ଭୁବନେଶ୍ବର : ପଦାକୁ ଆସିଛି ବହୁଚର୍ଚ୍ଚିତ ସର୍ଜିକାଲ୍ ଷ୍ଟ୍ରାଇକ୍ ଭିଡିଓ । କେମିତି ପାକିସ୍ତାନ ସୀମା ଭିତରେ ପଶି, ଭାରତୀୟ ସେନା ତାର ପରାକ୍ରମ ଦେଖାଇଛି, ଆତଙ୍କବାଦୀଙ୍କୁ ନିପାତ କରିଛି, ତାହା ଦେଖିବାକୁ ମିଳିଛି ଭିଡିଓରେ । ତେବେ ଏହି ବହୁଚର୍ଚ୍ଚିତ ଭିଡିଓକୁ ନେଇ ଅନେକ ଚର୍ଚ୍ଚା । ଏହା ବିରୋଧୀଙ୍କ ପାଇଁ ପ୍ରମାଣ ବୋଲି ସରକାର କହୁଥିବା ବେଳେ ବିରୋଧୀ କିନ୍ତୁ କହୁଛନ୍ତି, ଏହା ଫୁଲ୍ ରାଜନୀତି । ପାଖାପାଖି ୨ ବର୍ଷ ତଳର ସେହି ବହୁ ଚର୍ଚ୍ଚିତ ସର୍ଜିକାଲ୍ ଭିଡିଓ । ସର୍ଜିକାଲ୍ ଷ୍ଟ୍ରାଇକକୁ ନେଇ ଅନେକ ତମ୍ବିତୋଫାନ ହୋଇଥିଲା । ବିରୋଧୀଙ୍କ କଥା ଛାଡ଼ନ୍ତୁ, ଅନେକ ସାଧାରଣ ଜନତା ମଧ୍ୟ ସରକାରଙ୍କ କଥାକୁ ବିଶ୍ବାସ କରି ନଥିଲେ । କିନ୍ତୁ ୬୩୬ ଦିନ ପରେ ସରକାର ରିଲିଜ୍ କରିଛନ୍ତି ସର୍ଜିକାଲ୍ ଷ୍ଟ୍ରାଇକର ଭିଡିଓ । ଯାହା ବିରୋଧୀଙ୍କ ମୁହଁ ବନ୍ଦ ପାଇଁ ସଫିସିଏଣ୍ଟ ବୋଲି କହୁଛନ୍ତି ସରକାର ।
ମନୋହର ପାରିକର ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ୨୦୧୬ ସେପ୍ଟେମ୍ବର ୨୮-୨୯ ତାରିଖ ରାତିରେ ପାକ୍ ଅଧିକୃତ କାଶ୍ମୀରରେ ପଶିଥିଲେ ଭାରତୀୟ ନର୍ଦନ୍ ଆର୍ମିର ସ୍ପେଶାଲ୍ ଫୋର୍ସ କମାଣ୍ଡୋ । ହେଡ୍ କ୍ବାର୍ଟର୍ ଉଧାମପୁରରେ ଥିଲା କଂଟ୍ରୋଲ୍ ରୁମ୍ । ଆଉ ସେଠି ବସି ପୂରା ଅପରେସନକୁ ଚଳାଉଥିଲେ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ୍ ଡି. ଏସ୍. ହୁଡା । ଡ୍ରୋନ୍ ଏବଂ କମଣ୍ଡୋଙ୍କ ମୁଣ୍ଡରେ ଖଞ୍ଜା ଯାଇଥିଲା କ୍ୟାମେରା । ଯାହା କଏଦ୍ କରିଛି ସେତେବେଳର ଘଟଣାବଳୀ । ସୀମା ଆରପଟେ ପାକିସ୍ତାନ ସେନା ବଙ୍କର୍ କରିଛି ସତ । କିନ୍ତୁ ସେନା ସହ ଅଛନ୍ତି ଆଙ୍କବାଦୀ । ମଧ୍ୟରାତିରୁ ଆରମ୍ଭ ହୋଇଥିଲା ଷ୍ଟ୍ରାଇକ୍ । ଆଉ ସକାଳ ୬ଟା ୧୫ ଯାଏଁ ଚାଲିଥିଲା ପୂରା ଅପରେସନ୍ । ପାକିସ୍ତାନ ସେନାର ଗୋଟିଏ ପରେ ଗୋଟେ ବଙ୍କର ଧ୍ବଂସ କରି ଚାଲିଥିଲେ ଭାରତୀୟ କମାଣ୍ଡୋ ।
କଂଗ୍ରେସ ଠାରୁ ଆରମ୍ଭ କରି ପ୍ରାୟ ସବୁ ବିରୋଧୀ ଦଳ ସର୍ଜିକାଲ୍ ଷ୍ଟ୍ରାଇକକୁ ପରତେ ଯାଇ ନଥିଲେ । ମୋଦି ସରକାର ଷ୍ଟଣ୍ଟ ମାରୁଛନ୍ତି ବୋଲି କହି ପ୍ରମାଣ ଦାବି କରିଥିଲେ । ଆଉ ଏବେ ପ୍ରମାଣ ସାମ୍ନାକୁ ଆସିଥିବା ବେଳେ କଥା ବୁଲାଇଛି କଂଗ୍ରେସ । ରାଜନୈତିକ ଫାଇଦା ପାଇଁ ସରକାର, ସର୍ଜିକାଲ୍ ଷ୍ଟ୍ରାଇକର ଭିଡିଓ ରିଲିଜ୍ କରିଥିବା କହିଛି କଂଗ୍ରେସ । ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଅସନ୍ତୁଷ୍ଟ ବିଜେପି ନେତା ଅରୁଣ ସୌରୀ ମୋଦି ସରକାରର କ୍ରେଡିବିଲିଟି ନେଇ ପ୍ରଶ୍ନ ଉଠାଇଛନ୍ତି । ଭିଡିଓ ବଖାଣୁଛି ଭାରତୀୟ ସେନାର ପାରିବା ପଣିଆ । ଏଭଳି ପଦକ୍ଷେପକୁ ନିଶ୍ଚିତ ତାରିଫ୍ କରିବାକୁ ପଡ଼ିବ । କିନ୍ତୁ ପାଖାପାଖି ୬୩୬ ଦିନ ପରେ ଦେଶର ସୁରକ୍ଷା ସମ୍ପର୍କିତ ଏଭଳି ଗୁପ୍ତ ଭିଡିଓକୁ ସରକାର ମାର୍କେଟକୁ ଛାଡ଼ିବା ପଛର ଉଦ୍ଦେଶ୍ୟ କଣ ।