ମହାନଦୀର ସୁରକ୍ଷା ଦିଗରେ ‘ସବୁଜ ମହାନଦୀ ମିଶନ’ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ-ନବୀନ

ସୁବର୍ଣ୍ଣପୁର : ମହାନଦୀ ଓଡ଼ିଶାର ଜୀବନରେଖା । ଏହାର ପାଣି ଉପରେ ରାଜ୍ୟବାସୀଙ୍କ ଅଧିକାରରୁ ଆମକୁ କେହି ବଞ୍ôଚତ କରିପାରିବେ ନାହିଁ । ମହାନଦୀର ସୁରକ୍ଷା ପାଇଁ ଲଢ଼େଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଦିନ ୧୨ଟାରେ ସୋନପୁର ରୟାଲ ପଡ଼ିଆସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍ରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ । ସେଠାରୁ ସିଧା ସଳଖ ମହନଦୀ କୂଳକୁ ଯାଇ ସବୁଜ ମହାନଦୀ ମିଶନର ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ରୟାଲ ପଡ଼ିଆରେ ଜିଲ୍ଳାର ୩ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ୨୦ଟି ପ୍ରକଳ୍ପ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ସ୍ଥାନୀୟ ରୟାଲ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ମହାନଦୀର ସୁରକ୍ଷା ଦିଗରେ ‘ସବୁଜ ମହାନଦୀ ମିଶନ’ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ମିଶନରେ ମହାନଦୀ କୂଳରେ ଥିବା ୧୫ଟି ଜିଲ୍ଲାର ୧୩୦୩ ଗ୍ରାମରେ ଚଳିତ ବର୍ଷ ୨ କୋଟି ଗଛ ଲଗାଯାଉଛି । ଏହି କାର୍ଯ୍ୟକ୍ରମରେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରି କହିଲେ ଯେ ବ୍ୟାପକ ବୃକ୍ଷରୋପଣ ଦ୍ୱାରା ମହାନଦୀର ଜଳଧାରଣ କ୍ଷମତା ବଢ଼ିବ ଏବଂ ନଦୀ କ୍ଷୟକୁ ମଧ୍ୟ ରୋକାଯାଇପାରିବ । ମହାନଦୀ ଆମ ପାଇଁ କେବଳ ଏକ ନଦୀ ନୁହେଁ, ଏହା ହେଉଛି ଆମର ମା’ । ଓଡ଼ିଶାବାସୀଙ୍କ ଜୀବନ ଜୀବିକା ସହିତ ମହାନଦୀ ଯୋଡ଼ି ହୋଇରହିଛି । ଚାଷବାସଠାରୁ ଆରମ୍ଭ କରି ପିଇବା ପାଣି ପର୍ଯ୍ୟନ୍ତ ସବୁ କାମ ପାଇଁ ଆମେ ମହାନଦୀ ଉପରେ ନିର୍ଭର କରୁଛୁ । ଲକ୍ଷ ଲକ୍ଷ ଲୋକଙ୍କୁ ମହାନଦୀ ଜୀବିକା ଦେଉଛି । ତେଣୁ ମହାନଦୀର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ । ମହାନଦୀ କୂଳରେ ରହୁଥିବା କୋଟି କୋଟି ଲୋକଙ୍କୁ ମହାନଦୀ ସୁରକ୍ଷା ଅଭିଯାନରେ ଯୋଡ଼ାଯାଇ ପାରିଛି । ସଚେତନତା ସୃଷ୍ଟି କରିବା ସହିତ ଓଡ଼ିଶାର ନ୍ୟାୟୋଚିତ ଦାବି ପାଇଁ ସମସ୍ତଙ୍କୁ ଏକାଠି କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ କହିଲେ ଯେ, ଉପରେ ମୁଣ୍ଡରେ ବେଆଇନ ଭାବେ ବ୍ୟାରେଜ ନିର୍ମାଣ କରାଯାଇଥିବାରୁ ଆଜି ମହାନଦୀର ଅବସ୍ଥା ଦୟନୀୟ ହୋଇପଡ଼ିଛି । ମହାନଦୀ ପାଇଁ ସରକାର ଲଢ଼େଇ ଜାରି ରଖିଛନ୍ତି । ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ସୁବର୍ଣ୍ଣପୁରର ଉନ୍ନତି ବିଜୁବାବୁ ଏବଂ ନବୀନବାବୁଙ୍କ ସମୟରେ ହୋଇଛି । ସୁବର୍ଣ୍ଣପୁରକୁ ବିଜୁବାବୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେଇଥିଲେ । ସେ ମହାନଦୀରେ ବ୍ରିଜର ଶୁଭ ଦେଇଥିବା ବେଳେ ନବୀନବାବୁ ଏହି ବ୍ରିଜ୍କୁ ଉଦ୍ଘାଟନ କରିଥିଲେ । ଆଜି ସୁବର୍ଣ୍ଣପୁର ପାଇଁ ଏକ ଐତିହାସିକ ଦିନ । ମହାନଦୀକୁ ବଞ୍ଚାଇବାକୁ ଜୀବନର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢ଼େଇ କରିବାକୁ ଶପଥ ନେଇଛନ୍ତି । ଜଙ୍ଗଲ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ବାଚସ୍ପତି ପ୍ରଦୀପ ଅମାତ ପ୍ରମୁଖ ମହାନଦୀର ସୁରକ୍ଷା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଆହ୍ୱାନ ଦେଇଥିଲେ । ବୀରମହରାଜପୁର ବିଧାୟକ ପଦ୍ମନାଭ ବେହେରା ତାଙ୍କ ବକ୍ତବ୍ୟରେ ମହନଦୀର ଅବବାହିକାରେ ବସବାସ କରୁଥିବା ଲୋକମାନେ ସମ୍ପୂର୍ଣ୍ଣ ଭାବେ ନିଜର ଜୀବନଜୀବିକା ପାଇଁ ମହାନଦୀ ଉପରେ ନିର୍ଭର ବୋଲି କହିଥିଲେ । ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହଦେଓ ତାଙ୍କ ବକ୍ତବ୍ୟରେ ମହାନଦୀର ଉପର ମୁଣ୍ଡରେ ବେଆଇନ ଭାବେ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରିଛି ଏବଂ ଓଡ଼ିଶାର ପାଣିକୁ ଅଟକାଇଛି ବୋଲି କହିଥିଲେ । ସଭାକୁ ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିଲେ । ସଭା ପ୍ରାରମ୍ଭରେ ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର ଯୋଜନାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ୨୫ହଜାରରୁ ଊଦ୍ଧ୍ୱର୍ ଲୋକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସୁରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଉଭୟ କଂଗ୍ରେସ ଓ ବିଜେପିର ୩୨ଜଣ ନେତାଙ୍କୁ ପୁଲିସ ଆଗୁଆ ଭାବେ ଅଟକ ରଖିଥିଲା । ପରେ ସମସ୍ତଙ୍କୁ ଛାଡ଼ିଦିଆଯାଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଏହାପରେ ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ବ୍ରିଜ୍ ଛକଠାରେ ତେଲ ନଦୀ କୂଳରେ ଥିବା ଏକ ବିସ୍ତୀର୍ଣ୍ଣ ପଡ଼ିଆଠାରେ ପହଞ୍ଚି ବୃକ୍ଷରୋପଣ କରିଥିଲେ । ବାଚସ୍ପତି ଶ୍ରୀ ଅମାତ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ରାଉତରାୟ, ବିଧାୟକ ମହୀଧର ରଣା, ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇ, ଉପାଧ୍ୟକ୍ଷ ଅକ୍ରୁର ସେଠୀ, ମୁଖ୍ୟ ବନ ସଂରକ୍ଷକ ଦେବବ୍ରତ ସ୍ୱାଇଁ, ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ ଅଭୟ କାନ୍ତ ପାଠକ, ଜିଲ୍ଲାପାଳ ମଧୁସୁୂଦନ ମିଶ୍ର, ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର, ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପିର ୧୩ ଜଣ ଓ କଂଗ୍ରେସର ୯ ଜଣ ସ୍ଥାନୀୟ ନେତାଙ୍କୁ ପୁଲିସ୍ ଅଟକ ରଖି ପରେ ଛାଡ଼ି ଦେଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବୟନ ଓ ହସ୍ତଶିଳ୍ପ ନିଗମ ସଭାପତି ଶେଷ କୁମାର ମେହେର, ଟିଟିଲାଗଡ଼ ବିଧାୟକ ଟୁକୁନୀ ସାହୁ, ବ୍ଲକ୍ ଅଧ୍ୟକ୍ଷା ଯାଜେ୍ଞଶ୍ୱରୀ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟା ମୁକ୍ତାସିନୀ ମଲିକ, ମମତା ପ୍ରଧାନ, ସସ୍ମିତା ଥାଟି, ସାଂସଦ ପ୍ରତିନିଧି ରାଧେଶ୍ୟାମ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ଜୋନାଲ୍ ସଭାପତି ଅଶୋକ କୁମାର ସାହୁ, ଛାତ୍ର ବିଜେଡି ସଭାପତି ସଂଗ୍ରାମ ଦାସ, ସରପଞ୍ଚ ସଂଘ ସଭାପତି ପ୍ରମୋଦ ରଣା, ରବି ନାରାୟଣ ପଣ୍ଡା, ଗିରିଜା ନନ୍ଦନ ଦାନୀ, ରାଜୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରାୟ ୨ହଜାର ବୃକ୍ଷ ରୋପଣ କରାଯାଇଥିଲା । ସୂଚନାଯୋଗ୍ୟ ଯେ ‘ସବୁଜ ମହାନଦୀ ମିଶନ’ କାର୍ଯ୍ୟକ୍ରମରେ ମହାନଦୀ, ଇବ୍ ଓ ତେଲ ନଦୀର ଉଭୟ ପାଶ୍ୱର୍ରେ ୨ କୋଟି ଗଛ ଲଗାଯାଉଛି । ଏଥିରେ ୧୬,୫୦୦ ହେକ୍ଟର ଜମିରେ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ଏବଂ ୫୦୦ କିଲୋମିଟର ଅଞ୍ଚଳରେ ପଥପ୍ରାନ୍ତ ବୃକ୍ଷ ରୋପଣ କରାଯିବ । ଜଙ୍ଗଲ ଜମି, ରାଜସ୍ୱ ବିଭାଗ ଜମି ଏବଂ ଘରୋଇ ଜମିରେ ଜନସାଧାରଣଙ୍କ ଭାଗିଦାରୀରେ ବୃକ୍ଷ ରୋପଣ କରାଯାଉଛି । ୨୦୧୮-୧୯ରେ ୬୩ ଲକ୍ଷରୁ ଅଧିକ ବୃକ୍ଷ ରୋପଣ କରାଯିବ । ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟର ସବୁ ଗୁରୁତ୍ୱପୂର୍ଣ୍ଣ ନଦୀଗୁଡ଼ିକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ ।

Comments (0)
Add Comment