ଭୁବନେଶ୍ବର : କୁଆଖାଇ ନଦୀରେ ଗାଧୋଇବା ହେଲା କାଳ । କୁଆଖାଇ ନଦୀରେ ବୁଡି ୨ ଛାତ୍ର ମୃତ । ମୃତ ଛାତ୍ର ହେଲେ ସଫିକ୍ ଦିଗାଲ ଓ ଜଗମୋହନ ସାହୁ । ସଫିକର ଘର ଆଚାର୍ଯ୍ୟବିହାର ବିଶ୍ବେଶ୍ବର ବସ୍ତିରେ । ସଫିକ୍ କୁ ଉଦ୍ଧାର କରି ସଙ୍କଟାପନ୍ନ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଅନ୍ୟ ଜଣେ ଛାତ୍ର ଜଗମୋହନ ସାହୁର ଘର ଜୟଦେବ ବିହାରର ଆତ୍ମାରମ ବସ୍ତିରେ । ଆଜି ସକାଳୁ ୟୁନିଟ୍-୯ ବୟଜ ହାଇସ୍କୁଲର ୬ଜଣ ଛାତ୍ର ଗାଧୋଇବାକୁ କୁଆଖାଇ ନଦୀକୁ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ୨ଜଣ ଛାତ୍ର ନିଖୋଜ ହୋଇଯାଇଥିଲେ । ସମସ୍ତ ଛାତ୍ର ନବମ ଶ୍ରେଣୀର ବୋଲି ଜଣାପଡିଛି । ସ୍କୁଲ ଯିବା ବେଳେ ଅଧାରାସ୍ତାରୁ ଫେରି ଛାତ୍ରମାନେ ଗାଧୋଇବାକୁ କୁଆଖାଇ ଯାଇଥିଲେ ।
ବୁଡି ଯାଉଥିବା ଛାତ୍ରଙ୍କୁ ଖୋଜିବା ବେଳେ ଭାସି ଯାଉଥିବା ମହିଳାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ
୨ ଛାତ୍ରଙ୍କୁ ଖୋଜିବା ବେଳେ ଭାସି ଯାଉଥିବା ଜଣେ ମହିଳାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଉଦ୍ଧାର ମହିଳା ହେଲେ କାଞ୍ଚନ । ସେ ହୋମଗାର୍ଡ ଭାବେ କାମ କରୁଥିଲେ । ଫୋନରେ କଥା ହୋଇ ଯାଉଥିବା ବେଳେ କୁଆଖାଇ ବ୍ରିଜ୍ ଉପରୁ ଡେଇଁ ପଡିଥିଲେ । ସ୍ଥାନୀୟ ଲୋକେ ଏହାକୁ ଦେଖିବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ମହିଳାଙ୍କୁ ଉଦ୍ଧାର କରିଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।