ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ବାଟ ଖୋଜୁଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ସରକାର

ଭୁବନେଶ୍ବର : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରୁ ଖସିବା ପାଇଁ ବାଟ ଖୋଜୁଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ସରକାର । ସବୁ ଠିକ୍ ଠାକ୍ ଅଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ସଫେଇ ଦେଇଛି । ହେଲେ ଲୋକେ ଆଉ ବିଶ୍ବାସ କରିବା  ସ୍ଥିତିରେ ନାହାଁନ୍ତି । ଏପରିକି ଗଜପତିଙ୍କ ମୁଣ୍ଡରେ ନଡିଆ ଭାଙ୍ଗିବା ପ୍ରୟାସକୁ ବି ବିରୋଧ ଆରମ୍ଭ ହୋଇଛି । ସରକାରଙ୍କୁ ଘେରିଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ ।ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଥମୁନି ବିବାଦ । ଚାବି ହଜିଯାଇଛି ନା କିଏ ଚୋରାଇ ନେଇଛି ତାହା ଏବେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ବଡପ୍ରଶ୍ନ ହୋଇ ଠିଆହୋଇଛି । ଗଜପତିଙ୍କ ଉପରକୁ ଦୋଷ ଠେଲି ଖସିଯିବାକୁ ଯେଉଁ ଉଦ୍ୟମ ହେଉଥିଲା ତାକୁ ଏବେ ସବୁ ସ୍ତରରୁ ବିରୋଧ ଆରମ୍ଭ ହୋଇଛି । ବିଜେପି କହିଛି ମନ୍ଦିର ପ୍ରଶାସନ ପାଖରେ ଥିବା ଚାବି ହଜିଥିବା ବେଳେ ଗଜପତିଙ୍କ ମୁଣ୍ଡରେ ଦୋଷ ବୋଳିବାକୁ ବିଜେଡି ନେତାଙ୍କ ଉଦ୍ୟମ ଲଜ୍ଜାଜନକ । ସିବିଆଇକୁ ତଦନ୍ତ ଭାର ଦେଇ ସରକାର ସତ କଣ ପଦାକୁ ଆଣନ୍ତୁ ବୋଲି ଦାବି କରିଛି ବିଜେପି । ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ମତ ଯେ ୧୯୮୫ରେ ଶେଷଥର ପାଇଁ ରତ୍ନଭଣ୍ଡାର ଯାଞ୍ଚ ହୋଇଥିବାରୁ ସେବେଠାରୁ ହିଁ ଜୁଡିସିଆଲ କମିଶନ ତଦନ୍ତ କରନ୍ତୁ । କମିଶନଙ୍କୁ ସହଯୋଗ କରିବାକୁ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଶ୍ରୀମନ୍ଦିର ଆଇନ ଅନୁଯାୟୀ ରତ୍ନଭଣ୍ଡାର ସ୍ଥିତି ସଂପର୍କରେ ବର୍ଷକୁ ୨ଥର ଶ୍ରୀମନ୍ଦିର ପରିଚାଳନା କମିଟି ରିପୋର୍ଟ ଦେବା କଥା । ତେବେ ଚାବି ହଜିବା କେହି କିଭଳି ଜାଣି ପାରିଲେନି କେମିତି, ବିଜେପି ସେହି ପ୍ରଶନ କରିଛି । କଂଗ୍ରେସ ବି ସରକାରଙ୍କୁ ଟାର୍ଗେଟ୍ କରିଛି ।

ଗଜପତିଙ୍କୁ ଦୋଷ ଦେଇ ଗତକାଲି ବିଜେଡି ନେତା ତଥା ସେବାୟତ ନିଯୋଗ ସଂପାଦକ ରାମକୃଷ୍ଣଦାସ ମହାପାତ୍ର ଅଭିଯୋଗ କରିଥିଲେ । ସେପଟେ ସରକାରୀଭାବେ ମନ୍ଦିର ପ୍ରଶାସନ ସଫେଇ ଦେଇଛି, ରତ୍ନ ଭଣ୍ଡାରରେ ସମସ୍ତ ଅଳଙ୍କାର ସୁରକ୍ଷିତ ଅଛି । ଯେହେତୁ ଗୋଟିଏ ତାଲାରେ ଜଉ ମୁଦ ରହିଛି ତେଣୁ ଏଭଳି ଆକଳନ କରୁଛି ମନ୍ଦିର ପ୍ରଶାସନ । କିନ୍ତୁ ସେ ଯଉମୁଦ ତାଲା ଠିକ୍ କି ଭୁଲ୍ ତାହା ବି ସନ୍ଦେହ ଘେରରେ । ଦାମୋଦର ରାଉତଙ୍କ ଭଳି ବରିଷ୍ଠ ନେତାଙ୍କ ମତ ଯେ ଚାବି ହଜିଥିବାରୁ ଅଳଙ୍କାର ଯେ କିଏ ନନେଇଥିବ, ତାହା କହିହେବନି । ବିଜେଡିର ଯୁକ୍ତି, କମିଶନ ତଦନ୍ତ ଉପରେ ସମସ୍ତେ ଭରସା କରିବା ଦରକାର ।

ପ୍ରସଙ୍ଗ ହାତରୁ ଖସୁଥିବା ଦେଖି ଶ୍ରୀମନ୍ଦିର ପ୍ରଶାସନ ଏକ ୩ ପୃଷ୍ଠାର ପ୍ରେସ ରିଲିଜ ଜାରି କରାଯାଇଛି । ଯେଉଁଥିରେ ରତ୍ନଭଣ୍ଡାର ଅଳଙ୍କାର ସୁରକ୍ଷିତ ଥିବା ଦର୍ଶାଯାଇଛି । ତେଣୁ ଭକ୍ତମାନେ ଉଦବେଗ ପ୍ରକାଶ କରିବା ଦରକାର ନାହିଁ । ପ୍ରଶ୍ନ ଉଠୁଛି ଗତ ମାର୍ଚ୍ଚରେ ଯେତେବେଳେ ରତ୍ନଭଣ୍ଡାର ଖୋଲି ସ୍ଥିତି ପରଖି ଥିଲା ବିଶେଷଜ୍ଞ କମିଟି, ସେତେବେଳେ ଚାବି ହଜିଯାଇଥିବା ଜାଣିବା ପରେ ବି କାହିଁକି ଓଡିଶା ବାସୀଙ୍କୁ ଜଣାଇ ନଥିଲା ଶ୍ରୀମନ୍ଦିର ପ୍ରଶାସନ । ଆଉ ସେତେବେଳେ ଯଦି ମିଛ କହିଥିଲେ ଏବେ ଯେ ପୁଣି ମିଛ କହୁନଥିବେ ତାର ଗ୍ୟାରେଣ୍ଟି କଣ ।

Comments (0)
Add Comment