କମିଲା ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ । ହୁ ହୁ ହେଇ ବଢୁଥିଲା ଅଢ଼େଇ ଟଙ୍କା କମିଲା । କେନ୍ଦ୍ର ସରକାର ଦେଢ଼ ଟଙ୍କା ଉତ୍ପାଦ ଶୁଳ୍କ କମାଇଥିବା ବେଳେ ତୈଳ କମ୍ପାନି କମାଇଲେ ଟଙ୍କାଏ । ବଢୁଥିବା ତେଲ ଦର ନେଇ ଗତକାଲି ତୈଳମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି। ଆଜି ସାମ୍ବାଦିକ ସମ୍ମିଳନୀ କରି ଜେଟଲୀ ଏହି ଘୋଷଣା କରିବା ସହ ରାଜ୍ୟ ସରକାରମାନେ ଅଢ଼େଇ ଟଙ୍କା ଭାଟ୍ କମାଇବାକୁ ପରାମର୍ଶ ଦେଇଛନ୍ତି । ଫଳରେ ଗ୍ରାହକମାନେ ୫ ଟଙ୍କା ଶସ୍ତାରେ ତେଲ ପାଇବେ।
ଜେଟଲୀଙ୍କ ମୁହଁରୁ ଘୋଷଣା ସରୁ ସରୁ ବିଜେପି ଶାସିତ ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼, ଆସାମ, ତ୍ରିପୁରା ସରକାର ଅନୁରୂପ ପଦକ୍ଷେପ ନେଇଛନ୍ତି । ଏସବୁ ରାଜ୍ୟରେ ଅଢେଇ ଟଙ୍କା ଲେଖାଏଁ ଭାଟ୍ କମାଯାଇଛି । ମଧ୍ୟ ରାତ୍ର ପୂର୍ବରୁ ଆଉ କିଛି ବିଜେପି ଶାସିତ ରାଜ୍ୟ ଏମିତି ପଦକ୍ଷେପ ନେଇପାରନ୍ତି । କଂଗ୍ରେସ କିନ୍ତୁ କହୁଛି, ଏହି ମୂଲ୍ୟହ୍ରାସ କିଛି ନୁହେଁ । ଘା ବଡ଼ ହୋଇ ଭିତରକୁ ମାଡ଼ି ଯାଇଥିବା ବେଳେ ସରକାର ବ୍ୟାଣ୍ଡ୍ ଏଡ୍ ଲଗାଉଥିବା କହିଛି କଂଗ୍ରେସ । ଓଡ଼ିଶା ସରକାର ତୁରନ୍ତ ଭାଟ୍ କମାଇବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡି କିନ୍ତୁ କେନ୍ଦ୍ର ଗଣିତର ଭିନ୍ନ ଫଳ ଦେଖାଇଛି । ରାଜ୍ୟ ସରକାର ଚିନ୍ତାକରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ।