କୂଅରୁ ଉଦ୍ଧାର ହେଲେ ମା ଓ ୨ ଛୁଆ ଭାଲୁ

ନବରଙ୍ଗପୁର : ପାକଲା ଆମ୍ବ ଖାଇବାକୁ ତୋଟାକୁ ଆସିଥିଲେ । ଦୁଇ ଛୁଆଙ୍କୁ ଧରି ରାତିରେ ଆସିଥିଲା ମାଆ ଭାଲୁ । ହେଲେ ଆମ୍ବ ଖାଇଛନ୍ତି କି ନାହିଁ, କୂଅରେ ପଡ଼ିଗଲେ ମାଆ, ଛୁଆ ତିନିଟା ଯାକ । ସକାଳ ଯାଏଁ କୂଅ ଭିତରେ ବହେ ହନ୍ତସନ୍ତ ହେଲେ । ଲୋକ ଜାଣିବା ପରେ, ବନବିଭାଗକୁ ଡାକିଲେ । ଆଉ ବନବିଭାଗ କର୍ମଚାରୀମାନେ ଆସି ଆରମ୍ଭ କଲେ ଭାଲୁ ଉଦ୍ଧାର ଅପରେସନ୍ । ପ୍ରାୟ ୩ ଘଣ୍ଟାର ଅପରେସନରେ ଉଦ୍ଧାର ହେଲେ ମାଆ, ଛୁଆ ୩ଟି ଯାକ ଭାଲୁ ।

କୂଅ ଭିତରେ ଭାଲୁ । ମାଆ ସହ ଦୁଇଟି ଛୁଆ । ପାକଲା ଆମ୍ବ ଖାଇବାକୁ ଗତରାତିରେ ଦୁଇ ଛୁଆଙ୍କୁ ଧରି ନବରଙ୍ଗପୁର ପଡ଼ାଲଗୁଡ଼ା ଗାଁ ନିକଟ ତୋଟାକୁ ଚାଲି ଆସିଥିଲା ମାଆ ଭାଲୁ । ହେଲେ ଜାଣି ନଥିଲେ କୂଅରେ ପଡ଼ିଯିବେ ବୋଲି । ପାଟିରେ ଆମ୍ବ ବାଜିଛି କି ନାହିଁ, ରାତିଟା ଯାକ କିନ୍ତୁ କୂଅ ଭିତରେ ବହେ ହନ୍ତସନ୍ତ ହୋଇଛନ୍ତି ମାଆ ଓ ଛୁଆ ଭାଲୁ ।

