ଭୁବନେଶ୍ବର : କଂଗ୍ରେସରୁ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଓ କୃଷ୍ଣ ସଗରିଆ ବହିଷ୍କୃତ। ଦଳ ବିରୋଧୀ ମନ୍ତବ୍ୟ ଏବଂ ବିଶୃଙ୍ଖଳ ଆଚରଣ ପାଇଁ ସେମାନଙ୍କ ଦଳର ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କୃତ କରାଯାଇଛି। ଏଆଇସିସି ନିର୍ଦେଶ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଗତକାଲି ରାତିରେ ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ଗତ କିଛି ଦିନ ଧରି ଶ୍ରୀକାନ୍ତ ଓ ସଗରିଆଙ୍କ ଅମାନିଆ ତୁଣ୍ଡ ଦଳକୁ କ୍ଷତି ପହଞ୍ଚାଉଥିବା ଅଭିଯୋଗ ହେଉଥିଲା।
ଉଭୟନେତା ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେଇ ଆସୁଥିଲେ। ଦଳ ବିରୋଧୀ ମନ୍ତବ୍ୟ ଦେବା ଓ ବିଶୃଙ୍ଖଳିତ ଆଚରଣ ଦେଖାଇବା ପାଇଁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ କୋରାପୁଟ ବିଧାୟକ କୃଷ୍ଣ ସଗରିଆଙ୍କୁ ଦଳରୁ ବହିଷ୍କାର କରାଯାଇଛି।୧୯ ନିର୍ବାଚନ ପୂର୍ବରୁ ବିଶୃଙ୍ଖଳିତଙ୍କୁ ସାବାଡ କରିବାପାଇଁ କଂଗ୍ରେସ ଏକ କଠୋର ନିଷ୍ପତ୍ତି ନେଇଛି। ଏଆଇସିସିର ନିଷ୍ପତ୍ତି ଉଭୟ କଂଗ୍ରେସ ଓ ରାଜ୍ୟ ରାଜ୍ୟନୀତିରେ କମ୍ପନ ସୃଷ୍ଟି କରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କଂଗ୍ରେସକୁ ଲାଗୁଛି ୪୪୦ ଭୋଲ୍ଟ ଝଟକା । ଗତ ୭ ଦିନ ମଧ୍ୟରେ କଂଗ୍ରେସ ପାଇଁ କଣ୍ଟା ବଢ଼ିବାରେ ଲାଗିଛି । କିଛି ଦିନ ତଳେ ପ୍ରଥମେ ଝାରସୁଗୁଡ଼ା ନେତା ନବ ଦାସଙ୍କ ଇସ୍ତଫା ଏବଂ ପରେ ସୁନ୍ଦରଗଡ଼ ବିଧାୟକଙ୍କୁ ଦଳରୁ ନିଲମ୍ବିତ ଘଟଣା ରାଜ୍ୟ ରାଜନୀତିକୁ ଖୋରାକ ଯୋଗାଇଛି । କାରଣ ଆଗାମୀ ନିର୍ବାଚନ ପୂର୍ବରୁ ଦଳରୁ ଜଣକ ପରେ ଜଣେ ହେଭିୱେଟ୍ ନେତା କଂଗ୍ରେସ ପାଇଁ କଣ୍ଟ ସାଜୁଛନ୍ତି । କିଏ ଇସ୍ତଫା ଦେଉଛି ତ କିଏ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ଆଉ କିଏ ବହିଷ୍କୃତ ହେଉଛି ।