ରାଷ୍ଟ୍ରପତି ଦମ୍ପତିଙ୍କୁ ଶ୍ରୀ ମନ୍ଦିରରେ କୌଣସି ଅସମ୍ମାନ କରାଯାଇନାହିଁ-ରାଷ୍ଟ୍ରପତିଙ୍କ ପ୍ରେସ୍‌ ସଚିବ

ଭୁବନେଶ୍ୱର  : ପୁରୀ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତିଙ୍କୁ ଅସମ୍ମାନ ପ୍ରଦର୍ଶନ କରାଯାଇ ନାହିଁ । ଏ ନେଇ ରାଷ୍ଟ୍ରପତି ଭବନରୁ ସ୍ଥାନୀୟ ପ୍ରଶାସନ ନିକଟରେ କୌଣସି ଅଭିଯୋଗ ହୋଇ ନଥିଲା। ଏ ନେଇ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ସମ୍ପୂର୍ଣ୍ଣ ନିରାଧାର ବୋଲି ସ୍ପଷ୍ଟ କରିଛନ୍ତି ରାଷ୍ଟ୍ରପତିଙ୍କ ପ୍ରେସ୍‌ ସଚିବ ଅଶୋକ ମଲିକ। ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’କୁ ସୂଚନା ଦେଇ ଅଶୋକ ମଲିକ ଏହି ସୂଚନା ଦେଇଛନ୍ତି।

ଶ୍ରୀ ମଲିକ କହିଛନ୍ତି ଯେ ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀଙ୍କୁ ଅସଦାଚାରଣ ପ୍ରଦର୍ଶନ କରାଯାଇଥିବା ନେଇ ରାଷ୍ଟ୍ରପତିଙ୍କ ପକ୍ଷରୁ କୌଣସି ଚିଠି ଜାରି କରାଯାଇ ନାହିଁ। ଏହା ମିଥ୍ୟା ଅଟେ। ଏହି ଘଟଣାର ବର୍ଣ୍ଣନା କରିବାକୁ ଯାଇ ସେ ରାଷ୍ଟ୍ରପତିଙ୍କ ପ୍ରେସ୍‌ ସଚିବ କହିଛନ୍ତି ଯେ ସେସମୟରେ ରାଷ୍ଟ୍ରପତି ଦର୍ଶନ କରୁଥିବା ବେଳେ କିଛି ସେବାୟତ ପ୍ରୋଟୋକଲ ଭାଙ୍ଗି ତାଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେହି ସେବାୟତମାନଙ୍କୁ ସୁରକ୍ଷାକର୍ମୀଙ୍କ ଦ୍ୱାରା ଅଟକାଯାଇଥିଲା। ଜାତୀୟ ଗଣମାଧ୍ୟରେ ଏହାକୁ ନେଇ ପ୍ରକାଶ ପାଉଥିବା ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା ଅଟେ। ଯେ କେହି ଚିଠି ଯାଇଛି ବୋଲି କହୁଛନ୍ତି, ତେବେ ସେ ଏହାର ସ୍ପଷ୍ଟୀକରଣ ଦିଅନ୍ତୁ ।

ଅନ୍ୟପକ୍ଷରେ ଏହି ବିବାଦ ସମ୍ପର୍କରେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ,“ ‘ମୋ ଜାଣିବାରେ ସେମିତି କିଛି ଘଟଣା ଘଟି ନ ଥିଲା। ରାଷ୍ଟ୍ରପତିଙ୍କ ଅଫିସ ପକ୍ଷରୁ ଏମିତି ଲିଖିତ ଅଭିଯୋଗର ପ୍ରଶ୍ନ ଉଠୁ ନାହିଁ। ହେଲେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି ବିବାଦ ସୃଷ୍ଟି କଲା ମୁଖ୍ୟମନ୍ତ୍ରୀ ତାର ସ୍ପଷ୍ଟୀକରଣ ରଖନ୍ତୁ।”

ଦୁଇ ଦିନ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଓ ମୁଖ୍ୟ ଶାସକ ସଚିବ ଆଦିତ୍ୟ ପ୍ରସାଦ ପାଢୀ ମଧ୍ୟ କହିଥିଲେ ଯେ ରାଷ୍ଟ୍ରପତି ଦମ୍ପତିଙ୍କୁ ଅସମ୍ମାନ ନେଇ ରାଷ୍ଟ୍ରପତି ଭବନର କୌଣସି ଚିଠି ଆସି ନାହିଁ।

Comments (0)
Add Comment