ଖଲ୍ଲିକୋଟରେ ରାଜନୈତିକ ହିଂସା; ୮ ଗୁରୁତର

ଖଲ୍ଲିକୋଟରେ ରାଜନୈତିକ ହିଂସା । ବୁଧବାର ରାତିରେ ପୋଷ୍ଟର ମାରିବାକୁ ନେଇ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହଣାହାଣି ହୋଇ ଉଭୟ ପକ୍ଷର ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାନୁଯାୟୀ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ବୁଧବାର ରାତିରେ ବିଜେପି କର୍ମୀମାନେ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ସେଠିଙ୍କ ପୋଷ୍ଟର ଲଗାଉଥିଲେ।

ଜଣେ ବ୍ୟକ୍ତିଙ୍କ ଘର ଆଗରେ ବିଜେପି ପୋଷ୍ଟର ଲଗାଇବାରୁ ସେ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କ୍ରମେ ଏହା ଉଗ୍ର ରୂପ ଧାରଣ କରିଥିଲା। ପରସ୍ପର ପରସ୍ପରଙ୍କ ଉପରେ ଖଣ୍ଡାରେ ଆକ୍ରମଣ କରିଥିଲେ। ଆକ୍ରମଣରେ ବିଜେପି ନେତା ରାମ ପାହାନଙ୍କ ଦୁଇ ପୁତ୍ର ଦିଲ୍ଲୀପ ପାହାନ ଓ ଜିତେନ୍ଦ୍ର ପାହାନ, ଦିଲ୍ଲୀପଙ୍କ ଶଳା ବାପୁଜୀ ପାହାନ ଏବଂ ସମ୍ପର୍କୀୟ ଦାଦା ଅଭି ପାହାନ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ବିଜେଡି କର୍ମୀ ସୁଦର୍ଶନ ପାହାନ, କାର୍ତ୍ତିକ ପରିଡା, କାଳିଆ ପ୍ରଧାନ ଓ ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। କାହାର ହାତ, କାହାର ଗୋଡ଼ ଓ କାହାର ବେକକୁ ଖଣ୍ଡାରେ ହଣାଯାଇଛି।

ବିଜେପିର ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଅବସ୍ଥା ଶଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ବିଜେପି କର୍ମୀମାନେ ଖଲ୍ଲିକୋଟ ମେଡିକାଲରେ ଥିବାରୁ ବିଜେଡି କର୍ମୀମାନେ ସିଧା ବ୍ରହ୍ମପୁର ବଡ଼ ମେଡିକାଲକୁ ଚାଲି ଯାଇଥିଲେ। ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ, ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ମେଡିକାଲରେ ପହଞ୍ଚି ଥିଲେ। ବର୍ତ୍ତମାନ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି।

Political violence in Khallikot; 8 is serious
Comments (0)
Add Comment