ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ଦେଶ ପାଳୁଛି ୭୧ତମ ଗଣତନ୍ତ୍ର ଦିବସ । ଦେଶର ରାଜଧାନୀ ନୂଆଦିଲ୍ଲୀର ରାଜପଥରେ ଗଣତନ୍ତ୍ର ଦିବସ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହିତ ଏହି ଉତ୍ସବ ଆରମ୍ଭ ହୋଇଯାଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜ ନିବାସରେ ଜାତୀୟ ପତାକା ଉତୋଳନ କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ନିଜ ନିବାସରେ ଜାତୀୟ ପତାକା ଉତୋଳନ କରିଛନ୍ତି । ଦିଲ୍ଲୀ ବ୍ୟତୀତ ଅନ୍ୟ ରାଜ୍ୟର ରାଜଧାନୀଗୁଡ଼ିକରେ ମଧ୍ୟ ଗଣତନ୍ତ୍ର ଦିବସ ସମାରୋହର ଭବ୍ୟ ଆୟୋଜନ କରାଯାଇଛି । ଏହା ବ୍ୟତୀତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ନିବାସରେ ଜାତୀୟ ପତାକା ଉତୋଳନ କରିଛନ୍ତି । ତାମିଲନାଡୁର ରାଜଧାନୀ ଚେନ୍ନାଇରେ ବନୱାରୀଲାଲ ପୁରୋହିତ ଜାତୀୟ ପତାକା ଉତୋଳନ କରିଛନ୍ତି । ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ପାର୍ଟି କାର୍ଯ୍ୟାଳୟରେ ଗଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତୋଳନ କରିଛନ୍ତି ।
ଭୁବନେଶ୍ୱରରେ ରବିବାର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗାନ୍ଧୀମାର୍ଗରେ ବ୍ୟାପକ ଆୟୋଜନ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟସ୍ତରୀୟ ଉତ୍ସବରେ ପତାକା ଉତୋଳନ କରିଛନ୍ତି । ଏହି ଅବସରରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଅତିଥି ଭାବେ ଯୋଗ ଦେଇଛନ୍ତି ।