ରେସ କରିବ ନାହିଁ ବୋଲି ସେ ଘୋଷଣା କରିଥିଲେ । ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ସନ୍ତୋଷ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ହିରାସିଂ ମଣ୍ଡଳ, ପିସିସି ସମ୍ପାଦକ ଘନ କୁମାର ଶବର, ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, କଂଗ୍ରେସ ନେତା ଅନାମ ନାୟକ, ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନ, ଲୋକସଭା ଯୁବ କଂଗ୍ରେସ ସଭାପତି ନନ୍ଦ କିଶୋର ଦାସ, ଜିଲ୍ଲା ସଭାପତି ବରୁଣ ଭୋଇ, କାର୍ଯ୍ୟକାରୀ ସଭାପତି ସୀମାଞ୍ଚଳ ଆଚାର୍ଯ୍ୟ, ଜି.ଉଦୟଗିରି ବିଧାୟକ ଜାକବ ପ୍ରଧାନ, ରାଜ୍ୟସ୍ତରୀୟ ନେତା ଦେବୀ ପ୍ରସାଦ ପୃଷ୍ଟି , ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଅମିୟ ପାଣ୍ଡବ, ପଦ୍ମାକର ଗୁରୁ, ପୂର୍ବତନ ସାଂସଦ ନକୁୂଳ ନାୟକ, ମହିଳାନେତ୍ରୀ ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ କନ୍ଧମାଳ ଜିଲ୍ଲା ପରିଷଦ ସଭାନେତ୍ରୀ ସଂଯୁକ୍ତା କହଁର ଓ ଅନ୍ୟମାନେ ମଞ୍ଚାସୀନ ଥିଲେ । ଏହି ଅବସରରେ କ.ନୂଆଗାଁ ବ୍ଲକର ଆଡ଼ିମାହା ପଞ୍ଚାୟତର ସରପଞ୍ଚ ଶାନ୍ତିଲତା ମଲିକ କଂଗ୍ରେସ ଦଳରେ ସାମିଲ୍ ହୋଇଥିବା ବେଳେ ରାଜ୍ୟ ସଭାପତି ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ ।