ସହି ପାରିଲେନି କମେଣ୍ଟ ଓ ଅଶ୍ଲିଳ ଇଙ୍ଗିତ, ବିଷ ପିଇ ଦେଲେ ଯୁବତୀ

ବଲାଙ୍ଗୀର  : ଯୁବକଙ୍କ  କମେଣ୍ଟ ଓ ଅଶ୍ଲିଳ ଇଙ୍ଗିତ ଅସହ୍ୟ ହେଲା ।ଯୁବକର ଏକ ତରଫା ପ୍ରେମକୁ ନେଇ ବିଭିନ୍ନ କଥା ସହିହେଲାନି । ଶେଷରେ ବିଷ ପିଇ ଜୀବନ ହାରିଲେ ଯୁବତୀ । ଏପରି ସାଂଘାତିକ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇନ୍ତଳା ଥାନାର ଶିକାବେହଙ୍ଗା ଗାଁରୁ । ଯୁବତୀଙ୍କ ଅତ୍ମହତ୍ୟାକୁ ନେଇ ଆଲୋଡନସୃଷ୍ଟି ହୋଇଛି । ପରିବାର ଲୋକେ ଅଭିଯୁକ୍ତ ବିରୋଧରେ ପୋଲିସରେ ଅଭିଯୋଗ ସହ ଦୃଢ କାର୍ଯ୍ୟାନୁ୍ଷ୍ଠାନ ଦାବି କରିଛନ୍ତି ।

କାନ୍ଦ ବୋବାଳିରେ ଫାଟି ପଡୁଛି ଘର । ଭଉଣୀକୁ ହରାଇ ବାହୁନି ବାହୁନି କାନ୍ଦୁଛନ୍ତି ତିନି ଭଉଣୀ , ଝୁରୁଛି ସାରା ପରିବାର ।ଏ ହେଉଛି ବଲାଙ୍ଗିର  ପୁଇନ୍ତଳା ଅନ୍ତର୍ଗତ ଶିକାବେହଙ୍ଗା ଗାଁର ଏକ ବାପ ଛେଉଣ୍ଡ ପରିବାରର ଦୁଃଖ ଯନ୍ତ୍ରଣା । ପରିବାରର ବଡ଼ ଝିଅ,୨୪ ବର୍ଷୀୟା ବଡ଼ ଭଉଣୀ  ଜୀବନ ହାରି ଦେଇଛି ।କାରଣ, ଜଣେ ଯୁବକର ଏକତରଫା ପ୍ରେମ ଆଉ ଅଶ୍ଲିଳ ଇଙ୍ଗିତ ଅସହ୍ୟ ହେଲା । ପୁଇନ୍ତଳା ଥାନାରେ ଏନେଇ ସେହି ଗାଁର ଅଶୋକ ପଟେଲ ନାମକ ଜଣେ ଯୁବକ ବିରୋଧରେ ଅଭିଯୋଗ ହୋଇଛି । ମୃତ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା ଅଶୋକ । କେବଳ ବଡ ଝିଅ ନୁହେଁ ତିନି ଝିଅଙ୍କୁ  କମେଣ୍ଟ ମାରିବା ସହ ଦେଉଥିଲା ମାନସିକ ନିର୍ଯ୍ୟାତନା। ସେହି ନିର୍ଯ୍ୟାତନା ସହି ନ ପାରି ବଡ ଝିଅ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

କିଛି ବର୍ଷ ତଳେ ବାପାଙ୍କୁ ହରାଇଥିଲେ । ଘରେ ପାଗଳୀ ମାଆ । ଦୁଃଖେ କଷ୍ଟେ ବିଲ କାମ କରି ଚଳୁଥିଲେ ମା ସହ ତିନି ଭଉଣୀଙ୍କୁ ନେଇ  ପରିବାର । ତେବେ ମୁରବୀ ବିହୀନ ପରିବାରର ଅସହାୟତାର ଫାଇଦା ନେଇ ଅତ୍ୟାଚାର କରୁଥିଲା ଅଶୋକ ପଟେଲ । ସବୁ ଭଉଣୀଙ୍କୁ କମେଣ୍ଟ କରୁଥିଲା । ସାନ ଭଉଣୀ ପାଣି ଆଣିବା କୁ ଯିବା ବେଳେ ତାକୁ କମେଣ୍ଟ ମାରିଥିଲା ଅଶୋକ। ଏଥିନେଇ ମନଦୁଃଖରେ ଥିବା ବଡ ଭଉଣୀ କୀଟନାଶକ ପିଇ ଦେଇଥିଲେ ।ବଲାଙ୍ଗିର ଡାକ୍ତରଖାନାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି । ଅଭିଯୋଗ ବିତ୍ତିରେ ପୁଇନ୍ତଳା ପୋଲିସ ତଦନ୍ତ ଆରମ୍ଭ କରିଥିଲେ ବି  ପ୍ରତିକ୍ରିଆ ଦେବା କୁ ମନା କରିଦେଇଛନ୍ତି ପୁଇନ୍ତଳା ଥାନା ଅଧିକାରୀ ।

ନାରୀ ସୁରକ୍ଷା ଓ ଇଜ୍ଜତ-ସମ୍ମାନ ପାଇଁ ଅନେକ ଆଇନ କାନୁନ, ନୀତି ନିୟମ । ତଥାପି ଆକାଳରେ ଅସହାୟ ସ୍ଥିତିରେ ଜୀବନ ହାରିଲେ ଜଣେ ଯୁବତୀ । ଏପରି ଘଟଣାରେ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜରୁରି । ନଚେତ ସମାଜ ଓ ବିଧି ବ୍ୟବସ୍ଥା ଉପରୁ ଲୋକଙ୍କ ଆସ୍ଥା ତୁଟିଯିବ ।

Comments (0)
Add Comment