କୂଅ ଭିତରେ ପଡ଼ି ଗର୍ଜନ କରୁଥିଲେ ମାଆ ଛୁଆ ତିନିଟା ଯାକ ଭାଲୁ । ଲୋକେ ଜାଣିବା ପରେ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ କର୍ମଚାରୀମାନେ ଜନ୍ତା ଓ ଜାଲ ଧରି ପହଞ୍ଚିଥିଲେ । ଭାଲୁ ଦେଖିବାକୁ ଲୋକଙ୍କ ଉତ୍ସୁକତା ବଢୁଥିବା ବେଳେ ନାଣ୍ଡିଆ କୂଅ ନିକଟରୁ ଲୋକମାନଙ୍କୁ ଦୂରକୁ ଚାଲିଯିବାକୁ ପରାମର୍ଶ ଦେଉଥିଲେ ବନ କର୍ମଚାରୀମାନେ । ଆଉ ଜନ୍ତାକୁ ସ୍ଲୋପ୍ ଆକାରରେ କୂଅ ବେଢ଼ାରେ ଲଗାଇବାକୁ କିଛି ମାଟି ହାଣିବାକୁ ପଡ଼ିଲା । ତା ପରେ ରସିରେ ଫାସ କରି କୂଅ ଭିତରକୁ ପକାଇଲେ । ବାଉଁଶଟେ ପକାଇ ଭାଲୁ ମୁହଁ ପାଖରେ ଦେଖାଇଲେ । ମାଆ ଭାଲୁଟି ବାଉଁଶକୁ କାମୁଡୁଥିବା ବେଳେ ତା ଦେହରେ ଫାଶ ବୁଲାଇ ଦେଲେ ବନ କର୍ମଚାରୀ । ଆଉ ତା ପରେ ତାକୁ କୂଅରୁ ଉଠାଇବାକୁ ଆରମ୍ଭ କଲେ । ଛୁଆ ଭାଲୁଟେ କିନ୍ତୁ ମାଆ ପିଠିରେ ଚାନ୍ଦୁ ହୋଇ ଉଠି ଆସିଲା । ବନ କର୍ମଚାରୀମାନେ ମାଆ ଭାଲୁ ଓ ତାର ଗୋଟେ ଛୁଆକୁ ଜନ୍ତାରେ ଭିତରକୁ ଟାଣିନେବା ପରେ ତୁରନ୍ତ ଜାଲି ପକାଇ ଦେଲେ । ଏବେ ଦେଖନ୍ତୁ, ଛୁଆକୁ ପିଠିରେ ଧରି ଜନ୍ତା ଭିତରେ କେମିତି ରାଗି ଫିମ୍ପାରି ହେଉଛି ମାଆ ଭାଲୁଟି । ବାକି ରହିଲେ ଆଉ ଗୋଟେ ଛୁଆ ଭାଲୁ । ତାକୁ ଧରିବାକୁ ବି ବେଶ୍ ସତର୍କତା ଅବଲମ୍ବନ କରାଯାଇ ଥିଲା । କିଛି ବନ କର୍ମଚାରୀ କୂଅ ଚାରିପଟ ଜାଲ ଧରି ଛିଡ଼ା ହେଲେ । ଆଉ ଛୁଆଟି ରସିକୁ କାମୁଡ଼ି ପଦାକୁ ଆସୁ ଆସୁ ଡେଇଁ ପଳାଇବାକୁ ଯଥେଷ୍ଟ ଚେଷ୍ଟା କରିଥିଲା । କିନ୍ତୁ ତାକୁ ଜାଲ ପକାଇ ମାଡ଼ି ବସିଲେ । ଦେଖିବାକୁ ସିନା ଛୁଆ, ହେଲେ ଗର୍ଜନ କିନ୍ତୁ କମ୍ ନାହିଁ । ଦେଖନ୍ତୁ କେମିତି ସେ ଗର୍ଜନ କରୁଛି, ଆଉ ତାକୁ ଧରିବାକୁ କେତେ କର୍ମଚାରୀ ଲାଗିଛନ୍ତି । ଶେଷରେ ଛୁଆଟିକୁ ଜାଲରେ ଗୁଡ଼ାଇ ତୁଡ଼ାଇ ଭାଲୁ ଉଦ୍ଧାର ଅଭିଯାନ ଶେଷ କରିଛି ପାକଲା ଆମ୍ବ ବାସ୍ନାର ଲୋଭ ସମ୍ଭାଳି ନପାରି ଛୁଆଙ୍କୁ ଧରି ରାତିରେ ତୋଟାକୁ ଚାଲି ଆସିଥିଲା ମାଆ ଭାଲୁ । ହେଲେ ଜାଣି ନଥିଲେ, ସମସ୍ତେ କୂଅରେ ପଡ଼ିଯିବେ ବୋଲି । ବନବିଭାଗ ଭାଲୁଙ୍କୁ ଉଦ୍ଧାର କରି ଜନ୍ତାରେ ନେଉଥିବା ବେଳେ ସ୍ଥାନୀୟ ଲୋକେ କିନ୍ତୁ ସେଲଫି ନେବାରେ ବ୍ୟସ୍ତ ଥିଲେ ।

Comments (0)
Add Comment