ବାଜି ମାରିନେଲା ଏନଡିଏ । ମୋଦିଙ୍କ ଗୋଟି ଚାଳନାରେ ଫ୍ଲାଟ୍ ହୋଇଗଲା ବିରୋଧୀ ଏକତା । ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ୨୦ ଖଣ୍ଡ ଅଧିକ ଭୋଟ୍ ପାଇବା କଂଗ୍ରେସ କ୍ୟାମ୍ପକୁ ନିରୁତ୍ସାହିତ କରିଛି । ୧୯ରେ ମୋଦିଙ୍କୁ ଚେକ୍ ଦେବାକୁ ବିରୋଧୀ ଯେଉଁ ସ୍ବପ୍ନ ଦେଖୁଥିଲେ, ତାହା ଫିକା କରି ଦେଲେ ମୋଦି-ଶାହା ଯୋଡ଼ି । ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ୧୨୫ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସର ବି. କେ. ହରିପ୍ରସାଦ ପାଇଛନ୍ତି ୧୦୫ ଖଣ୍ଡ ଭୋଟ୍ । ଆମ୍ ଆଦମୀ ପାର୍ଟି ଓ ୱାଇଏସଆର କଂଗ୍ରେସ ୟୁପିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇନାହାନ୍ତି । ସେପଟେ ଟିଆରଏସ, ଏଆଇଏଡିଏମକେ ଓ ବିଜେଡିର ସମର୍ଥନ ହାସଲ କରିବାରେ ସଫଳ ହୋଇଛନ୍ତି ମୋଦି । ଯାହା ଜାତୀୟ ରାଜନୀତିରେ ନୂଆ ସମୀକରଣର ସମ୍ଭାବନା ସୃଷ୍ଟି କରିଛି ।
ଏନଡିଏ ପ୍ରାର୍ଥୀଙ୍କୁ ନବୀନଙ୍କ ସମର୍ଥନ, ରାଜ୍ୟ ରାଜନିତୀରେ ତୁ ତୁ ମେ ମେ ହେଉଥିବା ବିଜେଡି, ବିଜେପି ନେତାଙ୍କ ମୁହଁ ଫିକା କରିଦେଇଛି । ଭୋଟିଂ ପୂର୍ବରୁ ବିଜେଡି ସଫେଇ ଦେଲା ଯେ, ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ସମର୍ଥନ, ବିଜେପିକୁ ନୁହେଁ ବରଂ ନୀତିଶଙ୍କୁ । ଜୟପ୍ରକାଶ ନାରାୟଣଙ୍କ ଆଦର୍ଶର ଗାଥା ଗାଇଛନ୍ତି ବିଜେଡି ନେତା । ସେପଟେ ସାମ୍ବିଧାନିକ ପଦ ମର୍ଯ୍ୟାଦାର କଥା କହି ବିଜେଡିକୁ ଧନ୍ୟବାଦ ଦେଇଛି ବିଜେପି ।
ମୋଦିଙ୍କ ଫୋନ କଲ ନନୀନଙ୍କ ମନ ବଦଳାଇ ଦେଲା । ଯେଉଁଥି ପାଇଁ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା କଥା କହୁଥିବା ବିଜେଡି, ଏନଡିଏ ଆଡ଼କୁ ଢଳିଗଲା । ତେବେ ୧୯ ନିର୍ବାଚନ ବେଳକୁ ରାଜ୍ୟରେ ଏହି ଦୁଇ ଦଳ ପରସ୍ପର ପ୍ରତି କି ଆଭିମୁଖ୍ୟ ଗ୍ରହଣ କରିବେ, ତାହା ଏବେଠୁ ଚର୍ଚ୍ଚା ହେଲାଣି ।