ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନର ସେଣ୍ଟର ଷ୍ଟେଜରେ ବିଜେଡି : ନବୀନଙ୍କୁ ସମର୍ଥନ ମାଗିଲେ ଅମିତଶାହ,ବିଜେଡି ଉପରେ ନଜର

ଭୁବନେଶ୍ବର : ଜମିଲା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ରାଜନୀତି । ୨୪୫ ଆସନ ବିଶିଷ୍ଟ ଅପର୍ ହାଉସରେ ଏନ୍.ଡି.ଏ କିମ୍ବା ୟୁପିଏର ଆବଶ୍ୟକ ସଂଖ୍ୟା ନଥିବା ବେଳେ , ଏବେ ସମସ୍ତଙ୍କ ନଜର ବିଜେଡି ଉପରେ । ଏନ୍.ଡି.ଏ ପ୍ରାର୍ଥୀ ପାଇଁ ପାଇଁ ନୀତିଶ କୁମାର, ରାଜନାଥ ସିଂହ, ଅମିତ ଶାହ ନବୀନଙ୍କୁ ଫୋନ୍ କରି କରି ସମର୍ଥନ ମାଗିଥିବା ବେଳେ, ୟୁପିଏ ପ୍ରାର୍ଥୀଙ୍କ ପାଇଁ ଶରଦ ପାୱାର ମଧ୍ୟ ନବୀନଙ୍କୁ କଲ୍ କରିଛନ୍ତି । ଆସନ୍ତାକାଲି ବିଜେଡି ତାର ମତ ସ୍ପଷ୍ଟ କରିବ । ତେବେ କେଉଁ ପଟକୁ ଢଳିବେ ନବୀନ, ତାହା ଉପରେ ରହିଛି ସବୁ ଦଳ ନଜର ।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନର ସେଣ୍ଟର ଷ୍ଟେଜରେ ବିଜେଡି । କେତେବେଳେ ଏନଡିଏ ତ ଆଉ କେତେବେଳ ୟୁପିଏ କ୍ୟାମ୍ପରୁ ନବୀନଙ୍କ ପାଖକୁ ଆସୁଛି କଲ୍ । ଜେଡିୟୁର ହରିବଂଶ ନାରାୟଣ ସିଂହଙ୍କୁ ଏନଡିଏ ପ୍ରାର୍ଥୀ କରିଥିବା ବେଳେ ପ୍ରଥମେ ନୀତିଶ କୁମାର, ନବୀନଙ୍କୁ କଲ୍ କରିଥିଲେ । ପରେ ରାଜନାଥ ସିଂହ ଏବଂ ଅମିତ୍ ଶାହା କଥା ହୋଇଛନ୍ତି । ସେପଟେ ଏନସିପିର ବନ୍ଦନା ଚୌହାନଙ୍କୁ ୟୁପିଏ ପ୍ରାର୍ଥୀ କରିଥିବା ବେଳେ ଶରଦ ପାୱାର୍ ମଧ୍ୟ ନବୀନଙ୍କୁ କଲ୍ କରିଛନ୍ତି । ୨୦୧୨ ରାଷ୍ଟ୍ରପତି ନିର୍ବାଚନ ବେଳେ ପି.ଏ. ସାଙ୍ଗମାଙ୍କ ପାଇଁ ନୀତିଶଙ୍କ ସମର୍ଥନ ଲୋଡ଼ିଥିଲେ ନବୀନ । ଜେଡିୟୁ ସେତେବେଳେ ସମର୍ଥନ ଦେଇ ନଥିଲା । ସେପଟେ ଶରଦ ପାୱାରଙ୍କ କଥା ନବୀନ ରଖିବେ କି ନରଖିବେ ତାହା ମଧ୍ୟ ସ୍ପଷ୍ଟ କରିନି ବିଜେଡି ।

ରାଜ୍ୟସଭା ଗଣିତ ଅନୁସାରେ ବିଜେପି କିମ୍ବା କଂଗ୍ରେସ କାହା ପାଖରେ ଆବଶ୍ୟକ ସଂଖ୍ୟା ନାହିଁ । ଏଭଳି ସ୍ଥିତିରେ ବିଜେପି, ଜେଡିଏସ୍ କାନ୍ଧରେ ଲାଉ ହୋଇଥିବା ବେଳେ ଏନସିପିର ବନ୍ଦନା ଚୌହାନଙ୍କୁ ଗୋଟି କରିଛି ୟୁପିଏ । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଜିତି, ବିଜେପି ବିରୋଧୀଙ୍କ ମନବଳ ଭାଙ୍ଗିବା ଚକ୍କରରେ ଅଛି । ସେପଟେ ବନ୍ଦନାଙ୍କ ମାଧ୍ୟମରେ କଂଗ୍ରେସ, ବିରୋଧୀ ପ୍ଲାଟଫର୍ମକୁ ମଜବୁତ କରିବାକୁ ଚାହୁଁଛି । ରାଜ୍ୟସଭାରେ ବିଜେଡିର ୯ ଜଣ ସଦସ୍ୟ ଥିବାରୁ ନବୀନଙ୍କ ମୁଭ୍ ଉପରେ ସମସ୍ତଙ୍କ ନଜର ।

ରାଜ୍ୟସଭା ଉପାଧ୍ୟକ୍ଷ ପଦ ଉପରେ ଶିରୋମଣି ଅକାଳୀ ଦଳର ନଜର ଥିଲା । କିନ୍ତୁ ବଡ଼ଭାଇ ବିଜେପି, ଜେଡିୟୁକୁ କୋଳରେ ବସାଇଛି । ତେଣୁ ନିର୍ବାଚନରୁ ବିରତ ରହିବାକୁ କହିଲେଣି ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂହ ବାଦଲ । ସେପଟେ ଶିବସେନା ବିଜେପି ଫାଟ ବଢୁଛି ସିନା କମୁନି । ଏଭଳି ସ୍ଥିତିରେ ଏହି ଦୁଇଦଳ ଏନଡିଏ ପ୍ରାର୍ଥିଙ୍କୁ ସମର୍ଥନ ଦେବେ କି ନାହିଁ କହିହେଉନି । ସେହିଭଳି ଓାଇଏସ୍ଆର୍ କଂଗ୍ରେସ ମଧ୍ୟ ଏନଡିଏକୁ ସମର୍ଥନ ଦେବନି ବୋଲି ଘୋଷଣା କରିଛି । ଏଆଇଏଡିଏମକେ ଓ ଟିଆରଏସ୍ ଏନଡିଏ କ୍ୟାମ୍ପକୁ ଯାଇପାରନ୍ତି । ସେହିଭଳି ୟୁପିଏ କ୍ୟାମ୍ପରେ ବାମପନ୍ଥୀ, ତୃଣମୂଳ କଂଗ୍ରେସ, ଏସପି, ବିଏସପି ଡିଏମକେ, ଏନସିପି ଏବଂ ଟିଡିପି ଅଛନ୍ତି । ତଥାପି କାହା ପାଖରେ ମ୍ୟାଜିକ୍ ନମ୍ବର ୧୨୩ ନାହିଁ । ତେଣୁ ଏଭଳି ସ୍ଥିତିରେ ବିଜେଡିର ଗୁରୁତ୍ବ ବଢିଛି ।

Comments (0)
Add Comment