୨୦ରୁ ମହିଳା କଂଗ୍ରେସର ସବୁ ଜିଲ୍ଲାରେ ମହିଳା ଆକ୍ରୋଶ ଯାତ୍ରା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା ମହିଳାଙ୍କ କ୍ଷେତ୍ରରେ ହିଂସା, ଅତ୍ୟାବଶକୀୟ ଜିନିଷର ଦରଦାମ୍ ବୃଦ୍ଧି ପ୍ରତିବାଦରେ ଆସନ୍ତା ସେପ୍ଟେମ୍ବର ୨୦ରୁ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ସମସ୍ତ ଜିଲ୍ଲାରେ ମହିଳା ଆକ୍ରୋଶ ଯାତ୍ରା କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଏହି ମହିଳା ଆକ୍ରୋଶ ଯାତ୍ରା ୧୦ ଦିନ ଧରି ଚାଲିବ ବୋଲି ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମତା ବେହେରା ସୂଚନା ଦେଇଛନ୍ତି । ଏହି ଅବସରରେ ଶ୍ରୀମତି ବେହେରା କହିଛନ୍ତି ଯେ, ଉଭୟ ବିଜୁ ଜନତା ଦଳ ଓ ବିଜେପି ଶାସନ ଦ୍ୱାରା ମହିଳାମାନେ ପ୍ରତାରିତ ହେବା ସହ ସେମାନଙ୍କ ଉପରେ ଆକ୍ରମଣ ଏବଂ ଅତ୍ୟାଚାର ଯୋଗୁଁ ସମଗ୍ର ରାଜ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହେଉଛି ।

ଗତ ନିର୍ବାଚନରେ ବିଜେପି ଏହାର ନିର୍ବାଚନୀ ଇସ୍ତାହାରରେ ମହିଳା ସଂରକ୍ଷଣ ବିଲ୍କୁ ପାରିତ କରିବା ପାଇଁ ପ୍ରତିଶ୍ରୃତି ଦେଇଥିଲେ ମଧ୍ୟ ଏହା ନ କରି ମହିଳାଙ୍କୁ ଧୋକା ଦେଇଛି । ଅନ୍ୟପକ୍ଷରେ କେନ୍ଦ୍ରରେ ବିଜେପି ସହଯୋଗୀ ଦଳ ଭାବେ କାର୍ଯ୍ୟ କରୁଥିବା ବିଜେଡି ମହିଳା ସଂରକ୍ଷଣ ବିଲ୍କୁ ପାରିତ କରିବା ପାଇଁ ବିଜେପି ଉପରେ ଚାପ ପକାଇବାରେ ଅସମର୍ଥ ହୋଇଛି ବୋଲି ସସ୍ମିତା ଅଭିଯୋଗ କରିଛନ୍ତି । ଏହି ମହିଳା ଆକ୍ରୋଶ ଯାତ୍ରା ସମୟରେ ମହିଳା କଂଗ୍ରେସ ପକ୍ଷରୁ ରାତ୍ରୀ ସମୟରେ ପଦଯାତ୍ରା କରାଯିବ । ଏଥିସହ ଭୁବନେଶ୍ୱରରେ ଏକ ମହିଳା ସମାବେଶର ମଧ୍ୟ ଆୟୋଜନ କରାଯିବ ବୋଲି ସସ୍ମିତା କହିଛନ୍ତି । ଏଥିସହ ଏହି ଆକ୍ରୋଶ ଯାତ୍ରା ସମୟରେ ମହିଳା କଂଗ୍ରେସ ପକ୍ଷରୁ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିସହ ବିଭିନ୍ନ ଜିଲ୍ଲାର ଗାଁ ମାନଙ୍କରେ ଏହି ୧୦ ଦିନ ବ୍ୟାପି ଛୋଟଛୋଟ ପ୍ରଥପ୍ରାନ୍ତ ସଭା କରାଯାଇ ଲୋକଙ୍କୁ ସଚେତନତା କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ସସ୍ମିତା କହିଛନ୍ତି । ଏଥିସହ ଓଡ଼ିଶାରେ ବିଜେଡି ସରକାରଙ୍କ ଭୁଲ୍ ନିତି ପାଇଁ ମଦର ଅବାଧ କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି । ଫଳରେ ଗାଁ ଗହଳିରୁ ଆରମ୍ଭ କରି ସହର ବଜାର ପର୍ଯ୍ୟନ୍ତ ମହିଳାମାନେ ହିଂସାର ଶିକାର ହେଉଛନ୍ତି ।

ଏହି ଆକ୍ରୋଶ ଯାତ୍ରା ସମୟରେ ମଦ ବିରୋଧରେ ବିଭିନ୍ନ ସ୍ଥାନରେ ସଚେତନତା ର୍ୟାଲି କରାଯିବ ବୋଲି ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା ସ୍ପଷ୍ଟ କରିଛନ୍ତି । ଏଥିସହ ରାଜ୍ୟରେ ବର୍ତ୍ତମାନ ସମୟରେ ୪୦ ଭାଗ ମହିଳା ରକ୍ତହୀନତା ଓ ପୃଷ୍ଟିହୀନତାର ଶିକାର ହୋଇଥିବା ବେଳେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗୁଁ ଗର୍ଭବତୀ ମହିଳାମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁନାହିଁ । ଏନେଇ ମହିଳା କଂଗ୍ରେସ ସ୍ୱର ଉତ୍ତୋଳନ କରିବ ।

Comments (0)
Add Comment