ମଥୁରାନଗରୀରେ ଚାଲିଲା କଂସଙ୍କ ରାଜୁତି

ବରଗଡ଼ ଧନୁଯାତ୍ରା ଉଦ୍ଘାଟିତ

ବରଗଡ଼ : ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । ଏଥିସହ ମଥୁରାନଗରୀରେ କଂସଙ୍କ ରାଜତ୍ୱ ଆରମ୍ଭ ହୋଇଛି । ଧନୁଯାତ୍ରା ମହୋତ୍ସବ ସମିତିର ଅଧ୍ୟକ୍ଷ ତଥା ବରଗଡ଼ ଜିଲ୍ଳାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ବରଗଡ଼ ଲୋକସଭା ସାଂସଦ ଡକ୍ଟର ପ୍ରଭାସ ସିଂ ଓ ସମ୍ମାନିତ ଅତିଥି ଭାବେ ବିଧାୟକ ଦେବେଶ ଆଚାର୍ଯ୍ୟ ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ଅପରାହ୍ନ ୨ଟାରେ କଲ୍ୟାଣ ମଣ୍ଡପରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା । ଗାନ୍ଧୀ ଛକରେ ମହାତ୍ମା ଗାନ୍ଧୀ, ବୀର ସୁରେନ୍ଦ୍ର ସାଏ ଓ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା ପୂର୍ବକ ମା’ ସମଲେଶ୍ୱରୀ ମନ୍ଦିରରେ ପହଞ୍ôଚଥିଲା । ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ହାଟପଦାସ୍ଥିତ ରାଜଦରବାରକୁ ଯାଇଥିଲା । ସେଠାରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହକୁ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ତଥା ବରଗଡ଼ ଏସ୍ପି ମୁକେଶ କୁମାର ଭାମୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଧନୁଯାତ୍ରା ଉଦ୍ଘାଟନ ପରେ ମଥୁରା ନଗରୀର ରାଜନୀତିରେ ଅଚଳାବସ୍ଥା ଦେଖାଦେଇଥିଲା । ମଥୁରାଧିପତି ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସ ନାଟକୀୟ ଘଟଣାକ୍ରମେ ରାଜସିଂହାସନ ଅକ୍ତିଆର କରିଥିଲେ । ଏଥିସହ ଶୁକ୍ରବାରଠାରୁ ମଥୁରାନଗରୀରେ ମହାରାଜା କଂସଙ୍କ ରାଜୁତି ଆରମ୍ଭ ହୋଇଥିବା ବେଳେ ତାଙ୍କ ନିର୍ଦ୍ଦେଶରେ ଉଗ୍ରସେନଙ୍କ ସମସ୍ତ ରାଜ କ୍ଷମତା ପ୍ରତ୍ୟାହାର କରାଯିବାସହ ତାଙ୍କ ମନ୍ତ୍ରୀ, ପାତ୍ର, ଅମାତ୍ୟଙ୍କୁ ରାଜସେବାରୁ ନିବୃତ୍ତ କରାଯାଇଥିଲା । ସେହିପରି କଂସ ନିଜର ବିଶ୍ୱସ୍ତମାନଙ୍କୁ ମଥୁରାର ଗୁରୁତ୍ୱପୁର୍ଣ୍ଣ ପଦପଦବୀରେ ନିଯୁକ୍ତ କରିଥିବା ବେଳେ ସାରା ରାଜ୍ୟରେ ଅଶାନ୍ତିର ବାତାବରଣ ଦେଖାଦେଇଥିଲା । ଏହାକୁ ଦମନ କରିବା ପାଇଁ ମହାରାଜା କଂସ କୌଶଳ ଆରମ୍ଭ କରିଦେଇଥିଲେ । ଧନୁଯାତ୍ରା ଆଜିଠାରୁ ୧୧ ଦିନ ହେବାକୁ ଥିବା ବେଳେ ୨୧ରେ ଉଦ୍ଯାପିତ ହେବ । ଯାତ୍ରାରେ ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Comments (0)
Add Comment