ଅନୁଗୋଳ ବ୍ରାହ୍ମଣବିଲ ଗାଁରୁ ମା’ ଡାକେଶ୍ୱରୀଙ୍କ ଆଶୀର୍ବାଦ ନେଇ ନିର୍ବାଚନ ପ୍ରଚାର ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ତଥା ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କରିବା ପାଇଁ ଏହି ପବିତ୍ର ଭୂମିରୁ ମୋର ନିର୍ବାଚନ ପ୍ରଚାର ଆରମ୍ଭ କଲି

ଛେଣ୍ଡିପଦା(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ଗ୍ରାମରେ ନବ ପ୍ରତିଷ୍ଠିତ ‘ମା’ ଡାକେଶ୍ୱରୀ ଦେବୀଙ୍କର ଆଶୀର୍ବାଦ ନେଇ ବହୁ ସାଧୁ ସନ୍ଥ, ମହିମା ଧର୍ମାବଲମ୍ବୀ ଓ କୀର୍ତ୍ତନ ମଣ୍ଡଳୀଙ୍କ ଗହଣରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ବ୍ରାହ୍ମଣବିଲ ଗ୍ରାମରେ ନବ ପ୍ରତିଷ୍ଠିତ ‘ମା’ ଡାକେଶ୍ୱରୀ ଦେବୀଙ୍କ ଶୀତଳା ତଥା ‘ଏକୋଇଶିଆ ଉତ୍ସବ’ରେ ସାମିଲ ହୋଇ ଆନନ୍ଦିତ । ମା’ ଡାକେଶ୍ୱରୀଙ୍କ ଡାକରା କ୍ରମେ ତାଙ୍କର ଦର୍ଶନ ଲାଭ କରିବା ପରମ ସୌଭାଗ୍ୟର ବିଷୟ । ଦଳ ତରଫରୁ ସମ୍ବଲପୁର ଲୋକସଭାର ପ୍ରାର୍ଥୀ ଭାବେ ମୋତେ ଦାୟିତ୍ୱ ଦିଆଯାଇଛି । ମା’ ଡାକେଶ୍ୱରୀଙ୍କ ଶୁଭ ଆଶୀର୍ବାଦ ନେଇ ଆଜି ଠାରୁ ମୋଦୀ ପ୍ରଚାର ଅଭିଯାନ ଆରମ୍ଭ କଲି । ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ତଥା ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କରିବା ପାଇଁ ଏହି ପବିତ୍ର ଭୂମିରୁ ମୋର ନିର୍ବାଚନ ପ୍ରଚାର ଆରମ୍ଭ କରାଗଲା ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗରିବ କଲ୍ୟାଣ, ଆତ୍ମନିର୍ଭର ଭାରତ, ଭବିଷ୍ୟତରେ ଭାରତକୁ ନୂଆ ଶିଖରକୁ ନେବା ହେଉଛି ନିର୍ବାଚନର ମୂଳ ପ୍ରସଙ୍ଗ । ମୋଦୀଙ୍କ ନେତୃତ୍ୱରେ ଭାରତ ନିଜର ସ୍ଥାନ ନିରୁପଣ କରିସାରିଛି । ଗୌରବଶାଳୀ ଭାରତ ଆଜି ଆତ୍ମବିଶ୍ୱାସର ସହ ଆଗକୁ ବଢୁଛି । ଗରିବଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା ଆରମ୍ଭ ହୋଇଛି । ବିରୋଧୀ ଭ୍ରଷ୍ଟାଚାରୀଙ୍କୁ ସୁରକ୍ଷା ଦେଉଥିବା ବେଳେ ମୋଦିଜୀ ସେମାନଙ୍କୁ ହଟାଇବାରେ ଲାଗିଛନ୍ତି । ଦୁର୍ନୀତିକାରୀଙ୍କୁ ସୁରକ୍ଷା ଦେବା ବିରୋଧୀଙ୍କ ପ୍ରସଙ୍ଗ ହୋଇଥିବା ବେଳେ ଭ୍ରଷ୍ଟାଚାରୀଙ୍କୁ ବିତାଡିତ କରିବା ମୋଦିଜୀଙ୍କ ନାରା ହୋଇଛି । ବିକଶିତ ଓଡ଼ିଶା ଓ ବିକଶିତ ଭାରତ ନିର୍ବାଚନ ମୂଳ ବିଷୟ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ୨୫ ବର୍ଷ ଧରି ସ୍ଥାନୀୟ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି । ଗାଁ ଗାଁରେ ସ୍ୱଚ୍ଛ ପିଇବା ପାଣି ନାହିଁ । ସମ୍ବଲପୁର ଜିଲ୍ଲାର ହାରାକୁଦ ଭଳି ଅଞ୍ଚଳରେ ଡାଇରିଆ ବ୍ୟାପି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକମାନେ ଆକ୍ରାନ୍ତ ହୋଇ ମେଡିକାଲ ଚିକିତ୍ସାଧୀନ ଅଛନ୍ତି । ଦୀର୍ଘ ୨୫ ବର୍ଷ ସରକାରରେ ନାଗରିକଙ୍କୁ ସ୍ୱଚ୍ଛ ପାନୀୟ ଜଳ ମିଳିନାହିଁ । ଯୁବବର୍ଗଙ୍କୁ ରୋଜଗାର ମିଳିନାହିଁ । ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚିଛି । ମହିଳା ଅତ୍ୟାଚାରରେ ଓଡ଼ିଶା ଜାତୀୟ ସ୍ତରରେ ବଦନାମ ହେଉଛି । ଓଡ଼ିଶାରୁ ଏଥିରୁ ମୁକ୍ତି ଦେବା ପାଇଁ ମୋଦୀଙ୍କ ଡବଲ ଇଞ୍ଜିନ ସରକାର ଆଣିବାକୁ ପଡିବ ବୋଲି ସେ କହିଛନ୍ତି ।

Union Minister Dharmendra Pradhan started his election campaign with the blessings of Mother Dakeswari from the Angul Brahminbil village
Comments (0)
Add Comment