ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପୋଷ୍ଟ ମଟର୍ମ : ସରୁନି ଲାଭ କ୍ଷତିର ହିସାବ

ଭୁବନେଶ୍ବର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ସରିଛି ହେଲେ ରାଜନୀତିରେ ସରୁନି ଲାଭକ୍ଷତିର ହିସାବ ।ନିଜେ ନିଜର ଅଙ୍କ କଷୁଛନ୍ତି ପ୍ରାୟ ସବୁ ଦଳ । ଏକଥା ଏଇଥି ପାଇଁ ଉଠୁଛି କାହିଁକି ନା’ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଯେଉଁଭଳି ଭାବେ ମୋଦି ନବୀନଙ୍କ ସହଯୋଗ ଲୋଡ଼ିଲେ ଆଉ ନବୀନ ବି ସହଯୋଗର ହାତ ବଢ଼ାଇଲେ ତାକୁ ନେଇ ଏବେ ରାଜ୍ୟରେ ନେତାଏ ଲାଭକ୍ଷତିର ହିସାବରେ ଲାଗିପଡ଼ିଛନ୍ତି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହୁଛନ୍ତି ଏହା ଦ୍ବାରା ବିଜେପିର କ୍ଷତି ସହିବ । ଏହା ଦ୍ବାରା ଜନତାଙ୍କ ବିଶ୍ବାସ ହରାଇବ ଦଳ । ସେପଟେ ପିସିସି ମୁଖିଆ କିନ୍ତୁ ଏହାକୁ ବିଜେପିର ଲାଭ ବୋଲି କହିଲେଣି । ବାସ୍ତବରେ ନବୀନ-ମୋଦିଙ୍କ ଭିତରେ ଆରମ୍ଭ ହୋଇଥିବା ନୂଆ ବନ୍ଧୁତା ହିଁ ଏସବୁ ଲାଭକ୍ଷତିର ହିସାବକୁ ସାମ୍ନାକୁ ଆଣିଛି ।

ମୋଦି କହିଲେ ଆଉ ନବୀନ ମାନିଗଲେ । ବିଜେଡିର ୯ ସାଂସଦଙ୍କ ସମର୍ଥନ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କ ବିଜୟକୁ ସହଜ କରିଦେଲା । ଯେଉଁଥିପାଇଁ ପରସ୍ପରକୁ ଧନ୍ୟବାଦ ମଧ୍ୟ ଜଣାଇଲେ ମୋଦି ଆଉ ନବୀନ । ହେଲେ ମୋଦି-ନବୀନଙ୍କ ଏଇ ନୂଆ ବନ୍ଧୁତାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଲଘୁଚାପ ବର୍ଷା ଆରମ୍ଭ ହୋଇଗଲାଣି । ଉଭୟ ନେତାଙ୍କ ସମ୍ପର୍କର ସାଇଡ୍‌ ଇଫେକ୍ଟ ଖୋଜିବାକୁ ଆରମ୍ଭ କଲେଣି ନେତା । ଖୋଦ୍‌ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହୁଛନ୍ତି ବିଜେପି, ବିଜେଡିକୁ ସମର୍ଥନ ମାଗିବା ଫଳରେ ବିଜେପିର ହିଁ କ୍ଷତି ହୋଇଛି । ଗୋଟେ ପଟେ ସମର୍ଥନ ମାଗୁଛନ୍ତି ଅନ୍ୟପଟେ ପ୍ରେସମିଟ୍‌ କରି ଗର୍ଜୁଛନ୍ତି । ଏମିତି ହେଲେ ଲୋକେ ବିଜେପିକୁ ବିଶ୍ବାସ କରିବେନି ।

ମୋଦି-ନବୀନ ସମ୍ପର୍କକୁ ରାଜ୍ୟ ବିଜେପି କ୍ଷତିରେ ରହିବ ବୋଲି ବିଜୟ ମହାପାତ୍ର ଆକଳନ କରୁଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟାନାୟକ କିନ୍ତୁ ଏଥିରେ ବିଜେପିର ଲାଭ ଖୋଜିଛନ୍ତି । ବିଜେଡି-ବିଜେପି କୋଳାକୋଳିରୁ ବିଜେପିର ଲାଭ ହେବ ବୋଲି ହିସାବ କରୁଛି କଂଗ୍ରେସ ।

ମୋଦି-ନବୀନଙ୍କ ବନ୍ଧୁତା ବଢ଼ିଲେ କିଏ ଲାଭରେ ଆଉ କିଏ କ୍ଷତିରେ ରହିବ ସେନେଇ ସମସ୍ତେ ଅଙ୍କ କଷିଲେଣି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ଏନଡିଏ ଆଡ଼କୁ ଢଳିବା ପରେ ରାଜ୍ୟ ରାଜନୀତିରେ ଏଭଳି ବିତର୍କ ଠିଆ କରିଛି । ନବୀନ-ମୋଦିଙ୍କ ଭିତରେ ଦୂରତା କମିଲେ ରାଜ୍ୟରେ ବିଜେପି ଓ ବିଜେଡି ଭିତରେ ଆଉ ତୁ ତୁ ମେଁ ମେଁ ହେବ କି ନାହିଁ , କେନ୍ଦ୍ରରେ ସିନା କୋଳାକୋଳି ହେଲେ ରାଜ୍ୟରେ ଏହି ଦୁଇ ଦଳଙ୍କ ରଣନୀତି କ’ଣ ରହିବ ସେନେଇ ଆଲୋଚନା ହେବା ସ୍ବାଭାବିକ । ଏମିତିରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ  ଯୁକ୍ତି ଏନଡିଏକୁ ବିଜେଡିର ସମର୍ଥନ ପଛରେ ମୋଦିଙ୍କୁ ଡର ନା’ ଭଲପାଇବା ନା’ ମୋଦି ପୁଣିଥରେ ୨୦୧୯ରେ ନିର୍ବାଚିତ ହୋଇ ଆସିବେ ଭାବି ଆଗୁଆ ସମର୍ଥନର ସୂଚନା, ତାହା ବିଜେଡି କହିବ । ହେଲେ ବିଜେଡିର ବିଜେଡି ମୁଖପାତ୍ରଙ୍କ ଜବାବ୍‌ ଏଠି ଲାଭକ୍ଷତିର ହିସାବ ନକରି ଜାତୀୟ ସ୍ବାର୍ଥକଥା ଚିନ୍ତା କରିଛି ଦଳ । ତେଣୁ ଏହାକୁ ନେଇ ରାଜନୀତି କରାନଯାଉ ।

ରାଜନୀତିରେ ସବୁ ସମ୍ଭବ । ଆଜି ଯିଏ ମିତ୍ର କାଲି ସିଏ ଶତ୍ରୁ । ଆଉ ଆଜି ଯିଏ ଶତ୍ରୁ କାଲି ସିଏ ମିତ୍ର । ରାଜନୈତିକ ଫାଇଦା ପାଇଁ କେତେବେଳେ କିଏ କାହାକୁ ସମର୍ଥନ ଦେବେ ଆଉ କାହାଠୁ ଦୂରେଇଯିବେ ସେକଥା କହିବା ମୁସକିଲ । ତଥାପି ୨୦୧୯ ସାଧାରଣ ନିର୍ବାଚନକୁ ନେଇ ଯିଏ ଯେଝା ଷ୍ଟ୍ରାଟେଜୀରେ ଅଛନ୍ତି । ଲକ୍ଷ୍ୟ କେବଳ କ୍ଷମତା ହାସଲ କରିବା ।

Comments (0)
Add Comment