ମରୁଡ଼ି ବେଳେ ଜମିକୁ ପାଣି ମିଳୁନି: ନିରଞ୍ଜନ

ଭୁବନେଶ୍ୱର : ଓଡ଼ିଶାର ଚାଷୀମାନେ ମୁଖ୍ୟତଃ ମୋ÷ସୁମୀ ବର୍ଷା ଉପରେ ନିର୍ଭର କରିଥାନ୍ତି । ଯେଉଁ ବର୍ଷ ଖରିଫ ଋତୁରେ ଭଲ ବର୍ଷା ହେଲା, ସେ ବର୍ଷ ଭଲ ଫସଲ ଆଶା କରାଯାଏ । ଯେଉଁ ବର୍ଷ ନିଅଣ୍ଟିଆ ବର୍ଷା ହୁଏ, ସେହି ବର୍ଷ କେନାଲ ପାଣି ଓ ଉଠା ଜଳସେଚନ ପଏଣ୍ଟ ଗୁଡ଼ିକ ଉପରେ ଚାଷୀ ନିର୍ଭର କରିଥାନ୍ତି । ସମଗ୍ର ରାଜ୍ୟରେ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇଦେବା ସକାଶେ ରାଜ୍ୟ ସରକାର ପ୍ରତିବର୍ଷ ବଜେଟରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରିବା ସହିତ ଖର୍ଚ୍ଚ କରୁଛନ୍ତି । କିନ୍ତୁ ମରୁଡି ପରିସ୍ଥିତିରେ ଫସଲ ହାନି ଘଟିଲେ ଚାଷୀ ଆତ୍ମହତ୍ୟା କରୁଛି । ଜଳସେଚନ ବାବବରେ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କା ଯାଉଛି କେଉଁଆଡେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାରେ ଅନେକ ନଦୀ ପ୍ରବାହିତ ହେଉଛି । କିନ୍ତୁ ସେଗୁଡିକର କୁପରିଚାଳନାରୁ ରାଜ୍ୟବାସୀଙ୍କ ବ୍ୟବହାରରେ ଲାଗିପାରୁନାହିଁ । ୨୦୧୫- ୧୬ରେ ନିଅଣ୍ଟି ବର୍ଷା ଓ ମରୁଡି ପରିସ୍ଥିତି ଯୋଗୁ ବ୍ୟାପକ ଫସଲ ହାନି ହୋଇଥିଲା । ପରିସ୍ଥିତିର ମୁକାବିଲା କରିବାକୁ ବିଭିନ୍ନ ସ୍ଥାନରେ ଗଭୀର ନଳକୂଅ ଖୋଳାଯାଉଥିବାବେଳେ ରାଜ୍ୟରେ ପ୍ରତିଷ୍ଠିତ ଶିଳ୍ପଗୁଡିକ ଅବିଚାରିତ ଭାବେ ଭୂତଳ ଜଳ ଶୋଷି ଚାଲିଛନ୍ତି । ଫଳରେ ଆବଶ୍ୟକ ସମୟରେ ଚାଷୀମାନେ ପାଣି ପାଉନାହାନ୍ତି । ଖରିଫ ଫସଲ ନଷ୍ଟ ହେବାରୁ ରାଜ୍ୟରେ ସେହିବର୍ଷ ବହୁ ଚାଷୀ ଆତ୍ମହତ୍ୟା କରିଥିଲେ । ୨୦୧୬ ଅକ୍ଟୋବର ୨୯ରେ ସ୍ୱତନ୍ତ୍ର ରିଲିଫ କମିଶନର ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ । ସେଥିରେ ରାଜ୍ୟରେ ୪୧ଜଣ ଚାଷୀ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରାଯାଇଥିଲା । ଏହା ଅତ୍ୟନ୍ତ ଲଜ୍ଜାଜନକ । ବିଜୁ ଜନତା ଦଳ ବାସ୍ତବ ପକ୍ଷେ ଲୋକଙ୍କ କଲ୍ୟାଣ ଚିନ୍ତା କରିବା ପରିବର୍ତ୍ତେ ଯୋଜନା ପରେ ଯୋଜନା କରି ଭେଳିକି ଦେଖାଇ ଚାଲିଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ୨୦୦୦ରୁ ୨୦୧୩ ମଧ୍ୟରେ ଓଡ଼ିଶାରେ ପାଖାପାଖି ୩୬୦୦ କୃଷକ ଆତ୍ମହତ୍ୟା କରିଛନ୍ତି । ବିଶେଷକରି ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର, ଦେବଗଡ଼, ବାଲେଶ୍ୱର, ଅନୁଗୁଳ ଆଦି ଜିଲ୍ଲାରେ ଅଧିକ ଚାଷୀ ଆତ୍ମହତ୍ୟା କରିଥିବା ରିପୋର୍ଟ ମିଳିଛି । ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ଜଳସମ୍ପଦ ବିଭାଗ ପକ୍ଷରୁ ଜଳସେଚନ ସୁବିଧା ପାଇଁ ୨୦୧୬- ୧୭ରେ ୭୭୨୭ କୋଟି ଟଙ୍କା, ୨୦୧୭-୧୮ରେ ୯୨୧୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ ୨୦୧୮- ୧୯ରେ ୧୦,୧୯୬ କୋଟି ଟଙ୍କା ଖର୍ଚ୍ଚ ଯୋଜନା କରାଯାଇଛି । ପୂର୍ବ ବର୍ଷଗୁଡିକରେ ମଧ୍ୟ ଏ ବାବଦରେ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଛି । ଏସବୁ ସତ୍ୱେ ରାଜ୍ୟର ଚାଷୀଙ୍କୁ କାହିଁକି ଜଳସେଚନ ସୁବିଧା ଉପଲବ୍ଧ କରାଯାଇପାରୁନାହିଁ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ପିସିସି ସଭାପତି କହିଛନ୍ତି ଯେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ହେବାର ସୂଚନା ମିଳିଛି । ରାଜ୍ୟର କିଛି ଜିଲ୍ଲାରେ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧାଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ରାଜ୍ୟର ଅନେକ ଚାଷୀ ସେମାନଙ୍କର ଫସଲ ବୀମା ଅର୍ଥ ପାଇନଥିବା ଅଭିଯୋଗ ଆସିଛି । ଏଭଳି ପରିସ୍ଥିତିର ମୁକାବିଲା ପାଇଁ ସରକାର କେତେ ପ୍ରସ୍ତୁତ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । କୌଣସି କାରଣରୁ ରାଜ୍ୟରେ ଯଦି ଚାଷୀ ଆତ୍ମହତ୍ୟା ଘଟଣାର ପୁନରାବୃତ୍ତି ହୁଏ, କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ପଟ୍ଟନାୟକ ସତର୍କ କରାଇ ଦେଇଛନ୍ତି ।

Comments (0)
Add Comment