ଭୁବନେଶ୍ବର : ଆଜି ନୀଳାଦ୍ରି ବିଜେ । ଆଜି ରସଗୋଲା ଦିବସ । ଜଗନ୍ନାଥ ସଂସ୍କୃତିର ପରିଚୟ ବହନ କରୁଥିବା ଓଡ଼ିଶାର ପରମ୍ପରା ସହ ଜଡ଼ିତ ରସଗୋଲା । ହେଲେ ରସଗୋଲା କାହାର ? ମିଠା ଭିତରେ ରାଜା ରସଗୋଲାକୁ ନେଇ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟରେ ଟଣା ଓଟରା ଚାଲିଥିବା ବେଳେ ଉଠିଛି ସେହି ପୁରୁଣା ପ୍ରସଙ୍ଗ ।
ଓଡ଼ିଶା ହାତରୁ ଖସି ପଡ଼ିବ କି ରସଗୋଲା ? ଝାମ୍ପି ନେବ କି ପଶ୍ଚିମବଙ୍ଗ ? ଆଜି ନୀଳାଦ୍ରି ବିଜେରେ ମହାପ୍ରଭୁ ଜଗନ୍ନାଥ, ରସଗୋଲା ଖୁଆଇ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ କରୁଥିବା ବେଳେ ଉଠିଛି ସେହି ପୁରୁଣା ବିବାଦ । ରସଗୋଲା ଉପରେ ରାଜ୍ୟ ସରକାର ଠିକଣା ତଥ୍ୟ ରଖୁ ନଥିବା କହିଛନ୍ତି ବିରୋଧୀ । ରସଗୋଲା ଜିଆଇ ଟ୍ୟାଗ ନେଇ ଓଡ଼ିଶାର ଦାବି ଉପରେ ତଥ୍ୟ ମାଗିଛନ୍ତି ଜିଆଇ କତ୍ତୃପକ୍ଷ । ୧୪ଟି ବିଷୟରେ ମାସକ ଭିତରେ ତଥ୍ୟ ଦେବାକୁ ଜୁନରେ କହିଥିଲେ ଜିଆଇ କର୍ତ୍ତୃପକ୍ଷ । ହେଲେ ରାଜ୍ୟ ସରକାର, ସମୟ ଟାଳି ଚାଲିଛନ୍ତି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ସେପଟେ ଏମଏସଏମଇ ମନ୍ତ୍ରୀ କହୁଛନ୍ତି, ସରକାର ଅଗଷ୍ଟ ୨୧ ଯାଏଁ ସମୟ ନେଇଛନ୍ତି, ତା ଭିତରେ ବଳିଷ୍ଠ ତଥ୍ୟ ଦିଆଯିବ ।
ଗୋଟିଏ ପଟେ ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଟଣା ଓଟରା ଚାଲିଥିବା ବେଳେ ଆଜି ନିଳାଦ୍ରୀ ବିଜେରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଖୁଆଇ ମାନ ଭଞ୍ଜନ କରିଛନ୍ତି କାଳିଆ ଠାକୁର । ଓଡ଼ିଶାର ପରମ୍ପରା ଓ ସଂସ୍କୃତି ସହ ଯୋଡ଼ି ହୋଇଯାଇଛି ରସଗୋଲା । ଆଉ ଏହି ରାଜା ମିଠା ପାଇଁ ନୀଳାଦ୍ରି ବିଜେ ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ଯାହା ପାହାଳରେ ବେଶ୍ ଅନଭୂତ ହୋଇଛି ।
ରସଗୋଲା ଓଡ଼ିଶାର ଦାବି କରି ରାଜ୍ୟ ସରକାର ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିଛନ୍ତି । ହେଲେ ଠିକଣା ସମୟରେ ତଥ୍ୟ ଦେଉନାହାନ୍ତି । ତେଣୁ ପଶ୍ଚିମବଙ୍ଗ ଝାମ୍ପିନେବା ଆଶଙ୍କା କରାଯାଉଛି ।